ଟିପିଏସଏଲ ବିସ୍ଫୋରଣ: ଗୁରୁତର ଆହତ ଶ୍ରମିକଙ୍କ ମଧ୍ୟରୁ ଜଣେ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ରେ ଥିବା ଠାକୁର ପ୍ରସାଦ ସାଓ ଲିମିଟେଡ(ଟିପିଏସଏଲ) ସ୍ପଞ୍ଜ ଆଇରନ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ଦୁର୍ଘଟଣାରେ ଗୁରୁତର ଥିବା ଜଣେ ଶ୍ରମିକଙ୍କ ଆଜି ମୃତ୍ୟୁ ହୋଇଛି। ମୃତକ ଶ୍ରମିକ ଭଦ୍ରକ ଜିଲା ଚାନ୍ଦବାଲି ପଞ୍ଚପଡ଼ାର ମୂଳ ନିବାସୀ ଆନନ୍ଦ ଚନ୍ଦ୍ର ସାହୁ(୫୫) ବୋଲି ଜଣାପଡ଼ିଛି। ୨ତାରିଖ ଦୁର୍ଘଟଣା ପରେ ଆନନ୍ଦଙ୍କୁ ଅନ୍ୟ ଶ୍ରମିକମାନଙ୍କ ସହ ରାଉରକେଲା ଆଇଜିଏଚକୁ ନିଆଯାଇଥିଲା। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତରମାନେ ୩ତାରିଖରେ ଭୁବନେଶ୍ୱର ନେଇ ଯିବାକୁ ପରାମର୍ଶ ଦେଇଥିଲେ। ସହକର୍ମୀମାନେ ଭୁବନେଶ୍ୱର ସମ୍‌ ହସ୍ପିଟାଲକୁ ନେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ କରୋନା ଆଶଙ୍କାରେ ୨ଦିନ ଆଇସୋଲେସନରେ ରଖି ସ୍ୱାବ୍‌ ନମୁନା ପରୀକ୍ଷା ପାଇଁ ପଠାଇଥିଲେ। ୫ତାରିଖ ରିପୋର୍ଟ ନେଗେଟିଭ ଆସିବା ପରେ ପୋଡ଼ାଜଳା ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଇସିୟୁରେ ରଖାଯାଇଥିଲେ ହେଁ ଆନନ୍ଦଙ୍କ ପ୍ରାଣରକ୍ଷା ସମ୍ଭବ ହୋଇ ନ ଥିଲା। ମଙ୍ଗଳବାର ଭୋରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

Comments are closed.