ଶ୍ରୀଲିଙ୍ଗରାଜଙ୍କ ମହା ଶିବରାତ୍ରି: ଜାରିହେଲା ଟ୍ରାଫିକ ମାର୍ଗଦର୍ଶିକା

ଭୁବ‌େ‌ନଶ୍ବର: ଶ୍ରୀଲିଙ୍ଗରାଜଙ୍କ ମହା ଶିବରାତ୍ରିରେ ଯାନବାହନ ଚଳାଚଳ ନିମନ୍ତେ କମିସନରେଟ ପୁଲିସ ପକ୍ଷରୁ ଟ୍ରାଫିକ୍‌ ମାର୍ଗଦର୍ଶିକା ଜାରି କରାଯାଇଛି। ୨୧ ତାରିଖ(ଶୁକ୍ରବାର) ଅପରାହ୍ଣ ୨ ଘଟିକାଠାରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ତଥା ଜନସମାଗମ ଅପସାରିତ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଟ୍ରାଫିକ୍‌ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି।

ମନ୍ଦିରକୁ କେମିତି ଯିବେ

-ମାଉସୀ ମା’ ଛକରୁ ରଥ‌େ‌ରାଡ଼କୁ ଆସୁଥିବା ଚାରି ଚକିଆ ଯାନଗୁଡ଼ିକୁ ଛଡ଼ାଯିବ ନାହିଁ। ଉକ୍ତ ଯାନ ବିବେକାନନ୍ଦ ମାର୍ଗରେ ସାନିଟାରିୟମ ଛକଦେଇ କଚରାପିଣ୍ଡି ପର୍ଯ୍ୟନ୍ତ ଯାଇପାରିବେ। କେଦାରଗୌରୀ ମନ୍ଦିର ରାସ୍ତାର ଉଭୟ ପାର୍ଶ୍ବରେ ପାର୍କିଂ କରିପାରିବେ। ଭିଆଇପି ଗାଡ଼ିଗୁଡ଼ିକ ରଥରୋଡ଼ରେ ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ବାର ପର୍ଯ୍ୟନ୍ତ ତିନିମୁଣ୍ଡିଆ ଓ ବଢ଼େଇବାଙ୍କ ଛକ ଦେଇ ପାର୍କିଂ କରିବେ।

-ରବି ଟକିଜ୍‌ ପଟରୁ ଆସୁଥିବା ସମସ୍ତ ଗାଡ଼ି କଚରାପିଣ୍ଡି ପର୍ଯ୍ୟନ୍ତ ଯିବେ। ସେଠାରୁ ଚାରିଚକିଆ ଯାନଗୁଡ଼ିକ କେଦାରଗୌରୀ ମନ୍ଦିର ରାସ୍ତାର ଉଭୟପଟରେ ପାର୍କିଂ କରିବେ। ଦୁଇ ଚକିଆ ଯାନଗୁଡ଼ିକ କଚରାପିଣ୍ଡିରୁ କୋଟିତୀର୍ଥ ଗଳିରୁ ବାମକୁ ଯାଇ ଅନନ୍ତ ବାସୁଦେବ ମନ୍ଦିରର ଉତ୍ତର ପାର୍ଶ୍ବରେ ପାର୍କିଂ କରିବେ।

-ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟରୁ ଆସିଥିବା ସମସ୍ତ ଯାନ ବିଦ୍ୟୁତ ସବ୍‌ଷ୍ଟେସନ ଛକ ଦେଇ ବିଏମ୍‌ସି ମାର୍କେଟ କ‌େ‌ମ୍ପ୍ଲକ୍ସ ପାର୍କିଂ ସ୍ଥାନକୁ ଛଡ଼ାଯିବ। ସେଠାରେ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ଗାଡ଼ି ପାର୍କିଂ କରିପାରିବେ।

-କେଉଟ ସାହି ପଟରୁ ଆସୁଥିବା ଗାଡ଼ିଗୁଡ଼ିକ କେଦାର ଗଳି ତାରିଣୀ ରିସର୍ଟ ଓ ବିଦ୍ୟୁତ ସବ୍‌ଷ୍ଟେସନ ଛକ ଦେଇ ବିଏମ୍‌ସି ମାର୍କେଟ କ‌େ‌ମ୍ପ୍ଲକ୍ସ ପାର୍କିଂ ସ୍ଥାନ ଛଡ଼ାଯିବ। ସେଠାରେ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ଗାଡ଼ି ପାର୍କିଂ କରିପାରିବେ।

-ଦକ୍ଷିଣକାଳୀ ମନ୍ଦିର ଓ ତାରାସୁନ୍ଦରୀ ରାସ୍ତା ପଟରୁ ଆସୁଥିବା ସମସ୍ତ ଗାଡ଼ିକୁ ଏସ୍‌ଏମ ହାଇସ୍କୁଲ ଓ ବିଏମ୍‌ ହାଇସ୍କୁଲ ପଡ଼ିଆକୁ ପାର୍କିଂ କରିବା ଲାଗି ଛଡ଼ାଯିବ।

-ପୁନାମା ଗେଟ୍‌ ପଟରୁ ଆସୁଥିବା ସମସ୍ତ ୪ ଚକିଆ ଯାନକୁ ଜମ୍ବେଶ୍ବରପାଟଣା ଛକରୁ ବଢ଼େଇବାଙ୍କ ଆଡ଼କୁ ଛଡ଼ାଯିବ ନାହିଁ। ଉକ୍ତ ଯାନଗୁଡ଼ିକ ଆରଆଇ ଅଫିସ୍‌ ପଡ଼ିଆରେ ପାର୍କିଂ କରିପାରିବେ। ସେହି ଦିଗରୁ ଦୁଇ ଚକିଆ ଗାଡ଼ିଗୁଡ଼ିକ ବଢ଼େଇବାଙ୍କ ଦେଇ ଏସଏମ୍‌ ହାଇସ୍କୁଲ ଓ ବିଏମ୍‌ ହାଇସ୍କୁଲ ପଡ଼ିଆକୁ ପାର୍କିଂ କରିବା ଲାଗି ଛଡ଼ାଯିବ।

-ରଥରୋଡ଼ରୁ ଆସୁଥିବା ସମସ୍ତ ଦୁଇ ଚକିଆ ଯାନଗୁଡ଼ିକ ବଢ଼େଇବାଙ୍କ ଦେଇ ଏସଏମ ହାଇସ୍କୁଲ ଓ ବିଏମ୍‌ ହାଇସ୍କୁଲ ପଡ଼ିଆକୁ ପାର୍କିଂ କରିବା ଲାଗି ଛଡ଼ାଯିବ।

-ସମସ୍ତ ବସ୍‌ଗୁଡ଼ିକୁ ଗ୍ୟାରେଜ୍‌ ଛକରୁ ବିଦ୍ୟୁତ ସବ୍‌ଷ୍ଟେସନ ଛକ ଦେଇ ବିଏମ୍‌ସି ମାର୍କେଟ କ‌େ‌ମ୍ପ୍ଲକ୍ସ ପାର୍କିଂ ସ୍ଥାନକୁ ଛଡ଼ାଯିବ। ସେଠାରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରିବେ।

-ବିନ୍ଦୁସାଗର ପଟରୁ ଭଜନ ମଣ୍ଡପ ଆଡ଼କୁ କୌଣସି ଯାନ ଛଡ଼ାଯିବ ନାହିଁ। ହାଟ ସାହି ଛକରୁ ଭଜନ ମଣ୍ଡପ, ବଢ଼େଇବାଙ୍କ ଓ ସିଂହଦ୍ବାର ଠାରୁ ବିଦ୍ୟୁତ ସବ୍‌ଷ୍ଟେସନ ବ୍ଲକିଂ ସ୍ଥାନ ପର୍ଯ୍ୟନ୍ତ ରାସ୍ତାଗୁଡ଼ିକ ପଥଚାରୀ ଜୋନ୍‌ ଭାବେ ଘୋଷଣା କରାଯାଇଛି। କେବଳ ଭିଆଇପି ଗାଡ଼ିଗୁଡ଼ିକ ଉତ୍ତରଦ୍ବାର ସାମ୍‌ନା‌େ‌ର ଥିବା ନିର୍ଦ୍ଧାରିତ ସ୍ଥାନରେ(ରଥଖଳା ଓ ବଢ଼େଇବାଙ୍କ ମଧ୍ୟରେ) ପାର୍କିଂ କରିପାରିବ।

କେଉଁଠି ପାର୍କିଂ କରିବେ

-ବିଏମ୍‌ସି ମାର୍କେଟ କ‌େ‌ମ୍ପ୍ଲକ୍ସ
-କେଦାରଗୌରୀ ମନ୍ଦିର ରାସ୍ତାର ଉଭୟ ପାର୍ଶ୍ବ
-ଅନନ୍ତ ବାସୁଦେବ ମନ୍ଦିର ଉତ୍ତରପାର୍ଶ୍ବ
-ଏସଏମ ହାଇସ୍କୁଲ ଓ ବିଏମ୍‌ ହାଇସ୍କୁଲ ପଡ଼ିଆ
-ଆର୍‌ଆଇ ଅଫିସ୍‌ ପଡ଼ିଆ
-ବାସୁଦେବ ମନ୍ଦିରର ଉତ୍ତର ପାର୍ଶ୍ବରେ ପାର୍କିଂ ଲାଗି ବ୍ୟବସ୍ଥା କରାଯାଇଛି। ଏଭଳି ୧୪ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ଦୁଇ ଓ ୪ ଚକିଆ ପାଇଁ ଅଲଗା ଅଲଗା ପାର୍କିଂର ବ୍ୟବସ୍ଥା କରାଯାଇଛି।

ମନ୍ଦିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ

ରାଜ୍ୟ ପ୍ରଶାସନିକ ସେବା ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କୁ ଶ୍ରୀଲିଙ୍ଗରାଜ ମନ୍ଦିରର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦେବୋତ୍ତର କମିସନର ନିଯୁକ୍ତି ଦେଇଛନ୍ତି। ସମ୍ପ୍ରତି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ପ୍ରଦୀପ କୁମାର ସାହୁଙ୍କୁ ଦେବୋତ୍ତର କମିସନରଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁବାର ସୁଦ୍ଧା ଶ୍ରୀ ସାହୁ ତାଙ୍କର ସମସ୍ତ ଦାୟିତ୍ବ ଶ୍ରୀ ଦାସଙ୍କୁ ପ୍ରଦାନ କରିବେ ବୋଲି କମିସନର କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ଥିବା କୋଟି କୋଟି ଟଙ୍କା ମୂଲ୍ୟର ଜମିକୁ ଜବରଦଖଲକାରୀଙ୍କ କବଳରୁ ମୁକୁଳାଇବାକୁ ଯାଇ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସାହୁଙ୍କୁ ନିର୍ଦିଷ୍ଟ ସେବାୟତ ନିଯୋଗ ସଦସ୍ୟଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ଗତକିଛି ଦିନ ଧରି ସେବାୟତ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଭିତରେ ମତାନ୍ତର ଲାଗି ରହିଥିବା ଯୋଗୁଁ ଆଗାମୀ ଜାଗର ଯାତ୍ରାକୁ ଶୃଙ୍ଖଳିତ କରିବା ଲକ୍ଷ୍ୟ ନେଇ କମିସନର ଶ୍ରୀ ସାହୁଙ୍କୁ ଅନ୍ୟତ୍ର ବଦଳି କରିଥିବା ଆଲୋଚନା ହେଉଛି।

Comments are closed.