ଦୁର୍ଗାଦେବୀ ପ୍ରାଚୀନ ସହର ଓ ପ୍ରାଗ୍‌ ଐତିହାସିକ ସଭ୍ୟତାର ସନ୍ଧାନସ୍ଥଳ, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପରିଦର୍ଶନ

ପ୍ରତ୍ନତାତ୍ତ୍ବିକ ଉତ୍‌ଖନନ ସ୍ଥଳରେ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ସ୍ଥାପନ ଉପରେ ଚିନ୍ତା କରାଯାଇପାରେ:ମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ୱର ଜିଲାର ଦୁର୍ଗାଦେବୀଠାରେ ମିଳିଥିବା ପ୍ରାଚୀନ ସହର ଓ ପ୍ରାଗ୍‌ ଐତିହାସିକ ସଭ୍ୟତାର ସ୍ଥଳ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବୁଲି ଦେଖିଛନ୍ତି। ଯେହେତୁ ଏହି ଉତ୍‌ଖନନ ଖ୍ରୀଷ୍ଟପୂର୍ବ ୨୦୦୦ରୁ ୪୦୦ ମଧ୍ୟରେ ବ୍ରୋଞ୍ଚ ଓ ଲୌହଯୁଗର ସଂସ୍କୃତି ଓ ବିକାଶର ଦୃଶ୍ୟପଟର ଏକ ଭିନ୍ନ ଚିତ୍ର ପ୍ରଦାନ କରୁଛି । ସେ ସବୁ ଦୃଷ୍ଟିରୁ ଏହା ଉପରେ ଅଧିକ ଗବେଷଣା ଓ ଅନୁସନ୍ଧାନ ସହିତ ଆବଶ୍ୟକ ସ୍ଥଳେ ପ୍ରତ୍ନତାତ୍ତ୍ବିକ ଉତ୍‌ଖନନ ସ୍ଥଳରେ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ସ୍ଥାପନ ଉପରେ ଚିନ୍ତା କରାଯାଇପାରେ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି। ସେ ମଧ୍ୟ ଦୁର୍ଗାଦେବୀ ଗ୍ରାମରେ ଥିବା ଦୁର୍ଗାଦେବୀ ମନ୍ଦିର ବୁଲି ଦେଖିବା ସହିତ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ ସେହି ସ୍ଥାନର ଉନ୍ନୟନ କାର୍ଯ୍ୟ ସକାଶେ ୨୦ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିଲେ।

ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଦ୍ୟାବଧି ହୋଇଥିବା ପ୍ରତ୍ନତାତ୍ତ୍ୱିକ ଉତ୍‌ଖନନ ଓ ସର୍ବେକ୍ଷଣ ଦ୍ୱାରା ବହୁ ସହରୀ ସଭ୍ୟତାର ଅନୁସନ୍ଧାନ ମିଳିଅଛି। ସେଗୁଡ଼ିକ ମଧ୍ୟରେ ଯାଜପୁର ଜିଲ୍ଲାର ରାଧାନଗର, ଖୋର୍ଦ୍ଧା ଜିଲ୍ଲାର ଶିଶୁପାଳଗଡ଼ ଓ ତାଳପଡ଼ା, ଗଞ୍ଜାମ ଜିଲ୍ଲାର ଜଉଗଡ଼ ଓ ଲାଠି ଏବଂ ପଶ୍ଚିମ ଓଡ଼ିଶାର ଅସୁରଗଡ଼, ବୁଢ଼ୀଗଡ଼, ତାରପୁରଗଡ଼ ଇତ୍ୟାଦିର ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ ପୁଙ୍ଖାନୁପୁଙ୍ଖ ଭାବେ ହୋଇଛି। ଏଥିରୁ ପ୍ରମାଣିତ ହେଉଅଛି ଯେ ଖ୍ରୀ.ପୂ. ୪ର୍ଥ ଶତାବ୍ଦୀଠାରୁ ପ୍ରାୟ ଏକ ହଜାର ବର୍ଷ ପର୍ଯ୍ୟନ୍ତ ପ୍ରାଚୀନ ଓଡ଼ିଶାରେ ବହୁ ସମୃଦ୍ଧ ନଗରୀମାନ ଗଢ଼ି ଉଠିଥିଲା। କିନ୍ତୁ ଅଦ୍ୟାବଧି ଉତ୍ତର ଓଡ଼ିଶାରୁ ଏପରି କୌଣସି ସମୃଦ୍ଧ ପ୍ରତ୍ନତାତ୍ତ୍ୱିକ ଅବଶେଷର ସନ୍ଧାନ ମିଳିନଥିଲା, ଯଦିବା ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ପ୍ରାଗ୍‌ଐତିହାସିକ ସଭ୍ୟତାଠାରୁ ଆରମ୍ଭ କରି ବୌଦ୍ଧ, ଜୈନ ଓ ନୌବାଣିଜ୍ୟର ବହୁ ପ୍ରମାଣ ମିଳିଛି। ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ-ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ୨୦୧୯-୨୦ ମସିହାରେ ବୁଢ଼ାବଳଙ୍ଗ ଓ ସୋଣ ନଦୀ ଅବବାହିକା ଅଞ୍ଚଳରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସମୟରେ ରେମୁଣା ବ୍ଲକ୍‌ ଅଞ୍ଚଳରେ ଦୁର୍ଗାଦେବୀ ଓ ବାଲେଶ୍ୱର ସହର ସନ୍ନିକଟ ରଣସାହିଠାରେ ସହରୀ ସଭ୍ୟତାର ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଉପଲବ୍ଧ ହୋଇଥିଲା। ଦୁର୍ଗାଦେବୀ, ବାଲେଶ୍ୱର ଜିଲ୍ଲାର ରେମୁଣା ତହସିଲ ଅନ୍ତର୍ଗତ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ବାଲେଶ୍ୱର ସହରଠାରୁ ୨୦ କିମି ଦୂରରେ ଅବସ୍ଥିତ।


ବର୍ତ୍ତମାନ ଆଜକୁ ପ୍ରାୟ ୨୫୦୦ ବର୍ଷ ତଳର ଦୁର୍ଗାଦେବୀ ପ୍ରାଚୀନ ସହର ବୁଢ଼ାବଳଙ୍ଗ ଓ ସୋଣ ନଦୀ ଅବବାହିକାର ମଧ୍ୟ ଭାଗରେ ୫ କିଲୋମିଟର ପରିଧିବିଶିଷ୍ଟ ମାଟି ନିର୍ମିତ ପ୍ରାକାର ଦ୍ୱାରା ପରିବେଷ୍ଟିତ ଥିଲା। ଉଭୟ ପାଶ୍ୱର୍ରେ ଗଙ୍ଗାହାର ଓ ପ୍ରସନ୍ନ ନାଳା ଗଡ଼ଖାଇ ଭାବରେ ଅଦ୍ୟାବଧି ମଧ୍ୟ କାର୍ଯ୍ୟ କରୁଛି, ଯାହା ବୁଢ଼ାବଳଙ୍ଗ ଓ ସୋଣ ନଦୀ ସହ ରେମୁଣା ନିକଟରେ ମିଶିଅଛି । ଉତ୍‌ଖନନରୁ ଏହି ସମୟର ପ୍ରାଚୀନ ମାଟିପାତ୍ର, ମାଟି ନିର୍ମିତ ଅଳଙ୍କାର, ମାଟି ନିର୍ମିତ ଖେଳଣା, ଲୁହା କଣ୍ଟା ଇତ୍ୟାଦି ମିଳିଛି। ପରବର୍ତ୍ତୀ ଲୌହ ଯୁଗ ସମୟର ଲୁହାର ସ୍ଲାଗ୍‌, ଭାଲାର ଅଗ୍ରଭାଗ, କଣ୍ଟା ଇତ୍ୟାଦି ସହ କଳା ଓ ଲାଲ ରଙ୍ଗର ମାଟିପାତ୍ର ସହ ଚିକ୍କଣ କଳା ରଙ୍ଗ ଥିବା ମାଟିପାତ୍ର ମିଳିଛି।
ପ୍ରଥମ ପର୍ଯ୍ୟାୟ ଉତ୍‌ଖନନରୁ ଓଡ଼ିଶାର ପ୍ରାଚୀନ ସଂସ୍କୃତିର ବିକାଶର ପ୍ରାମାଣିକ ତଥ୍ୟ ବିଶେଷ ଭାବେ ମୃଣ୍ମୟପାତ୍ର, ଲୌହ ସାମଗ୍ରୀ ଏବଂ ତାମ୍ରଯୁଗୀୟ ଘରର ନକ୍ସା ଆଦି ଉପଲବ୍ଧ ହୋଇସାରିଛି । ଓଡ଼ିଶାର ପ୍ରାଗ୍‌ଐତିହାସିକ ଯୁଗ ଯାହାକି ଏଠାରେ ତାମ୍ର-ପାଷାଣ ଯୁଗ ସମସାମୟିକ ଖ୍ରୀଷ୍ଟପୂର୍ବ ୨୧୦୦ରୁ ୧୦୦୦ ସମୟରେ ଓଡ଼ିଶା ଉନ୍ନତ କୃଷି ସଭ୍ୟତାର ବିକାଶ ଏବଂ ପରେ ପରେ ଖ୍ରୀଷ୍ଟପୂର୍ବ ୧୫୦୦ରୁ ୬୦୦ ବର୍ଷ ସମୟର ଲୌହଯୁଗର ବିକାଶ ଏବଂ ଉନ୍ନତ ଲୌହ ସାମଗ୍ରୀର ବହୁଳ ବ୍ୟବହାର ଏବଂ ପରବର୍ତ୍ତୀ ସମୟରେ ଖ୍ରୀଷ୍ଟପୂର୍ବ ୪୦୦ ବେଳକୁ ସହରୀ ସଭ୍ୟତାର ବିକାଶର ଚିତ୍ର ଓଡ଼ିଶା ତଥା ପୂର୍ବ ଭାରତରେ ଏକ ଦୃଷ୍ଟାନ୍ତ ଦୁର୍ଗାଦେବୀରୁ ପ୍ରାପ୍ତ ହୋଇଛି।
ଦୁର୍ଗାଦେବୀରୁ ୨୦୨୦-୨୧ ବର୍ଷର ଉତ୍‌ଖନନ ସମୟରେ ତାମ୍ର ପାଷାଣ ଯୁଗର (ଖ୍ରୀଷ୍ଟପୂର୍ବ ୨୦୦୦-୧୦୦୦) କଳାରଙ୍ଗରେ ଚିତ୍ରିତ ଲାଲ୍‌ ମାଟିପାତ୍ର, କଳା ଓ ଲାଲ ମାଟିପାତ୍ର, ତାମ୍ର ନିର୍ମିତ ବସ୍ତୁ ମିଳିବା ଏକ ପ୍ରମୁଖ ଘଟଣା। ସେହି ସମୟର ବୃତ୍ତାକାର ବାସଗୃହର ସନ୍ଧାନ ମଧ୍ୟ ମିଳିଛି, ଯାହାର ଚଟାଣ ଲାଲ ମାଟି ଓ ଗେଙ୍ଗୁଟି ଦ୍ୱାରା ଲିପା ଯାଇଥିବାରୁ ପ୍ରମାଣ ରହିଛି। ଏହି ସମୟରେ ଲୋକମାନେ ସ୍ଥାୟୀ ଭାବରେ ବସବାସ କରିବା ସହ ପଶୁପାଳନ ଓ କୃଷି କାର୍ଯ୍ୟ କରୁଥିବାର ଅନୁମାନ କରାଯାଏ। ତାମ୍ର ପାଷାଣ ଯୁଗର ମାଟି ନିର୍ମିତ ଅଳଙ୍କାର ଖେଳଣା ଓ ତାମ୍ର ନିର୍ମିତ ବସ୍ତୁ ଉତ୍‌ଖନନରୁ ପ୍ରାପ୍ତ ହୋଇଛି । ଓଡ଼ିଶାର ପ୍ରାଗ୍‌ଐତିହାସିକ ଯୁଗ ଯାହାକି ଏଠାରେ ତାମ୍ର ପାଷାଣ ଯୁଗର ସମସାମୟିକ ଖ୍ରୀଷ୍ଟପୂର୍ବ ୨୦୦୦-୧୦୦୦ ସମୟରେ ବିକଶିତ ହୋଇଥିଲା।

ଦୁର୍ଗାଦେବୀ ଉତ୍‌ଖନନରୁ ତାମ୍ର-ପାଷାଣ ଯୁଗର ପରବର୍ତ୍ତୀ ଲୌହ ଯୁଗ (ଖ୍ରୀଷ୍ଟପୂର୍ବ ୧୦୦୦-୪୦୦) ସମୟର ଲୁହାର ସ୍ଲାଗ୍‌, ଭାଲାର ଅଗ୍ରଭାଗ, କଣ୍ଟା ଇତ୍ୟାଦି ସହ କଳା ଓ ଲାଲ ରଙ୍ଗର ମାଟିପାତ୍ର ସହ ଚିକ୍କଣ କଳା ରଙ୍ଗ ଥିବା ମାଟିପାତ୍ର ମିଳିଛି । ଏହି ସମୟର ପ୍ରାଚୀନ ମାଟିପାତ୍ର, ମାଟି ନିର୍ମିତ ଅଳଙ୍କାର, ମାଟି ନିର୍ମିତ ଖେଳଣା, ଲୁହାକଣ୍ଟା ଇତ୍ୟାଦି ମିଳିଛି। ଏହି ସମୟରେ ଏଠାକାର ଅଧିବାସୀମାନଙ୍କର ଜୀବନଶୈଳୀ କିଛି ମାତ୍ରାରେ ଉନ୍ନତ ଥିଲା ଓ ଲୋକମାନେ ଆର୍ଥିକ ଅଭିବୃଦ୍ଧି ନିମନ୍ତେ କୃଷି ଓ କୃଷିଜାତ ବିଭିନ୍ନ ପ୍ରକାରର ଶସ୍ୟ ଉପରେ ନିର୍ଭର କରୁଥିଲେ। ଏହି ସମୟରେ ଲୌହ ସାମଗ୍ରୀର ବହୁଳ ବ୍ୟବହାର ଓ ତା’ମାଧ୍ୟମରେ ସହରୀ ସଭ୍ୟତାର ବିକାଶର ଚିତ୍ର ଉତ୍ତର ଓଡ଼ିଶାରେ ଦେଖିବାକୁ ମିଳେ । ପ୍ରତ୍ନତତ୍ତ୍ୱବିଦ୍‌ମାନେ ମହାନଦୀର ଉପର ଓ ମଧ୍ୟ ଉପତ୍ୟକାରେ ଅନେକ ଲୌହଯୁଗୀୟ ସଭ୍ୟତାର ସନ୍ଧାନ ପାଇଥିବାବେଳେ ଉତ୍ତର ଓଡ଼ିଶାରେ ଦୁର୍ଗାଦେବୀଠାରେ ଏହା ପ୍ରଥମ ଥର ପାଇଁ ମିଳିଛି।
ଦୁର୍ଗାଦେବୀରୁ ପ୍ରାଚୀନ ଐତିହାସିକ (ଖ୍ରୀଷ୍ଟପୂର୍ବ ୪୦୦-୧୦୦) ସମୟର ଲାଲ ମାଟିପାତ୍ର, କଳା ଓ ଲାଲ ମାଟିପାତ୍ର, ଧୁସର ରଙ୍ଗର ମାଟିପାତ୍ର ବହୁଳ ଭାବରେ ମିଳିଛି। ଏହି ସମୟର ମାଟି ନିର୍ମିତ ଅଳଙ୍କାର, ମାଳି, ଖେଳଣା, ଚକ ଇତ୍ୟାଦି ମିଳିଛି। ଉତ୍‌ଖନନରୁ ମାଙ୍କଡ଼ା ପଥରରେ ନିର୍ମିତ ଏକ କାନ୍ଥର ଭଗ୍ନାବଶେଷ ମିଳିଛି। ଏହି ସମୟରେ ସହରୀ ସଭ୍ୟତାର ବିକାଶ ସହ ଦୁର୍ଗାଦେବୀର ଚତୁଃପାଶ୍ୱର୍ରେ ମାଟିନିର୍ମିତ ପ୍ରାଚୀର ଦେଖିବାକୁ ମିଳେ। ଉତ୍‌ଖନିତ ବସ୍ତୁ ଓ ସହରୀ ସଭ୍ୟତାର ବିକାଶ ପ୍ରମାଣିତ କରେ ଯେ ଏହି ସମୟରେ ବାଣିଜ୍ୟ-ବ୍ୟବସାୟର ପ୍ରସାର ହୋଇଥିଲା।
ଦୁର୍ଗାଦେବୀର ବୈଜ୍ଞାନିକ ସମୟ ନିରୁପଣ ନିମନ୍ତେ ୟୁ.ଜି.ସିର ପରୀକ୍ଷାଗାର, ନୂଆଦିଲ୍ଲୀ ସହିତ ପରୀକ୍ଷଣ ନିମନ୍ତେ ଯୋଗାଯୋଗ କରାଯାଇଛି। କୋଭିଡ୍‌ ମହାମାରୀ ଯୋଗୁଁ ଉତ୍‌ଖନନ କାର୍ଯ୍ୟ ବନ୍ଦ ରହିଛି। କିନ୍ତୁ ଦୁର୍ଗାଦେବୀର ଚତୁଃପାଶ୍ୱର୍ରେ ସର୍ବେକ୍ଷଣ କାର୍ଯ୍ୟ ସମୟରେ ରେମୁଣା ବ୍ଲକ୍‌ର କୁଳଟାବ୍ରହ୍ମପୁର ଓ ବଡ଼ସାହି ବ୍ଲକ୍‌ର ଭିମଦାଠାରେ ପ୍ରାଚୀନ ସଭ୍ୟତାର ପ୍ରତ୍ନତାତ୍ତ୍ୱିକ ଅବଶେଷ ମିଳିଛି।
ସଂପ୍ରତି ବାଲେଶ୍ୱର ଜିଲ୍ଲା ଆଜକୁ ୪୦୦୦ ବର୍ଷ ପୂର୍ବରୁ ଉନ୍ନତ କୃଷି ସଂସ୍କୃତି ରହିଥିବା ସଙ୍ଗେ ସଙ୍ଗେ ସହରୀକରଣ ଆଜିଠାରୁ ୨୪୦୦ ବର୍ଷ ପୂବେ ଆରମ୍ଭ ହୋଇଥିବା ପ୍ରମାଣ ହସ୍ତଗତ ହୋଇଛି । ଏହା ଓଡ଼ିଶାର ଇତିହାସ ଓ ସଂସ୍କୃତିର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଭାରତ ଇତିହାସକୁ ରୁଦ୍ଧିମନ୍ତ କରିବାରେ ସାହାଯ୍ୟ କରୁଛି । ଏଥିରେ ନିୟୋଜିତ ପ୍ରତ୍ନତାତ୍ତ୍ୱବିଦ୍‌ ଏବଂ ଗବେଷକଙ୍କ ଅନୁସନ୍ଧାନ ଜାରି ରହିଛି, ଯାହାକି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ମାଧ୍ୟମରେ ଗବେଷଣା ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ପରବର୍ତ୍ତୀ ସମୟର ଉତ୍‌ଖନନରୁ ଦୁର୍ଗାଦେବୀଠାରେ ପ୍ରାଚୀନ ସହରୀ ସଭ୍ୟତା ସହ ଲୌହ ଓ ତାମ୍ର ପାଷାଣ ଯୁଗର ବଳିଷ୍ଠ ପ୍ରମାଣ ମିଳିବା ଆଶା କରାଯାଏ।

ସେହିପରି ବାଲେଶ୍ୱର ସହରରେ ଥିବା ଇଂରେଜମାନଙ୍କ ସମାଧିସ୍ଥଳ ‘ବୁର୍ଜଖାନା’ ପରିଦର୍ଶନ କରି ତା’ର ରକ୍ଷଣାବେକ୍ଷଣ ପାଇଁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଘୋଷଣା କରିଥିଲେ। ଏଥି ପାଇଁ ବାଲେଶ୍ୱର ପୌରପାଳିକା ୨୫ ଲକ୍ଷ ଟଙ୍କାର ଏକ ବଜେଟ୍‌ ପ୍ରସ୍ତୁତ କରିଛି, ଯାହାକୁ ମଞ୍ଜୁର କରାଯାଇପାରେ। ତାଙ୍କର ଗସ୍ତବେଳେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲ୍ଲାସ୍ତରୀୟ ଅନ୍ୟାନ୍ୟ ବରିଷ୍ଠ ଅଧିକାରଗଣ ଉପସ୍ଥିତ ଥିଲେ। ପ୍ରତ୍ନତତ୍ତ୍ୱବିତ୍‌ ଡ. ସୁନୀଲ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଥମ ପର୍ଯ୍ୟାୟ ପ୍ରତ୍ନତାତ୍ତ୍ୱିକ ଉତ୍‌ଖନନ କାର୍ଯ୍ୟ ମାର୍ଚ୍ଚ ୨୦୨୧ରେ ଆରମ୍ଭ ହୋଇ ମଇ ମାସ ୫ ତାରିଖ ଯାଏଁ ଚାଲୁ ରହିଥିଲା।

Comments are closed.