ତହସିଲଦାରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ଗିରଫ, ୨ଟି ଟ୍ରାକ୍ଟର ଗୋଟିଏ ଜେସିବି ଜବତ

ବେଗୁନିଆ – ବୋଲଗଡ଼ ତହସିଲଦାର ଦାୟିତ୍ୱରେ ଥିବା ବିଡିଓ ଧୋବେଇ ନାୟକ ଆଜି ଅପରାହ୍ନ ରେ ବେଗୁନିଆ ଥାନା ଅଂଚଳରେ ଥିବା କେତେକ ଖଣି ଉପରେ ଚଢ଼ାଉ କରିବା ପାଇଁ ଯାଉଥିବାବେଳେ ନାରାୟଣୀପଡାଠାରେ ଦୁଇଜଣ ବ୍ୟକ୍ତି ତାଙ୍କୁ ଦୁର୍ବ୍ୟବହାର କରିଥିବାର ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ବୋଲଗଡ଼ ବ୍ଲକ ଗୋପାଳପୁର ପଂଚାୟତ ଅନ୍ତର୍ଗତ ନାରାୟଣୀପଡ଼ାଠାରେ ଦୁଇଜଣ ବ୍ୟକ୍ତି ଏକ ମୋରମ ଖଣିରୁ ଜେସିବି ସାହାଯ୍ୟରେ ଦୁଇଟି ଟ୍ରାକ୍ଟର ବୋଝେଇ କରୁଥିବାର ଦେଖି ସେଠାକୁ ଯାଇଥିଲେ । ସେମାନଙ୍କୁ ସମ୍ପୃକ୍ତ ଖଣିର କାଗଜପତ୍ର ମାଗିଥିବାବେଳେ ସେମାନେ ତହସିଲଦାରଙ୍କ ସହିତ ବଚସା କରି ଗାଳିଗୁଲଜ କରିଥିଲେ ଫଳରେ ତହସିଲଦାର ଶ୍ରୀ ନାୟକ ବେଗୁନିଆ ଥାନାକୁ ଫୋନ କରିଥିଲେ  ବେଗୁନିଆ ଥାନା କର୍ମଚାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କ ମଧ୍ୟରୁ ଶଙ୍କର୍ଷଣ ରାଉତଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ବେଗୁନିଆ ପୁଲିସ ଦୁଇଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବି ଜବତ କରି ଥାନାକୁ ଆଣିଛି । ତହସିଲଦାରଙ୍କ ଅଭିଯୋଗ ଉପରେ ବେଗୁନିଆ ଥାନାରେ୨୨୧/୨୦ ନଂ କେଶ ରୁଜୁ କରାଯାଇ ଅନ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବା ପାଇଁ ଖୋଜି ବୁଲୁଛି ।

Comments are closed.