ସାରନଗରୀରେ କେବେ ଗଡ଼ିବ ଟାଉନ ବସର ଚକା?

ସାରନଗରୀ : ସାଧାରଣ ଜନତାଙ୍କ ଯାତାୟତ ନିମନ୍ତେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାଉରକେଲାର ବିଭିନ୍ନ ଅଂଚଳରେ ଟାଉନ ବସ୍ ଚଳାଚଳ କରାଯାଉଛି। ମାତ୍ର ବର୍ତମାନ ସୁଦ୍ଧା ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଅଂଚଳ ଏଥିରୁ ବାଦ ପଡ଼ିଛି । ଏହାକୁ ନେଇ ବୁଦ୍ଧିଜିବୀ ମହଲରେ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇଛି। ମଧ୍ୟବିତ ଓ ଗରିବ ଶ୍ରେଣୀୟ ଲୋକମାନଙ୍କ ପାଇଁ ବସ୍ ଏକ ସୁଲଭ ମାଧ୍ୟମ ।

ପ୍ରକାଶ ଥାଉକି, ଦୀର୍ଘ ପ୍ରାୟ ୧୦ ବର୍ଷ ହେଲା ସାରନଗରୀରୁ ରାଉରକେଲାର ଅନ୍ୟାନ ଅଂଚଳକୁ ଟାଉନବସ ଆଦୌ ଚଳାଚଳ କରୁନାହିଁ। ଯାହା ଫଳରେ ସାରନଗରୀ ବାସିନ୍ଦାଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବସ ନଥିବା ଯୋଗୁ ଲୋକେ ବାଧ୍ୟ ହୋଇ ଅଟୋରେ ଅଧିକ ଭଡ଼ା ଦେଇ ଯାତାୟତ କରୁଛନ୍ତି । ସାରନଗରୀରୁ ରାଉରକେଲାର ସାରନା ଛକ, ଟ୍ରାଫିକ ଗେଟ, ବିଶ୍ରାଛକ ଯିବାକୁ ହେଲେ ଜଣେ ଯାତ୍ରୀ ପିଛା ୩୦ ଟଙ୍କା ଦେବାକୁ ପଡ଼ୁଛି । ଦକ୍ଷିଣ ରାଉରକେଲାର ନବକୃଷ୍ଣନଗର, ଭଂଜକଲୋନୀ, ବାଲିଯୋଡ଼ି, ଧରମଡ଼ିହି, ବଡ଼ ସୋନାପର୍ବତ, ଆଇଡ଼ିଏଲ, ଗୋପବନ୍ଧୁନଗର ଆଦି ଅଂଚଳ ରାଉରକେଲା ମହାନଗର ନିଗମର ଅନ୍ତର୍ଗତ ଆସୁଥିଲେ ହେଁ, ଆଜିଯାଏ ଆରଏମସି ତରଫରୁ ଟାଉନବସ ଚଳାଚଳ ଉପରେ ଏତେଟା ଗୁରୁତ୍ୱ ଦିଆଯାଉନାହିଁ, ଯାହାକୁ ନେଇ ଅଂଚଳରେ ବସବାସ କରୁଥିବା ବାସିନ୍ଦାଙ୍କ ମଧ୍ୟ ଅସନ୍ତୋଷ ସ୍ପଷ୍ଟ ରୂପେ ବାରି ହୋଇ ପଡୁଛି । ସେହିପରି ପ୍ରାୟ ଏକ ବର୍ଷ ହେବ ଏକ ଘରୋଇ ବସ ମତକମଝରନରୁ ରାଉରକେଲା ସାରନଗରୀ ଅଂଚଳ ଦେଇ ଚଳାଚଳ କରୁଥିଲେ ହେଁ, ପରବର୍ତୀ ଅବସ୍ଥାରେ ତାହା ବନ୍ଦ ହୋଇ ଯାଇଥିଲା ।

ବିଶେଷ କରି ବୟସ୍କ ଲୋକ, ମହିଳା, ଛାତ୍ରଛାତ୍ରୀ ଟାଉନ ବସ ନଚାଲିବା ଯୋଗୁ ହଇରାଣ ହରକତର ସମ୍ମୁଖୀନ ହେଉଛନ୍ତି । ସାରନଗରୀର ବହୁ ଛାତ୍ରଛାତ୍ରୀ ରାଉରକେଲା ମ୍ୟୁନିସିପାଲ କଲେଜ, ସୁଶୀଳାବତୀ ସରକାରୀ ମହିଳା କଲେଜ, ହୃଷିକେଷ ରାୟ କଲେଜ, କଲ୍ୟାଣୀରାୟ ମହାବିଦ୍ୟାଳୟ, ଗାନ୍ଧି କଲେଜ, ରାଉରକେଲା ସରକାରୀ କଲେଜ, ପାନପୋଷ ସ୍ୱୟଂଶାସିତ ସରକାରୀ ମହାବିଦ୍ୟାଳୟ, ସେକ୍ଟର-୨୦ ସ୍ଥିତ ୟୁଜିଏମ କଲେଜ, ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରନ୍ତି ବୋଲି ଅଭିଭାବକ ନୀଳୟ ଶତପଥି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ପୂର୍ବରୁ ନିଜ ମହାବିଦ୍ୟାଳୟର ପରିଚୟ ପତ୍ର ଦେଖାଇ ଅଧା ମୂଲ୍ୟରେ ଟାଉନ ବସରେ ଛାତ୍ରଛାତ୍ରୀ ଯିବା ଆସିବା କରିବା ଦେଖିବାକୁ ମିଳୁଥିଲା, ଯାହାକି ଏବେ ସାତସପନ ପାଲଟିଛି। ବର୍ତମାନ ସାରନଗରୀକୁ ଟାଉନବସ ନଥିବା ଯୋଗୁ ଛାତ୍ରୀ ମାନଙ୍କୁ ଅଟୋରେ ଖର୍ଚ୍ଚାନ୍ତ ହୋଇ କଲେଜ ଯିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି । ସେହିପରି ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ରାଉରକେଲା ସରକାରୀ ହସ୍ପିଟାଲ ଓ ଇସ୍ପାତ ଜେନେରାଲ ହସ୍ପିଟାଲକୁ ପ୍ରତିଦିନ ଯାତାୟତ କରୁଥିବା ବହୁ ରୋଗୀ ବଡ଼ କଷ୍ଟରେ ଅଟୋରେ ଯାତାୟତ କରୁଥିବା ସାରନଗରୀ ଅଂଚଳର ବାସିନ୍ଦା ବନବାସ ସାହୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଦକ୍ଷିଣ ରାଉରକେଲା ରଙ୍ଗୋଲି ଛକ ସଂଲଗ୍ନ ଏନଏଚ-୧୪୩ ରାସ୍ତା କଡ଼ରେ ସାରନଗରୀ ବାସିନ୍ଦା ରାଉରକେଲାର ବିଭିନ୍ନ ଅଂଚଳକୁ ଯିବା ପାଇଁ ଲାଠିକଟା, ବଣାଇଁ, କୋଇଡ଼ାରୁ ଆସୁଥିବା ବସ ଉପରେ ନିର୍ଭର କରିବା ଦେଖିବାକୁ ମିଳୁଛି, ଏଣୁ ଯଥାଶୀଘ୍ର ସାରନଗରୀ ଅଂଚଳକୁ ସରକାରୀ ଅବା ବେସରକାରୀ ଟାଉନ ବସ ଚଳାଚଳ ପାଇଁ ସାଧାରଣରେ ଦାବି ହୋଇଛି ।

Comments are closed.