ତୃତୀୟ ବିଶ୍ବଯୁଦ୍ଧ ମୁହାଁ ପୃଥିବୀ!

କରୋନା ମହାମାରୀ ଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ପୃଥିବୀବାସୀଙ୍କ ଉପରେ ଏକ ମହାଯୁଦ୍ଧର କଳାବାଦଲ ଘନେଇବାରେ ଲାଗିଛି। କରୋନା ଭୂତାଣୁର ସୃଷ୍ଟିକର୍ତ୍ତା ବୋଲି କୁହାଯାଉଥିବା ଚୀନ ବିଶ୍ବବାସୀଙ୍କ ଶୁଭଦୃଷ୍ଟିରେ ନାହିଁ। ଦୀର୍ଘ ୬ ମାସରୁ ଅଧିକ ସମୟ ହେଲାଣି ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ଓ ଭାରତର ପୂର୍ବ ଲଦାଖରେ ଚୀନ ସୈନ୍ୟ ଓ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ଯୁଦ୍ଧଭଳି ସ୍ଥିତି ଲାଗିରହିଛି। ଏସିଆ ମହାଦେଶର ଏହି ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ ଯେ କୌଣସି ସମୟରେ ଭୟଙ୍କ ଯୁଦ୍ଧ ସ୍ଥିତି ମଧ୍ୟ ଉପୁଜି ପାରେ। ୧୯୯୧ରେ ସୋଭିଏତ ସଂଘ ଭାଙ୍ଗିବା ପରେ ସୃଷ୍ଟି ହୋଇଥିବା ଆଜାରବୈଜାନ ଓ ଆର୍ମାନିଆ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିଛି। ବିବାଦୀୟ ଅଞ୍ଚଳ ନାଗୋର୍ନା କାରବାଖକୁ ନେଇ ଦୁଇ ଦେଶ ମଧ୍ୟରେ ଦୀର୍ଘ ୧ ମାସରୁ ଅଧିକ ସମୟ ହେଲା ରକ୍ତାକ୍ତ ସଂଘର୍ଷ ଉଭୟ ପକ୍ଷର ପ୍ରାୟ ୭୦ହଜାରରୁ ଅଧିକ ଲୋକଙ୍କ ଜୀବନ ନେଲାଣି। ଉଭୟ ଦେଶକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ସମର୍ଥନ ଜଣାଇ ବିଶ୍ବର ବିଭିନ୍ନ ଦେଶ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି। ଋଷ କେଉଁ ମୁହୂର୍ତ୍ତରେ ତୁର୍କି ଉପରେ ଆକ୍ରମଣ ମଧ୍ୟ କରିପାରେ ବୋଲି ଚେତାବନୀ ଦେଇଛି। ଏପଟେ ଭାରତର ପାରମ୍ପରିକ ଶତ୍ରୁ ପାକିସ୍ତାନ ଭାରତ ସୀମାରେ ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଙ୍ଘନ, ଆତଙ୍କବାଦୀ ଅନୁପ୍ରବେଶ, କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାର ଉଦ୍ୟମ ଜାରି ରଖିଛି। ଏସିଆର ଅଧିକାଂଶ ଦେଶ ଉପରେ ଚୀନ ତା’ର ୱାନ ଚାଇନା ନୀତିକୁ ବଳପୂର୍ବକ ଲଦିବାକୁ ଚେଷ୍ଟା ଜାରି ରଖିବା ସହ ଦକ୍ଷିଣ ଚୀନ ସାଗରରେ ବିସ୍ତାରବାଦ ନୀତିକୁ ପ୍ରାଥମିକତା ଦେଇଛି।
ଆଜରବୈଜାନରେ ଥିବା ବିବାଦୀୟ ନାଗୋର୍ନା କାରବାଖର ଅଧିବାସୀମାନେ ଆର୍ମେନିଆ ସହ ମିଶ୍ରଣ ଚାହୁଁଛନ୍ତି। ଯାହାକୁ ନେଇ ଆରମ୍ଭ ହୋଇଛି ଆଜାରବୈଜାନ ଓ ଆର୍ମେନିଆ ମଧ୍ୟରେ ଭୟଙ୍କର ଯୁଦ୍ଧ ସ୍ଥିତି। ତୁର୍କି ,ପାକିସ୍ତାନ, ଇସ୍ରାଏଲ ଭଳି ମୁସଲମାନ୍ ବହୁଳ ଦେଶ ଆଜାରବୈଜାନକୁ ଖୋଲାଖୋଲି ସମର୍ଥନ ଜଣାଇଛନ୍ତି। ସେପଟେ ଫ୍ରାନ୍ସ, ରୁଷ ଓ ଆମେରିକା ଭଳି ଶକ୍ତିଶାଳୀ ଦେଶଗୁଡିକ ଆର୍ମେନିଆକୁ ସମର୍ଥନ କରିଛନ୍ତି। ତେଣୁ କେଉଁ ମୁହୂର୍ତ୍ତରେ ଏହି ଯୁଦ୍ଧ ଯେ ବିଶ୍ବଯୁଦ୍ଧର ରୂପନନେବ କିଏ ବା କହିବ। ୨୦୧୬ରେ ମଧ୍ୟ ଏଭଳି ଏକ ଭୟଙ୍କ ଯୁଦ୍ଧରେ ଉଭୟ ଦେଶର ବ୍ୟାପକ କ୍ଷତି ହୋଇଥିଲା। ଆମେରିକା ଓ ରୁଷ ପକ୍ଷରୁ ଉଭୟ ଦେଶକୁ ଯୁଦ୍ଧ ବିରାମ ପାଇଁ ପରାମର୍ଶ ଦିଆଯିବା ସ‌େ‌ତ୍ତ୍ବ କିଛି ବି ଫଳପ୍ରଦ ହେଉନି। ତେବେ ଭାରତ ଉଭୟ ଆର୍ମେନିଆ ଓ ଆଜାରବୈଜାନ ସହ ଭଲ ସଂପର୍କ ରଖି ନିରପେକ୍ଷତା ବଜାୟ ରଖିଛି। ୨୦୧୮ ମସିହାରେ ତତ୍କାଳୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଏହି ପେଟ୍ରୋଲିୟମ ସମୃଦ୍ଧ ଦେଶ ଗସ୍ତକରି ସମ୍ପର୍କ ମଜଭୁତ କରିଛନ୍ତି। ନର୍ଥ ସାଉଥ୍ ଅନ୍ତର୍ଜାତୀୟ ଟ୍ରାନ୍ସପୋର୍ଟ କରିଡର ମୁମ୍ବଇରୁ ଇରାନର ଚାବାହାର ଭାୟା ଆଜାରବୈଜାନ ଓ ମସ୍କୋ ଦେଇ ସଂଯୋଗ କରୁଛି। ଏହି ଦୁଇଦେଶ ସହ ଭାରତର ପ୍ରାଚୀନ କାଳରୁ ବାଣିଜ୍ୟିକ ସଂପର୍କ ରହି ଆସିଛି।
ସେହିଭଳି ଭାରତର ଅନୁଦାନରେ ନିଜର ପରିଚୟ ସୃଷ୍ଟି କରିଥିବା ଆମ ପଡୋଶୀ ରାଷ୍ଟ୍ର ନେପାଳ ମଧ୍ୟ ଏବେ ଚୀନର କମ୍ୟୁନିଷ୍ଟ ବସ୍‌ଙ୍କ ଦ୍ବାରା ଉଠବସ ହେଉଛି। ନେପାଳ ଶାସକ କେପି ଶର୍ମା ଓଲି ଭାରତ ବିରୋଧରେ ବାରମ୍ବାର ଟିକା ଟିପ୍ପଣୀ କରୁଛନ୍ତ। କିଛିଦିନ ତଳେ ନେପାଳ ତା’ର ନୂଆ ମାନଚିତ୍ରରେ ବିବାଦୀୟ କାଲାପାନୀ, ଲିପୁଲେଖ, ଲିମ୍ପୁଆଧୁରାକୁ ନେପାଳର ଅଞ୍ଚଳ ଭାବେ ଚିହ୍ନଟ କରିଛି। ଏ ନେଇ ଭାରତ ମଧ୍ୟ ନେପାଳକୁ ଚେତାବନୀ ଦେଇସାରିଛି।
କମ୍ୟୁନିଷ୍ଟ ଚାଇନା ତା’ର ମୂଳଲକ୍ଷ୍ୟ ୱାନ ଚାଇନା ନୀତିକୁ ଏସୀୟ ଦେଶଗୁଡ଼ିକ ଉପରେ ବଳପୂର୍ବକ ଲଦିବାକୁ ଚେଷ୍ଟା ଜାରି ରଖିଛି। ୧୯୪୭ରେ ଜାରି ନକ୍ସା ଅନୁସାରେ ସାଉଥ ଚାଇନା ସିରେ ଥିବା ୯ ଡ୍ୟାସ୍ ଲାଇନକୁ ଚାଇନା ବଳପୂର୍ବକ ମାଡିବସିଛି। ସେହିପରି ଇସପ୍ରୋକେଲ ଦ୍ବୀପ, ପାରାସିଲ ଦ୍ବୀପ, ସ୍ପ୍ରେକଲିନ ଦ୍ବୀପକୁ ମଧ୍ୟ ଚୀନ ନିଜର ବୋଲି ଦାବି କରିଛି। ଯାହାକୁ ନେଇ ମାଲେସିଆ, ଫିଲିପାଇନ୍‌ସ, ଭିଏତ୍‌ନାମ୍ ଭଳି ଦେଶଗୁଡ଼ିକ ଆପତ୍ତି ଉଠାଇଛନ୍ତି। ସାଉଥ ଚୀନ ସାଗରରେ ମହଜୁଦ ଥିବା ପ୍ରଚୁର ପ୍ରାକୃତିକ ଗ୍ୟାସ,ପେଟ୍ରୋଲିୟମ ପଦାର୍ଥ ଉପରେ ଏକୁଟିଆ ଭାଗ ବସାଇବାକୁ ଚୀନର ଏସବୁ ଯୋଜନା ରହିଛି। ଫିଲିପାଇନ୍ସ, ମାଲେସିଆ, ହଂକଂ ଭଳି ଦେଶକୁ ୱାନ୍‌ ଚାଇନା ନୀତିରେ ଚୀନ ସହ ମିଶ୍ରଣ ପାଇଁ ବଳପ୍ରୟୋଗ ମଧ୍ୟ ଆରମ୍ଭ କରିଦେଇଛି ଚୀନ। ତାଇୱାନକୁ ବାରମ୍ବାର ଧମକ ଦେଉଛି। ଏସିଆ ମହାଦେଶରେ ଚୀନର ବିସ୍ତାରବାଦକୁ ପ୍ରତିହତ କରିବାକୁ ଆମେରିକା,ଭାରତ ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଗଠିତ (କ୍ବାଡ) ଦେଶ ସମୂହ ସେମାନଙ୍କ ରଣନୀତି ପ୍ରସ୍ତୁତ କରିଛନ୍ତି। ତେଣୁ ବିଶ୍ବର କୋଣ ଅନୁକୋଣରେ ଏଭଳି ଉତ୍ତେଜନା ସ୍ଥିତି ଏକ ଭୟଙ୍କର ମହାଯୁଦ୍ଧ ଭିତରକୁ ବିଶ୍ବକୁ ମୁହାଁଇ ନେଉଥିବା ଆଶଙ୍କା କରାଯାଉଛି।

ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ
ମୋ ୯୭୭୮୬୯୭୦୩୬

Comments
Loading...