ପର୍ଯ୍ୟଟନ ବିକାଶରେ କେନ୍ଦ୍ର ବାଧକ

0

ରାଜ୍ୟରେ ୩୫୭ ପର୍ଯ୍ୟଟନ ସ୍ଥଳ ଚିହ୍ନଟ, ୩୬ ହୋଟେଲ ଶିଳ୍ପ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ

ଭୁବନେଶ୍ବର : ପର୍ଯ୍ୟଟନ ବିକାଶ କେବଳ କୋଣାର୍କ, ପୁରୀ ଓ ଭୁବନେଶ୍ବରରେ ସୀମିତ ରହିବନାହିଁ। ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ପର୍ଯ୍ୟଟନ ବିକାଶ ଉପରେଏଣିକି ଅଧିକ ଗୁରୁତ୍ବ ଦିଆଯାଉଛି। ସ୍ବଦେଶ ଦର୍ଶନ ଭଳି କେନ୍ଦ୍ରୀୟ ଯୋଜନାରେ ନୃସିଂହନାଥ, ହରିଶଙ୍କର ସମେତ ବଳଦେବଜୀଉ, ବିରଜା, ଭଦ୍ରକର କାଳିମନ୍ଦିର ଓ ଅନ୍ୟ କେତେକ ପର୍ଯ୍ୟଟନ କ୍ଷେତ୍ରକୁ ସାମିଲ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ପଠାଯାଇଥିଲା। ପାଇକ ବିଦ୍ରୋହର ଶହେ ବର୍ଷ ପୂରଣ ଅବସରରେ ପ୍ରସ୍ତାବିତ ବୁଦ୍ଧିଷ୍ଟ ସର୍କିଟ ସ୍କିମ ସ୍ବଦେଶ ଦର୍ଶନ ଯୋଜନାରେ ସାମିଲ କରିବାକୁ ବର୍ଷେ ହେଲା ଡ଼ିପିଆର ପଠାଯାଇଛି, ହେଲେ ଏ ପର୍ଯ୍ୟନ୍ତ ପଡ଼ିରହିଛି। ବିଧାନସଭାରେ ଏହା କହିଛନ୍ତି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା।
ଶୀତ ଅଧିବେଶନର ପଞ୍ଚମ କାର୍ଯ୍ୟଦିବସରେ ପ୍ରଶ୍ନକାଳ ସ୍ବାଭାବିକ ଥିଲା। ପର୍ଯ୍ୟଟନ ବିଭାଗ ଉପରେ ଆସିଥିବା ଏକ ପ୍ରଶ୍ନ ଉପରେ ଦୀର୍ଘ ସମୟ ଧରି ପ୍ରଶ୍ନୋତ୍ତର ଚାଲିଥିଲା। ରାଜ୍ୟରେ କେତେ ହୋଟେଲ ରହିଛି ଓ କେତେ ପର୍ଯ୍ୟଟକଙ୍କ ରହିବାର ସୁବିଧା ରହିଛି ଏବଂ ଏ ଦିଗରେ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ସେ ସମ୍ପର୍କରେ ବିଧାୟକ ନବକିଶୋର ଦାସଙ୍କ ମୂଳ ପ୍ରଶ୍ନ ଉପରେ ଉତ୍ତର ରଖି ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ୩୫୭ଟି ପର୍ଯ୍ୟଟନସ୍ଥଳୀ ଚିହ୍ନଟ ହୋଇଛି। ଏକକ ବାତାୟନ ମଞ୍ଜୁରି ଜରିଆରେ ରାଜ୍ୟ ସରକାର ୩୬ ହୋଟେଲ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ସେଥିମଧ୍ୟରୁ ଭୁବନେଶ୍ବରରେ ୫ଟି ସ୍ଥାନରେ ଭୁବନେଶ୍ବର ଉନ୍ନୟନ କତ୍ତୃର୍ର୍ପକ୍ଷ ଇ-ଅକ୍ସନ ମାଧ୍ୟମରେ ଜମି ଯୋଗାଇଦେଇଛି। ସେହିପରି ଅନ୍ୟ ୭୭ଟି ସ୍ଥାନରେ ଇଡ଼କୋ ଜମି ଦେଇଛି। ସେଥିମଧ୍ୟରୁ ୧୪ଟି କାମ ଆରମ୍ଭ ହୋଇ ନଥିବାରୁ ନୋଟିସ ଜାରି କରାଯାଇଛି।
ବଲାଙ୍ଗିର ଭୀମପାହାଡ଼ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଟଙ୍କା ଖର୍ଚ ନହୋଇ ପଡ଼ିରହିବା, ହରିଶଙ୍କରଠାରେ ପର୍ଯ୍ୟଟକଙ୍କ ରହିବା ପାଇଁ ଥିବା ସ୍ଥାନ ପୁଲିସ କବ୍ଜାକୁ ନେଇଯିବା, ଉଦୟଗିରି ପର୍ଯ୍ୟଟନସ୍ଥଳୀକୁ ଯିବା ପାଇଁ ବସକୁ ଅନୁମତି ନଦେବା, ହରିଶଙ୍କରକୁ ବସ ​​‌ଯୋଗାଯୋଗ‌ ବ୍ୟବସ୍ଥା କରା ନଯିବା, ବତୀଘର ଓ ହୁକିଟେଲାରେ ପର୍ଯ୍ୟଟକ ରହଣୀର ସୁବିଧା ନଥିବା, ସାତପଡ଼ା ପର୍ଯ୍ୟଟନ ସ୍ଥଳୀର ବିକାଶ ନହେବା, ପର୍ଯ୍ୟଟନ ବିକାଶ ନେଇ ଟାସ୍କଫୋର୍ସ ଗଠନ, ଭିତରକନିକାରେ ପର୍ଯ୍ୟଟନର ବିକାଶ ସହିତ ଗୁପ୍ତିଠାରେ ରିଫ୍ରେସମେଣ୍ଟ ସେଣ୍ଟର ପ୍ରତିଷ୍ଠା ସଂକ୍ରାନ୍ତରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସରକାରୀ ଦଳର ମୁଖ୍ୟ ସଚତେକ ଅମରପ୍ରସାଦ ଶତପଥୀ, ବିଧାୟକ ଅତନୁସବ୍ୟସାଚୀ ନାୟକ, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, ବିଧାୟକ ସଞ୍ଜୟ ଦାସବର୍ମା, ଦେବାଶିଷ ନାୟକ, ପ୍ରଦୀପ ପୁରୋହିତ, ପ୍ରିୟଦର୍ଶୀ ମିଶ୍ର, ଅଂଶୁମାନ ମହାନ୍ତି, ପ୍ରଭାତ ବିଶ୍ବାଳଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ଭୀମପାହାଡ଼ ପର୍ଯ୍ୟଟନ କ୍ଷେତ୍ରର ବିକାଶ ତ୍ବରାନ୍ବିତ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ସମ୍ବଲପୁର, ବଲାଙ୍ଗିର, ବରଗଡ଼ ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନ ବିକାଶ ପାଇଁ ବହୁ ପ୍ରକଳ୍ପ ନିର୍ମାଣ ପାଇଁ ଏ ବର୍ଷ ଅଧିକ ଅର୍ଥ ବରାଦ କରାଯାଇଛି। ରତ୍ନଗିରି, ଲଳିତଗିରି, ଉଦୟଗିରିକୁ ନେଇ ବୁଦ୍ଧିଷ୍ଟ ସର୍କିଟ ପାଇଁ ରାଜ୍ୟ ଦେଇଥିବା ଡ଼ିପିଆର କେନ୍ଦ୍ର ସ୍ବୀକୃତି ଦେଉ ନଥିବାରୁ ଏହାକୁ ପୁନର୍ବାର ପଠାଇବାକୁ ସ୍ଥିର ହୋଇଛି। ହୁକିଟୋଲା ଓ ବତୀଘର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଓ ପରିବେଶ ପର୍ଯ୍ୟଟନର ଉନ୍ନତି ନିମନ୍ତେ ବନ ବିଭାଗ ସହିତ ଆଲୋଚନା କରାଯିବ। ନୃସିଂହନାଥ, ହରିଶଙ୍କର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ସହିତ ୫ଟି କଟେଜ ହୋଇଛି। ପର୍ଯ୍ୟଟନସ୍ଥଳରୁ ସିଆରପିଏଫ ଜବାନଙ୍କୁ ସ୍ଥାନାନ୍ତରା ପାଇଁ କେନ୍ଦ୍ର ସହ ପତ୍ରାଳାପ କରାଯାଇଛି। ହରିଶଙ୍କର ଓ ଅନ୍ୟାନ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ବସ ଚଳଚଳ ବ୍ୟବସ୍ଥାର ଅନୁଧ୍ୟାନ କରାଯିବ।
ସାତପଡ଼ାର ପରିବେଶ ପର୍ଯ୍ୟଟନର ବିକାଶ ସହିତ ଭିତ୍ତିଭୂମି ବିକାଶ ପ୍ରତି ଧ୍ୟାନ ଦିଆଯାଉଛି। ଭିତରକନିକା ବାହାରେ ପାନ୍ଥନିବାସର ସୁବିଧା କରାଯାଇଥିବାବେଳେ ଗୁପ୍ତିରେ ରିଫ୍ରେସମେଣ୍ଟ ସେଣ୍ଟର ପ୍ରତିଷ୍ଠା ଦିଗରେ ପଦ​‌େ​‌କ୍ଷପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ।

Leave A Reply