ଶିଳ୍ପାୟନ ଯୋଗୁଁ ଲୋପ ପାଉଛି  ଆଦିମ ସଂସ୍କୃତି  

ସମ୍ବଲପୁର : ପଶ୍ଚିମ ଓଡିଶାରେ ଗଢିଉଠୁଥିବା ଶିଳ୍ପ ପ୍ରତିଷ୍ଠାନ ଯୋଗୁଁ ଏହି ଅଞ୍ଚଳର ଆଦିମ ସଂସ୍କୃତି ଲୋପ ପାଇବାରେ ଲାଗିଛି। ନୂତନ କାରଖାନା ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଲୋକଙ୍କୁ ବିସ୍ଥାପିତ କରାଯିବା ଫଳରେ ସେମାନେ ଭିଟାମାଟି ଓ ଜୀବିକା ହରାଇବା ସହ ତାଙ୍କର ହଜାର ହଜାର ବର୍ଷର ପରମ୍ପରା ବନ୍ଦ ହୋଇଯାଉଛି। ଏହା ଛଡା ଜମିହରା ମାନଙ୍କୁ ମିଳୁଥିବା କ୍ଷତିପୂରଣ ଓ ନିଯୁକ୍ତିକୁ ନେଇ ଯୌଥ ପରିବାର ମାନଙ୍କରେ ମନୋମାଳିନ୍ୟ ହେଉଥିବା ଦେଖିବାକୁ ମିଳୁଛି। କାରଖାନା କାର୍ଯ୍ୟକ୍ଷମ ହେବା ପରେ ପରିବେଶ ପ୍ରଦୂଷଣ ଯୋଗୁଁ ସାଧାରଣ ଲୋକେ ଫୁସ୍‍ଫୁସ୍‍ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଶିଳ୍ପ ପ୍ରତିଷ୍ଠା ଦ୍ୱାରା ଏ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଘଟିଥିଲେ ହେଁ ବର୍ତ୍ତମାନ ସମାଜର ସାମୁହିକ ବିକାଶ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି ‘ନୃସିଂହ ଗୁରୁ ସ୍ମୃତି ସମିତି’ ପକ୍ଷରୁ ଆୟୋଜିତ ‘ପଶ୍ଚିମ ଓଡିଶାରେ ଦୃତ ଶିଳ୍ପାୟନର ପ୍ରଭାବ ମୂଲ୍ୟାଙ୍କନ’ ଶୀର୍ଷକ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି।

ସ୍ମୃତି ସମିତିର ଉପ ସଭାପତି ଅରବିନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରକୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳର କୁଳପତି ପ୍ରଫେସର ଏନ୍‍ ନାଗରାଜୁ ଉଦ୍‍ଘାଟନ କରିଥିଲେ। ଉଦ୍‍ଘାଟନୀ ଉତ୍ସବରେ ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା ଓ ପୂର୍ବତନ କୁଳପତି ପ୍ରଫେସର ଦୀପକ କୁମାର ବେହେରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ଲାଗି ବାଲ୍‍କୋ କମ୍ପାନୀ ପ୍ରତିଷ୍ଠା ବିରୋଧରେ ହୋଇଥିବା ଆନ୍ଦୋଳନ ସମ୍ପର୍କରେ ଶ୍ରୀ ହୋତା ଆଲୋକପାତ କରିଥିଲେ। ସ୍ମୃତି ସମିତିର ସମ୍ପାଦକ ହେମନ୍ତ କୁମାର ସ୍ୱାଗତ ଭାଷଣ ଦେଇଥିବାବେଳେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶେଫାଳୀ ରାଣୀ ଦାଶ ଧନ୍ୟବାଦ ଦେଇଥିଲେ। ପରେ ପୂର୍ବତନ କୁଳପତି ପ୍ରଫେସର ଦୀପକ କୁମାର ବେହେରାଙ୍କ ପରିଚାଳନରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ଗଙ୍ଗାଧର ମେହେର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଶ୍ରୀବନ୍ତ ଦାଶ, ଲଜପତ ରାୟ ଆଇନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ବିଜୟାନନ୍ଦ ବେହେରା, ପ୍ରଫେସର ଶଙ୍କର ପ୍ରସାଦ ପତି, ସମ୍ବଲପୁର ବିଶ୍ୱବିଦ୍ୟାଳର ଅର୍ଥନୀତି ବିଭାଗ ମୁଖ୍ୟ ସଂଯୁକ୍ତା ଦାସ, ଜିଏମ୍‍ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗର ଡକ୍ଟର ମୀନକେତନ ବାଗ ଓ ଡକ୍ଟର ନିବେଦିତା ନାଥ, ଡକ୍ଟର ଝରଣା ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାଚକ୍ରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଲଜପତ ରାୟ ଆଇନ ମହାବିଦ୍ୟାଳର ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।

Comments are closed.