ଆଧାର ଗୋପନୀୟତା ଯୁଦ୍ଧରେ ହାରିଗଲେ ଟ୍ରାଇ ଅଧ୍ୟକ୍ଷ ଶର୍ମା

0

ନୂଆଦିଲ୍ଲୀ : ଆଧାର ତଥ୍ୟ ଯେ ଆଦୌ ସୁରକ୍ଷିତ ନୁହେଁ ତାହା ଶନିବାର ପୁନର୍ବାର ପ୍ରମାଣିତ ହୋଇଛି। ଏଥର ଏହାର ଶିକାର ହୋଇଛନ୍ତି ଖୋଦ୍‍ ଆଧାରର ତଥ୍ୟ ସୁରକ୍ଷିତ ବୋଲି ପ୍ରଚାର କରୁଥିବା ଆର.ଏସ୍‍ ଶର୍ମା। ସବୁବେଳେ ଆଧାର ନମ୍ବର ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଙ୍ଘନ କରେ ନାହିଁ ବୋଲି ଦାବି କରିଆସୁଥିବା ‘ଟ୍ରାଇ’ ଅଧ୍ୟକ୍ଷ ଶର୍ମାଙ୍କ ନିଜସ୍ୱ ତଥ୍ୟ ଚୋରି ହୋଇଯାଇଛି। ଏହି ପ୍ରସଙ୍ଗରେ ସେ ଶନିବାର ନିଜର ୧୨ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଘୋଷଣା ପୂର୍ବକ ଏଥିରୁ କେହି ତାଙ୍କର ବ୍ୟକ୍ତିଗତ ତଥ୍ୟ ପ୍ରକାଶ କରିବାକୁ ଟ୍ୱିଟରରେ ଆହ୍ୱାନ ଦେଇଥିଲେ। ଏହାର କିଛି ସମୟ ପରେ ଫରାସୀ ସୂଚନା ଓ ପ୍ରଯୁକ୍ତି ସୁରକ୍ଷା ବିଶେଷଜ୍ଞ ଏଲିଅଟ ଆଲ୍ଡରସନ୍‍ ଶର୍ମାଙ୍କ ଆହ୍ୱାନକୁ ଗ୍ରହଣ କରିବା ସହ ତାଙ୍କ ସମ୍ପର୍କରେ ସମସ୍ତ ଗୋପନୀୟ ତଥ୍ୟ ହାସଲ କରି ସାମାଜିକ ଗଣମାଧ୍ୟମରେ ପ୍ରଦାନ କରିଥିଲେ। ଏଥିମଧ୍ୟରେ ରହିଥିଲା ଶର୍ମାଙ୍କ ଜନ୍ମ ତାରିଖ, ଘରୋଇ ଠିକଣା, ତାଙ୍କର ଅନ୍ୟ ମୋବାଇଲ ଫୋନ୍‍ନମ୍ବର ଓ ପାନ୍‍ ନମ୍ବର ଭଳି କିଛି ତଥ୍ୟ। ଏହାକୁ ପ୍ରଦାନ କରି ଆଲ୍ଡରସନ୍‍ ଉଲ୍ଲେଖ କରିଥିଲେ ଯେ ‘ଏତିକିରୁ ଆପଣ ଜାଣି ପାରୁଥିବେ ଯେ ଆଧାର ନମ୍ବର ସାର୍ବଜନୀନ କରିବା କେତେବଡ଼ ଭୁଲ।’ ଏତିକି ସୂଚନା ମିଳିବା ପରେ ଶର୍ମାଙ୍କ ମୁଣ୍ଡ ବିଗିଡ଼ି ଯାଇଛି। ଏତେ ଦିନ ଧରି ଆଧାର ନମ୍ବର ଆଦୌ ଗୋପନୀୟତା ପ୍ରଘଟ କରିବ ନାହିଁ ବୋଲି ସେ ଯେଉଁ ଯୁକ୍ତ କରି ଆସୁଥିଲେ ତାହା ତାଙ୍କର କ୍ଷେତ୍ରରେ ହିଁ ଭୁଲ୍‍ ପ୍ରମାଣିତ ହୋଇଛି। କେବଳ ଶର୍ମାଙ୍କ କ୍ଷେତ୍ରରେ ନୁହେଁ; ପ୍ରତ୍ୟେକ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ଯେ ଅସୁରକ୍ଷିତ ତାହା ପ୍ରମାଣିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଶର୍ମାଙ୍କ କାର୍ଯ୍ୟକାଳ ଆସନ୍ତା ୯ତାରିଖରେ ପୂରଣ ହେଉଛି।

Leave A Reply