ଆଠଗଡ ସହରରେ ଟ୍ରାଫିକ୍ ସମସ୍ୟା ଉତ୍କଟ ; ବାଇପାସ୍ ରାସ୍ତା ପାଇଁ ଦାବି

ଆଠଗଡ : ଆଠଗଡ ସହର ମଧ୍ୟ ଦେଇ ଯାଇଥିବା ୩ଟି ମୁଖ୍ୟରାସ୍ତା ସମେତ ସହରର ବର୍ଦ୍ଧିତ ଯାନବାହାନ ଓ ଜନସଂଖ୍ୟା ଯୋଗୁଁ ସହରର ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଉତ୍କଟ ହେବା ସହିତ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି। ଏହାର ସମାଧାନ ପାଇଁ ସହରର ଅନତି ଦୂରରେ ଦୁଇ ପାର୍ଶ୍ବରେ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ମହଲରେ ଦୃଢ ଦାବି ହେବାରେ ଲାଗିଛି। ଆଠଗଡ ସହର ମଧ୍ୟଦେଇ ଖୁଣ୍ଟୁଣୀ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥ, ଅନୁଗୁଳ ଠାରୁ କଟକ ପୁରୁଣା କଟକ-ସମ୍ବଲପୁର ରାସ୍ତା ଏବଂ ଆଠଗଡ-ମୁଣ୍ଡଳି ରାସ୍ତା ସମେତ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ଜାତମୁଣ୍ଡିଆ-ସୁବର୍ଣ୍ଣପୁର ମହାନଦୀ ସେତୁ ଦେଇ ଆଠଗଡକୁ ବାଙ୍କୀ ଅଞ୍ଚଳରୁ ରାସ୍ତା ଯାଇଥିବାରୁ ପ୍ରତ୍ୟେହ ଆଠଗଡ ସହର ମଧ୍ୟଦେଇ ଅତିକମରେ ୫ହଜାରରୁ ଉର୍ଦ୍ଧ୍ବ ଛୋଟବଡ ଯାନବାହାନ ଯାତାୟତ କରୁଛନ୍ତି। ୬୫ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଆଠଗଡର ସମସ୍ତ ମୁଖ୍ୟବଜାର, ଅନେକ ସ୍କୁଲ ଓ କଲେଜ, ବହୁ ମନ୍ଦିର ରହିଥିବାରୁ ସକାଳ ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ରାସ୍ତାରେ ଏତେ ଟ୍ରାଫିକ୍ ଜାମ୍ ହେଉଛି ଯେ ପଥଚାରୀ ଓ ବାଇକ ଆରୋହୀଙ୍କ ପାଇଁ ଯିବା ଆସିବା କଷ୍ଟକର ହୋଇପଡୁଛି। ସେହିପରି ପୁରୁଣା କଟକ-ସମ୍ବଲପୁର ରାସ୍ତାର ଧବଳେଶ୍ୱର ନିକଟସ୍ଥ ନୂଆପାଟଣା ଠାରେ ମଧୁସୁଦନ ସେତୁ କାର୍ଯ୍ୟକ୍ଷମ ହେବା ଦିନଠାରୁ ଏବଂ କଟକର ଦୂରତା କମ୍ ହୋଇଥିବାରୁ ରାଜ୍ୟର ପଶ୍ଚିମାଞ୍ଚଳରୁ ପ୍ରତିଦିନ ଶହ ଶହ ଯାନବାହାନ ଉକ୍ତ ରାସ୍ତାରେ କଟକ ଯିବାଆସିବା କରୁଛନ୍ତି। ସେହିପରି ଆଠଗଡ-ମୁଣ୍ଡଳି ରାସ୍ତାରେ ମଧ୍ୟ ଆଠଗଡ ଉପଖଣ୍ଡର ବଡମ୍ବା ନରସିଂହପୁର ସମେତ ଅନୁଗୁଳ ସମ୍ବଲପୁର, ବରଗଡ, ଝାରସୁଗୁଡା ଓ ରାଉଲକେଲା ଆଦି ପଶ୍ଚିମାଞ୍ଚଳରୁ ପ୍ରତ୍ୟହ ୨ହଜାରରୁ ଉର୍ଦ୍ଧ୍ବ ଛୋଟବଡ ଯାନବାହାନ ଚଳାଚଳ କରୁଥିବାରୁ ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟା ଅନିୟନ୍ତ୍ରିତ ହୋଇପଡୁଛି। ବଜାରଘାଟରେ ସନ୍ଧ୍ୟାରେ ଯିବାଆସିବା କଷ୍ଟ ହେଉଥିବାବେଳେ ପଥଚାରୀ ଓ ବାଇକ ଆରୋହୀଙ୍କ ପାଇଁ ବିପଦପୂର୍ଣ୍ଣ ହେଉଛି। ବିଶେଷ କରି ୫ଟି ରାସ୍ତାର ସଙ୍ଗମସ୍ଥଳ ଚାନ୍ଦବାଲି ଛକରେ ପ୍ରତିଦିନ ଏପରି ଟ୍ରାଫିକ୍ ସମସ୍ୟା ହେଉଛି ଯେ ସେଠାରେ ଗାଡିମଟର ଦୀର୍ଘ ସମୟ ଜାମ୍ ହୋଇ ରହୁଥିବା ଦେଖାଯାଉଛି। ସହରର ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ମହିଳା ଓ ଶିଶୁ ଏହି ଟ୍ରାଫିକ୍ ସମସ୍ୟା ଯୋଗୁଁ ରାସ୍ତାରେ ଚାଲିବା ପାଇଁ ଭୟ କରୁଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଆଠଗଡ ସହରର ଅନତି ଦୂରରେ ଦୁଇ ପାର୍ଶ୍ବ ପ୍ରଶସ୍ତ ବାଇପାସ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବା ଲାଗି ବରିଷ୍ଠ ନାଗରିକ ତଥା ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ରାଜ୍ୟ ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ, କଟକ ଜିଲ୍ଲାପାଳ ଓ ଆଠଗଡ ଉପଜିଲ୍ଲାପାଳଙ୍କୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାଛଡା ଆଠଗଡର ବହୁ ସଂଗଠନ ଓ ବ୍ୟକ୍ତି ବିଶେଷ ମଧ୍ୟ ବାଇପାସ ପାଇଁ ସେମାନଙ୍କର ଦାବି ଜଣାଇଛନ୍ତି। ବର୍ଦ୍ଧିତ ଯାନବାହାନ ଚଳାଚଳକୁ ଦୃଷ୍ଟିରେ ରଖି ଏବଂ ସର୍ବସାଧାରଣଙ୍କର ସୁରକ୍ଷାକୁ ପ୍ରାଥମିକତା ଦେଇ ଆଠଗଡରେ ବାଇପାସ ନିର୍ମାଣ ପାଇଁ ରାଜ୍ୟସରକାର ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପଦକ୍ଷେପ ନେବା ପାଇଁ ନିବେଦନ କରାଯାଇଛି।

Comments are closed.