ଆଜିଠାରୁ ୭ ରୁଟ୍‌ରେ ‘ମୋ ବସ୍’

ଭୁବନେଶ୍ବର, କଟକ, ଖୋର୍ଦ୍ଧାକୁ ଚଳାଚଳ କରିବ

-ଅଧଘଣ୍ଟା ବ୍ୟବଧାନରେ ଗୋଟିଏ ବସ୍, -ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ସେବା

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ମଙ୍ଗଳବାର ଅର୍ଥାତ ଆଜିଠାରୁ ଭୁବନେଶ୍ବରରୁ କଟକ ଏବଂ ଖୋର୍ଦ୍ଧା ସହରକୁ ‘ମୋ ବସ୍‌’ ଚଳାଚଳ କରିବ। ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବସ୍‌ ସେବା ଉପଲବ୍ଧ ହେବ। ପ୍ରାଥମିକ ପର୍ଯ୍ୟାୟରେ ୭ଟି ରୁଟ୍‌ରେ ବସ୍‌ ଚଳାଚଳ କରିବ। ସପ୍ତାହକ ଭିତରେ ରୁଟ୍‌ ସଂଖ୍ୟା ବୃଦ୍ଧି କରାଯିବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ କୁହାଯାଇଛି। କ୍ରୁଟ୍‌ ମହାପ୍ରବନ୍ଧକ ଦୀପ୍ତିମୟୀ ମହାପାତ୍ର କହିଛନ୍ତି, ବସ୍‌ରେ ଯେତିକି ସିଟ୍‌ ରହିଛି ସେତିକି ଯାତ୍ରୀ ଯାତ୍ରା କରି ପାରିବେ। ଛିଡ଼ା ହୋଇ ଯାତ୍ରୀ ଯାଇ ପାରିବେ ନାହିଁ କି ଯାତ୍ରା ପାଇଁ ଗାଇଡ୍‌ ଏବଂ କ୍ୟାପଟେନ୍‌ ଅନୁମତି ଦେବେ ନାହିଁ। ଯାତ୍ରୀମାନେ ଯାତ୍ରା କଲାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଆଗାମୀ ଦିନରେ କ୍ରୁଟ୍‌ ପକ୍ଷରୁ ଡିଜିଟାଲ ଟିକଟ୍‌ ବୁକିଂ ସେବା ଆରମ୍ଭ କରାଯିବ। ପ୍ରତ୍ୟେକଟି ବସ୍‌କୁ ପ୍ରତିଦିନ ସାନିଟାଇଜ୍‌ ବ୍ୟବସ୍ଥା କରାଯାଇଥିବା ସେ ପ୍ରକାଶ କରିଛନ୍ତି। ମୋ ବସ୍‌ ଚାଲିବାକୁ ଥିବା ରୁଟ୍‌ଗୁଡ଼ିକ ହେଲା-ରୁଟ୍‌ ନଂ ୧୦ରେ ଏୟାରପୋର୍ଟ ଭାୟା ଏଜି ଛକ ଏବଂ ପଟିଆ ହୋଇ ବସ୍‌ କଟକ ସିଡିଏକୁ ଯିବ। ସେହିଭଳି ରୁଟ୍‌ ନଂ ୧୧ରେ ନନ୍ଦନବିହାରରୁ ବସ୍‌ ବାହାରି ଭାୟା ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର ଏବଂ କଳ୍ପନା ଛକ ଦେଇ ଲିଙ୍ଗିପୁର ଯାଏଁ ଚଳାଚଳ କରିବ। ରୁଟ୍‌ ନଂ ୧୬ରେ ମୋ ବସ୍‌ ମାଷ୍ଟରକ୍ୟାଣ୍ଟିନରୁ ଭାୟା ରସୁଲଗଡ଼ ଏବଂ କଟକ ବାଦାମବାଡ଼ି ଦେଇ ସିଡିଏରେ ପହଞ୍ଚିବ। ରୁଟ୍‌ ନଂ ୨୦ରେ ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡରୁ ବସ୍‌ ବାହାରି ଭାୟା ବାଣୀବିହାର ଏବଂ ବରମୁଣ୍ଡା ହୋଇ ଖୋର୍ଦ୍ଧା ବସ୍‌ଷ୍ଟାଣ୍ଡକୁ ଚଳାଚଳ କରିବ। ରୁଟ୍‌ ନଂ ୨୩ରେ ମାଷ୍ଟରକ୍ୟାଣ୍ଟିନରୁ ଭାୟା ଫାୟାର ଷ୍ଟେସନ ଦେଇ ସମ୍ ହସ୍ପିଟାଲ ଯାଏଁ ଚଳାଚଳ କରିବ ବସ୍‌। ରୁଟ୍‌ ନଂ ୨୫ରେ ଡୁମଡୁମାରୁ ବସ୍‌ ବାହାରି ମାଷ୍ଟରକ୍ୟାଣ୍ଟିନ ହୋଇ ମଞ୍ଚେଶ୍ବରକୁ ଯିବ। ରୁଟ୍‌ ନଂ ୨୭ରେ ମାଷ୍ଟରକ୍ୟାଣ୍ଟିନରୁ ଭାୟା ଫାୟାର ଷ୍ଟେସନ ଏବଂ ବରମୁଣ୍ଡା ଦେଇ ଏମ୍ସ ହସ୍ପିଟାଲ ପର୍ଯ୍ୟନ୍ତ ବସ୍‌ ଚଳାଚଳ କରିବ। ତେବେ ପ୍ରତି ଅଧଘଣ୍ଟା ବ୍ୟବଧାନରେ ଗୋଟିଏ ଲେଖାଏଁ ବସ୍‌ ରୁଟ୍‌ରେ ଚଳାଚଳ କରିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.