କରୋନା ମାଡରେ ଜିଲା ପର୍ଯ୍ୟଟନ ଶିଳ୍ପ ଘାଇଲା: କେବେ ଖୋଲିବ ମା’ତାରିଣୀ ଓ ବଳଦେବଜୀଉ ମନ୍ଦିର

କେନ୍ଦୁଝରଗଡ଼ : ମହାମାରୀ କରୋନା ମାଡରେ ଜିଲାର ପର୍ଯ୍ୟଟନ ଶିଳ୍ପ ବେଶ୍‍ ଘାଇଲା ହୋଇପଡିଛି। ଏହାର ପ୍ରଭାବରେ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରି ଚଳି ଆସୁଥିବା ବଡ ବଡ ହୋଟେଲ ବ୍ୟବସାୟୀ ଏବଂ ପର୍ଯ୍ୟଟନକେନ୍ଦ୍ର ମାନଙ୍କରେ ଦୋକାନ ମେଲିଥିବା ବ୍ୟବସାୟୀ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇପଡିଛନ୍ତି। ଖଣି ଓ ଶିଳ୍ପବହୁଳ କେନ୍ଦୁଝର ଜିଲାକୁ ଖଣି କାରବାର ପାଇଁ ଦେଶ ବିଦେଶରୁ ବର୍ଷତମାମ୍‍ ଲୋକ ଆସି କେନ୍ଦୁଝର, ଯୋଡା ଓ ବଡବିଲ ସହରରେ ଥିବା ହୋଟେଲ ମାନଙ୍କରେ ଅବସ୍ଥାନ କରିଥାନ୍ତି। ଖଣି ବ୍ୟବସାୟ କାର୍ଯ୍ୟ ସାରିବା ପରେ ଏମାନେ ଜିଲାର ବହୁ ଦର୍ଶନୀୟସ୍ଥାନ ଗସ୍ତ କରି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶୀତରାଜିକୁ ବେଶ୍‍ ଉପଭୋଗ କରିଥାନ୍ତି। ତେବେ ଚଳିତବର୍ଷ କରୋନା କଟକଣା ଯୋଗୁଁ ପର୍ଯ୍ୟଟନକେନ୍ଦ୍ର ବନ୍ଦ ଯୋଗୁଁ ଖଣି କାର୍ଯ୍ୟ ସାରି ବ୍ୟବସାୟୀ ନିଜ ଗନ୍ତବ୍ୟସ୍ଥଳକୁ ଫେରି ଯାଉଥିବାରୁ ହୋଟେଲ ବ୍ୟବସାୟୀଙ୍କୁ ବେଶ୍‍ କ୍ଷତି ସହିବାକୁ ପଡିଛି। କରୋନା କଟକଣା କୋହଳ ପରେ ସ୍ୱାଭାବିକ ଜୀବନଶୈଳୀ ଯଦିଓ ଆରମ୍ଭ ହୋଇଛି ତଥାପି ଜିଲାର ପ୍ରମୁଖ ଦେବାଦେବୀ ପୀଠ ଓ ପର୍ଯ୍ୟଟନକେନ୍ଦ୍ରରେ ତାଲା ଝୁଲୁଥିବାରୁ ଉଭୟ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ନିରାଶ ହେବାକୁ ପଡିଛି। ବୁଧବାର ଠାରୁ ପୁରୀ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇଥିବା ବେଳେ ଆଗକୁ ଜିଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉ ଓ ଘଟଗାଁସ୍ଥିତ ମା’ତାରିଣୀ ପୀଠ କେବେ ଖୋଲିବ ସେ ନେଇ ଉଭୟ ଭକ୍ତ ଓ ପର୍ଯ୍ୟଟକ ଅନାଇ ବସିଛନ୍ତି।


ସରକାର ପର୍ଯ୍ୟଟନକୁ ଶିଳ୍ପ ମାନ୍ୟତା ଦେଇଥିବା ବେଳେ ଏହି ଜିଲାରେ ଖଣି ଓ ଲୌହ ଶିଳ୍ପକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଜିଲାରେ ପର୍ଯ୍ୟଟନ ଶିଳ୍ପର ସମାନୁପାତିକ ବିକାଶ ଆଜିପର୍ଯ୍ୟନ୍ତ ଘଟି ପାରିଲା ନାହିଁ। ଏଠାକାର ଖଣ୍ଡାଧାର, ମୁର୍ଗାମହାଦେବ, ସାନଘାଗରା, ବଡଘାଗରା, ହାଣ୍ଡିଭଙ୍ଗା ସୁଉଚ୍ଚ ଜଳପ୍ରପାତ, କାଞ୍ଜିପାଣି ଓ ଗୋନାସିକା ଭଳି ଘଞ୍ଚବନାନୀ, ହଦଗଡ, ସୀତାବିଞ୍ଜ, ଗଡଚଣ୍ଡୀର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ପାହାଡିଆ ଶୀତର ମଜା ନେବାକୁ କେନ୍ଦୁଝର ଜିଲାକୁ ଅକ୍ଟୋବର ମାସରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବା ଆରମ୍ଭ ହୋଇଥାଏ। ସେହିଭଳି ରାଜ୍ୟ ପ୍ରସିଦ୍ଧ ଘଟଗାଁସ୍ଥିତ ମା’ତାରିଣୀ ପୀଠ, କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉ, ଦେଓଗାଁସ୍ଥିତ କୁଶଳେଶ୍ୱର ଓ ରାଜନଗରସ୍ଥିତ ରଘୁନାଥଜୀଉ ମଠକୁ ସାନିଧ୍ୟ ଲାଭ ପାଇଁ ବର୍ଷତମାମ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ବିଶେଷକରି ପର୍ଯ୍ୟଟନ ଋତୁ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଜିଲାର ବିଭିନ୍ନ ପର୍ଯ୍ୟଟନକେନ୍ଦ୍ର ମାନଙ୍କରେ ବଣଭୋଜିର ଆସର ବେଶ୍‍ ଜମୁଥିବା ବେଳେ ଏହି ପର୍ଯ୍ୟଟନକେନ୍ଦ୍ର ଉପରେ ନିର୍ଭରଶୀଳ ବ୍ୟବସାୟୀ ମଧ୍ୟ ବେଶ୍‍ ଦି’ପଇସା ରୋଜଗାର କରି ବର୍ଷତମାମ ପରିବାର ଗୁଜୁରାଣ ଚିନ୍ତା ଦୂର କରିଥାନ୍ତି।


ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ସୂତ୍ର ଅନୁଯାୟୀ ୨୦୧୯ରେ ଜିଲାକୁ ୨୫୭୭୭୭୮ଜଣ ଘରୋଇ ଓ ୨୦୭ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ମିଶାଇ ମୋଟ ୨୫୭୭୯୮୫ଜଣ ପର୍ଯ୍ୟଟକ ଜିଲାର ୧୬ଟି ମାନ୍ୟତାପ୍ରାପ୍ତ ପର୍ଯ୍ୟଟନକେନ୍ଦ୍ର ବୁଲି ଦେଖିଥିଲେ। ସେଥିମଧ୍ୟରୁ ଘଟଗାଁସ୍ଥିତ ମା’ତାରିଣୀ ମନ୍ଦିରକୁ ସର୍ବାଧିକ ୬୪୧୬୭୫ଜଣ ପର୍ଯ୍ୟଟକ ଆସିଥିବା ବେଳେ ରାଜ୍ୟ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସାନଘାଗରାକୁ ୧୩ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ମିଶାଇ ୩୦୪୭୪୬ଜଣ ଓ କେନ୍ଦୁଝରକୁ ୧୮୯ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ମିଶାଇ ୨୨୧୯୦୪ଜଣ ବୁଲି ଆସିଥିବା ଜଣାପଡିଛି। ପର୍ଯ୍ୟଟନସ୍ଥଳ ଖୋଲିବା ନେଇ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶାବଳୀ ଆସିନଥିବା ବେଳେ ବଣଭୋଜିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ବୋଲି ଜିଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏହା କହିଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲାର ୪ପ୍ରମୁଖ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ବିକାଶ ପାଇଁ ପ୍ରାୟ ୧୩କୋଟି ଟଙ୍କା ମଞ୍ଜୁର ହୋଇଥିବା ଜିଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ନାଏକ କହିଛନ୍ତି। ଜିଲାର ମାନ୍ୟତାପ୍ରାପ୍ତ ପର୍ଯ୍ୟଟନକେନ୍ଦ୍ର ଉପରେ ସମ୍ପୂର୍ଣ୍ଣ କଟକଣା ବଳବତ୍ତର ରହିଥିବା ବେଳେ ଜିଲା ପର୍ଯ୍ୟଟନକେନ୍ଦ୍ରର ମାନ୍ୟତା ପାଇ ନଥିବା ଭୀମକୁଣ୍ଡ, କାଣିଝରୀ ଓ ଜଗଦଳା ଡ଼୍ୟାମ, ଚିକିଣିଆସ୍ଥିତ ଜିଲା ପାର୍କ, ଅସନପାଟ ସମେତ ଘରୋଇ ଉଦ୍ୟମରେ ଗଢ଼ି ଉଠିଥିବା ବକ୍ସିବାରିଗାଁସ୍ଥିତ ତୃପ୍ତି ସଫାରୀ ଓ ଗୁହାଳଚଟୁଆସ୍ଥିତ ଗୋନାସିକା ଗାର୍ଡେନ କରୋନା କଟକଣା କୋହଳ ପରେ ପର୍ଯ୍ୟଟକଙ୍କୁ କିଛିଟା ଆଶ୍ୱସ୍ତି ଆଣିଦେଇଛି।

Comments are closed.