ଆମ୍ବୁଲାନ୍ସକୁ ରାସ୍ତା ଦେବାକୁ ୨ କିଲୋମିଟର ଦୌଡ଼ି ଦୌଡ଼ି ଭିଡ ହଟାଇଲେ ଟ୍ରାଫିକ ପୁଲିସ, ପ୍ରଶଂସାରେ ଶତମୁଖ ଗଣମାଧ୍ୟମ (ଦେଖନ୍ତୁ ଭିଡିଓ)

ଏକଥା ସତ ଯେ ସମସ୍ତେ ସମାନ ନୁହନ୍ତି ଅର୍ଥାତ ଜଣେ ବା ଦୁଇ ଜଣଙ୍କ କାର୍ଯ୍ୟଶୈଳୀକୁ ନେଇ ସମସ୍ତଙ୍କୁ ସେହିଭଳି ବିବେଚନା କରିହେବ ନାହିଁ। ଘଟଣାଟି ଘଟିଛି ହାଇଦ୍ରାବାଦର ଏକ ଜନଗହଳି ପୂର୍ଣ୍ଣ ରାସ୍ତାରେ। ଚଳିତ ବର୍ଷ ନଭେମ୍ବର ୧ ତାରିଖ ସନ୍ଧ୍ୟା ୬ରୁ ୭ଟା ମଧ୍ୟରେ ଜିପିଓ ଛକରେ ହଠାତ ଏକ ଆମ୍ବୁଲାନ୍ସ ପହଁଚିଲା କିନ୍ତୁ ଆଗକୁ ଯାଇପାରୁନଥିଲା କାରଣ ସନ୍ଧ୍ୟା ସମୟରେ ସେହି ରାସ୍ତାରେ ପ୍ରବଳ ଜାମ ଥିଲା। ଆମ୍ବୁଲାନ୍ସ ଯେତେ ସାଇରନ ଦେଲେ ମଧ୍ୟ ଅନ୍ୟ ଗାଡି ଚାଳକମାନେ ରାସ୍ତା ଦେଉନଥିଲେ।

ସେଠାରେ ଡିଉଟିରେ ଥିବା ଟ୍ରାଫିକ କନଷ୍ଟେବଳ ଜି ବାବଜୀ ଦେଖିଲେ ଯେ ଆମ୍ବୁଲାନ୍ସ ଆଗକୁ ଯିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସମ୍ଭବ ହେଉନି। ବାବଜୀ ସଂଗେ ସଂଗେ ଆମ୍ବୁଲାନ୍ସ ସମ୍ମୁଖକୁ ଯାଇଥିଲେ ଓ ତାଙ୍କ ପଛେ ପଛେ ଆସିବାକୁ ଆମ୍ବୁଲାନ୍ସକୁ ଇସାରା କରିଥିଲେ। ଆମ୍ବୁଲାନ୍ସରେ ଗୁରୁତର ରୋଗୀ, ୨ କିଲୋମିଟର ରାସ୍ତା ଓ ଭିଡ ରାସ୍ତା। ଆମ୍ବୁଲାନ୍ସ ଆଗରେ ଦୌଡିବାକୁ ଆରମ୍ଭ କଲେ ବାବଜି ଓ ଅନ୍ୟ ଗାଡ଼ିଗୁଡ଼ିକୁ ରାସ୍ତା ଦେବାକୁ ଇସାରା ଦେବାକୁ ଲାଗିଲେ। ଏମିତି ଦୁଇ କିଲୋମିଟର ପର୍ଯ୍ୟନ୍ତ ସେ ରାସ୍ତାରୁ ଭିଡ ହଟାଇଲା ପରେ ଆମ୍ବୁଲାନ୍ସଟି ହସ୍ପିଟାଲରେ ପହଁଚିଲା। ତେବେ ବାବଜି ଏଭଳି କରୁଥିବା ବେଳେ ଆମ୍ବୁଲାନ୍ସରେ ବସିଥିବା ରୋଗୀଙ୍କ ଜଣେ ସମ୍ପର୍କୀୟ ଏସବୁ ନିଜ ମୋବାଇଲରେ ରେକର୍ଡ କରିଥିଲେ ଓ ପରେ ସାମାଜିକ ଗଣମାଧ୍ୟମରେ ଅପଲୋଡ଼ କରିଥିଲେ।

ସେତିକିରେ କିନ୍ତୁ କଥା ସରିନଥିଲା। ବାବଜି ଘରେ ପହଂଚିବା ବେଳକୁ ତାଙ୍କ ୭ ବର୍ଷର କୁନି ଝିଅ ଏକ କାର୍ଡ ପ୍ରସ୍ତୁତ କରିଥିଲା ଓ ଲେଖିଥିଲା,’ବଧାଇ ହୋ ପାପା’। ବିବିସି ହିନ୍ଦୀକୁ ଏକ ସାକ୍ଷାତକାରରେ ବାବଜି କହିଛନ୍ତି ଯେ ସେ ତାଙ୍କ ଝିଅର କାର୍ଡ ଦେଖିବା ପରେ ଜାଣିଲେ ଯେ ତାଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟ ବିଷୟରେ ସମସ୍ତେ ଜାଣିସାରିଲେଣି।

Comments are closed.