ଭଟ୍ଟାରିକା ଶିଶୁ ଉଦ୍ୟାନର ଖେଳନା ଟ୍ରେନ ପ୍ରକଳ୍ପ ଭାଙ୍ଗି ଚୁରମାର

 ଲକ୍ଷ୍ୟଚ୍ୟୁତରୁ ମାଟିରେ ମିଶିଲା ଲକ୍ଷାଧିକ ଟଙ୍କାର ପ୍ରକଳ୍ପ

ବଡ଼ମ୍ବା :  ଲକ୍ଷେ ନୁହେଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଖର୍ଚ୍ଚ କରୁଛନ୍ତି ପର୍ଯ୍ୟଟନ କେନ୍ଦ୍ରର ବିକାଶରେ । ତନ୍ମଧ୍ୟରୁ ପର୍ଯ୍ୟଟନ କ୍ଷେତ୍ର କଟକ ଜିଲା ବଡ଼ମ୍ବା ବ୍ଲକର ଶଶାଙ୍ଗ ଗ୍ରାମସ୍ଥିତ ମା ଭଟ୍ଟାରିକାଙ୍କ ପୀଠ ଅନ୍ୟତମ, ଯେଉଁଠାରେ ଲକ୍ଷାଧିକ ଟଙ୍କାର ପ୍ରକଳ୍ପ କାମରେ ନଆସି ମାଟିରେ ମିଶୁଥିବା ଅନୁସଂଧାନରୁ ଜଣାଯାଇଛି । ଜନସଧାରଣଙ୍କ ବୃହତର ସ୍ୱାର୍ଥ ଦୃଷ୍ଠିକୁ ରଖି ମା ଭଟ୍ଟାରିକାଙ୍କ ମନ୍ଦିର ସଂଲଗ୍ନରେ କରାଯାଇଛି ଏକ ଶିଶୁ ଉଦ୍ୟାନ। ସଂପୃକ୍ତ ଶିଶୁ ଉଦ୍ୟାନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ପିଲାଙ୍କ ଖେଳ କୌତୁକ ସାଙ୍ଗକୁ ଶୌଚାଳୟ,ଭୋଜି ମଣ୍ଡପ ଆଦି ଅନେକ ଆକର୍ଷଣୀୟ ତଥା ଜନହିତାଧିକାରୀ ବ୍ୟବସ୍ଥା ଏହି ଉଦ୍ୟାନରେ ରହିଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଅଟକଳରେ କରାଯାଇଥିଲା ଅତ୍ୟାଧୁନିକ ଖେଳନା (ଟଏ)ଟ୍ରେନ ବ୍ୟବସ୍ଥା ।  କିନ୍ତୁ ବିଡ଼ମ୍ବନା ଉକ୍ତ ଖେଳନା ଟ୍ରେନ ସୁଚାରୁରୁପେ ଚାଲିବା ପୂର୍ବରୁ ଏବେ ଏହା ଭାଙ୍ଗିକି ଚୁରମାର ହୋଇଛି। ଉଦ୍ୟାନ ଭିତରେ ଏଣେ ତେଣେ ଏହାର ଭଙ୍ଗାରୁଜା ଅଂଶ ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି।

ପ୍ରକାଶଥାଉକି ଏହି ପ୍ରକଳ୍ପ ଚାଲିବାରେ ବିଳମ୍ବ ନେଇ ପ୍ରାୟ ଦୁଇବର୍ଷ ତଳେ ପ୍ରକଳ୍ପର ଉଦ୍ୟୋକ୍ତା ଭାବେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ସ୍ଥିତି ପରଖିବା ସହିତ ବିଭାଗୀୟ କର୍ତ୍ତୃପକ୍ଷ ତଥା ସଂପୃକ୍ତ ଠିକାଦାର ସଂସ୍ଥାକୁ ତୁରନ୍ତ କାମ ସାରିବାକୁ ତାଗିଦ କରିଥିଲେ। ହେଲେ ବିଡ଼ମ୍ବନା କରୋନା ମହାମାରୀ କାରଣରୁ ଗତ ଦୁଇବର୍ଷ ହେବ ପର୍ଯ୍ୟଟନ ଶିଳ୍ପ ବାଧାପ୍ରାପ୍ତ ହେଲା ଏବଂ ହୁଏତ ସେହି କାରଣରୁ ଏହି ମନୋରମ ଶିଶୁ ଉଦ୍ୟାନଟି ଅଣଦେଖାରୁ ଧ୍ୱଂସାଭିମୁଖୀ ହେଲା। ଦୁର୍ବୁତ୍ତ ମାନେ ଏହାର ସୁଯୋଗ ନେଇ ବ୍ୟବହାର ପୂର୍ବରୁ ଶିଶୁ ଉଦ୍ୟାନର ଟଏ ଟ୍ରେନ ଭାଙ୍ଗିବା ସହିତ ଅନେକ ମଡେଲ ମୂର୍ତ୍ତି ମଧ୍ୟ ଭାଙ୍ଗିଛନ୍ତି। ସେସବୁର କିଛି ଯନ୍ତ୍ରାଂଶ ମଧ୍ୟ ଚୋରୀ ହୋଇଯାଇଥିବା ଅନ୍ୟତମ ପରିତାପର ବିଷୟ । ପର୍ଯ୍ୟଟନର ବିକାଶ ଲାଗି ପର୍ଯ୍ୟଟନସ୍ଥଳିରେ ପାନ୍ଥନିବାସ,ବାଖ୍ୟାନ କେନ୍ଦ୍ର,ଉଦ୍ୟାନ ସମେତ ଅନେକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କରାଯାଉଛି ସତ; ହେଲେ ଏହାର ସ୍ଥାୟୀ ରକ୍ଷଣାବେକ୍ଷଣ ଦିଗରେ ବ୍ୟବସ୍ଥା କରାନଯିବା ଦ୍ୱାରା ବିକାଶ ଲକ୍ଷଚ୍ୟୁତ ହେଲା ଭଳି ପ୍ରତୀୟମାନ ହେଉଛି । ଫଳସ୍ୱରୁପ ପ୍ରକଳ୍ପ ଲୋକଙ୍କ କାମରେ ନଆସି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହେଉଥିବା ଦେଖାଯାଉଛି । ଆଗାମୀ ପର୍ଯ୍ୟଟନ ଋତୁ ଆଗରୁ ଏହି ଉଦ୍ୟାନର ପୂର୍ବାବସ୍ଥା ଫେରିବା ନେଇ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

Comments are closed.