ଟ୍ରାଫିକ୍ ଜଗୁଛି କୁକୁର !

ପଶୁପକ୍ଷୀଙ୍କର ମାନିବକତା ଅଛି, ବୁଦ୍ଧିମାନ ମନୁଷ୍ୟ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦେଉଥିବାବେଳେ ଅନେକ ସମୟରେ ଏହି ପ୍ରାଣୀମାନେ ହିଁ ଆମକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି। ଏ ଘଟଣାଟି ହେଉଛି ଜର୍ଜିଆର ବାଟୁମି ସହରର, ଲକ୍-ଡାଉନ୍ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଗୋଟିଏ କୁକୁରର କାର୍ଯ୍ୟକଳାପ ଲୋକଙ୍କ ଦୃଷ୍ଟିକୁ ଆସିଥିଲା। ବୁଲା କୁକୁର କୁପାଟୋ ନେଇଥିବା ଏହି ଦାୟିତ୍ବକୁ ସ୍ଥାନୀୟ ପ୍ରଶାସନ ମଧ୍ୟ ତାରିଫ୍‌ କରିଛନ୍ତି। ୨୦୨୦ ଜାନୁଆରୀ ଦ୍ବିତୀୟ ସପ୍ତାହବେଳକୁ, ସହରର ମୁଖ୍ୟ ରାସ୍ତାରେ ଦୈନିକ ୨ଜଣ ଶିକ୍ଷୟିତ୍ରୀ ଏଲ୍.କେଜିରେ ପଢ଼ୁଥିବା ୧୦-୧୨ଜଣ ଛାତ୍ରଛାତ୍ରୀଙ୍କୁ ରାସ୍ତା ପାର କରାଉଥିଲେ। ବସ୍‌ ବିଦ୍ୟାଳୟ ପାଖକୁ ଯିବାର ସୁବିଧା ନଥିବାରୁ ଶିକ୍ଷୟିତ୍ରୀ ଦୁଇଜଣ ରାସ୍ତା କଡ଼କୁ ଆସି ପିଲାଙ୍କୁ ଚଲାଇଚଲାଇ ନେଉଥିଲେ।

ସକାଳବେଳା ଟ୍ରାଫିକ୍ ସିଗନାଲ୍‌ ଅନୁସାରେ ଲୋକେ ଗାଡ଼ି ଚଲାନ୍ତି, ହେଲେ ଟ୍ରାଫିକ୍ ପୁଲିସ୍ ନଥିବାରୁ ଅଧିକାଂଶ ବେପରୁୱା ଭାବେ ଗାଡ଼ି ଚଳାଉଥିବାର ଲକ୍ଷ୍ୟ କରାଯାଏ। ଶିକ୍ଷୟିତ୍ରୀ ୨ଜଣ ବେଶ୍ ସାବଧନତାର ସହ ପିଲାଙ୍କୁ ଚଲାଇ ନିଅନ୍ତି। ଦିନକର ଘଟଣା, ଶିକ୍ଷୟିତ୍ରୀ ୨ଜଣ ଯେତେ ଚେଷ୍ଟା କଲେ ସୁଦ୍ଧା ରାସ୍ତା ପାର ହୋଇପାରୁନଥାନ୍ତି। ଛୋଟ ପିଲାଙ୍କୁ ନେଇଯିବା ମଧ୍ୟ ଭାରି ମୁସ୍କିଲ୍, ସେମାନେ ପାଖାପାଖି ୨୦ ମିନିଟ୍ ଛିଡ଼ା ହେଲେ। ଗାଡ଼ିଗୁଡ଼ିକ ଦ୍ରୁତ ବେଗରେ ଏପାଖସେପାଖ ହେଉଥିବାରୁ ପିଲାଙ୍କୁ ନେଇ ପାର ହେବାକୁ ଭୟ କରୁଥାନ୍ତି। କୋଣରେ ଶୋଇଥିବା କୁକୁର କୁପାଟୋ କିଛି ସମୟ ଲକ୍ଷ୍ୟ କଲା ପରେ ସେମାନଙ୍କୁ ସାହାଯ୍ୟ କରିବାକୁ ଝାଡ଼ିଝୁଡ଼ି ଛିଡ଼ା ହେଲା।

ରାସ୍ତା ଉପରକୁ ଯାଇ ଗାଡ଼ି ଅଟକାଇବାକୁ ଧୀରେଧୀରେ କୁପାଟୋ ଆଗେଇଲା। କୁକୁର ଯିବା ସହ ଭୁକିବାର ଦେଖି ଗାଡ଼ିଗୁଡ଼ିକ ବେଗ କମାଇ ବ୍ରେକ୍ ମାରିଲେ, ମାତ୍ର ୨ ମିନିଟ୍‌ରେ ପିଲାମାନେ ରାସ୍ତା ପାର ହେଲେ। ତହିଁ ଆରଦିନଠୁ ସ୍କୁଲ୍ ବସ୍‌ ଲାଗିବା ପରେ କୁପାଟୋର କାମ ହେଲା, ପିଲାଙ୍କୁ ରାସ୍ତା ପାର କରାଇବା। ବୁଲା କୁକୁର ଏହି ବୁଦ୍ଧିମତ୍ତା ସ୍ଥାନୀୟ ଗଣମାଧ୍ୟମ ସହ ସୋସିଆଲ୍‌ ସାଇଟ୍‌ରେ ପ୍ରକାଶିତ ହୋଇଛି ମଧ୍ୟ। ଏଇ କୁକୁରକୁ ନିୟମିତ ଖାଦ୍ୟ ଯୋଗାଇବାର ଦାୟିତ୍ବ ନେଇଛନ୍ତି ସେଠାରେ ଏକ ଫୁଲ ଦୋକାନ ମାଲିକାଣୀ ମିନି, କୁପାଟୋର ଟ୍ରାଫିକ୍ ପୁଲିସ୍‌ ଦାୟିତ୍ବକୁ ଦେଖି ଆମେ ମଣିଷମାନେ ଅଳ୍ପବହୁତେ ଶିଖିବା ଜରୁରୀ ବୋଲି ସେ କହିଛନ୍ତି। n

Comments are closed.