ଟିପିକଲ କର୍ତ୍ତୃପକ୍ଷଙ୍କ ଉପଭୋକ୍ତା ମାରଣନୀତି ଅନ୍ତ ଘଟିବ କେବେ?

ଅଘୋଷିତ ବିଜୁଳିକାଟ ପାଇଁ ଉପଭୋକ୍ତା ଅତିଷ୍ଠ

ଗୁରୁଡିଝାଟିଆ : ଅସାରାଏ ବର୍ଷା ହେଉ କି ସୁଲୁସୁଲିଆ ପବନ ହେଉ ବିଦ୍ୟୁତ୍ କାଟ ଏକ ନିତିଦିନିଆ ଘଟଣା ହୋଇଗଲାଣି। ଉପଭୋକ୍ତାମାନେ ଆଶା ରଖିଥିଲେ ସେସୁ କର୍ତ୍ତୃପକ୍ଷ ଙ୍କ ହାତରୁ ଟିପିକଲ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା କଲେ ଅଘୋଷିତ ବିଜୁଳିକାଟର କମିବ। ହେଲେ ଏହି ଆଶା ଉପଭୋକ୍ତାଙ୍କ ଆଶାରେ ରହିଯାଇଛି। ଏବେବି ନିମ୍ନମାନର ବିଦ୍ୟୁତ୍ ଯନ୍ତ୍ରାଂଶ ପାଇଁ ବିଦ୍ୟୁତ ବିଭ୍ରାଷ୍ଟ ହେଉଛି। ବହୁ ସ୍ଥାନରେ ବିଦ୍ୟୁତ୍ ତାରଗୁଡିକ ବଦଳାଉନଥିବାରୁ ସାମାନ୍ୟ ପବନରେ ଛଡିଯାଉଛି। ଏଭଳି ଘଟଣା ଗୁରୁଡିଝାଟିଆ ଅଞ୍ଚଳରେ ନୀତିଦିନିଆ ହୋଇଗଲାଣି। ଗୁରୁଡିଝାଟିଆଅଞ୍ଚଳର ଗୁରୁଡିଝାଟିଆ,ଗୋବରା,ଛଅଗାଁ, ଓରନ୍ଦା, ରାଧାକିଶୋରପୁର,କୁଷ୍ପଙ୍ଗି ଓ ନଦୀକୂଳ ଅଞ୍ଚଳର ମଞ୍ଚେଶ୍ୱର,କଖଡି,ଘଣ୍ଟିଖାଲ,ଅନନ୍ତପୁର,ଧୁରୁଷିଆ,କଟକିଆସାହି ଆଦି ପଞ୍ଚାୟତମାନଙ୍କରେ ମଧ୍ୟ ଅଘୋଷିତ ବିଜୁଳିକାଟ ମାତ୍ରାଧିକ ହେଉଛି। ଛତିଶା ନିକଟରୁ ଚୌଦ୍ୱାର ଗ୍ରୀଡରୁ ଆସିଥିବା ବିଦ୍ୟୁତ ଦୁଇଭାଗରେ ବିଭକ୍ତ ହୋଇ ଗୋଟିଏ ଗୁରୁଡିଝାଟିଆ ଅଞ୍ଚଳକୁ ଯାଉଛି ଓ ଅନ୍ୟଟି ନଦୀକୂଳ ଅଞ୍ଚଳକୁ ଯାଉଛି। ଅଘୋଷିତ ବିଦ୍ୟୁତକାଟ ସଂପର୍କରେ ଆଠଗଡ ଟିପିକଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କଲେ ଅଧିକାଂଶ କ୍ଷେତ୍ରରେ ସନ୍ତୋଷଜନକ ଉତ୍ତର ମିଳୁନାହିଁ।ଚତୁର୍ମାସିଆ ସମୟରେ ବିଦ୍ୟୁତ୍କାଟ ବିଶେଷତଃ ରାତ୍ରୀ ସମୟରେ ବିଦ୍ୟୁତ କାଟ ଯୋଗୁଁ ସରୀସୃପଙ୍କ ଭୟରେ ଲୋକମାନେ ଘରୁ ବାହାରିବାକୁ ସୁରକ୍ଷିତ ମଣୁନାହାନ୍ତି। ସହଜେ ଗୁରୁଡିଝାଟିଆ ଅଞ୍ଚଳରେ ହାତୀ ଉପଦ୍ରମ ମଧ୍ୟ ଦେଖାଦେଉଛି। ଏଭଳିସ୍ଥିତିରେ ବିଦ୍ୟୁତ କାଟ ଲୋକମାନଙ୍କ ଚିନ୍ତା ବଢାଇଦେଇଛି। ଅଘୋଷିତ ବିଦ୍ୟୁତ୍ କାଟ ଅନ୍ତ ନଘଟିଲେ ସ୍ଥାନୀୟ ଅଞ୍ଚଳର ଉପଭୋକ୍ତାମାନେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।

Comments are closed.