ସମଗ୍ର ଶିକ୍ଷା ସଶକ୍ତିକରଣ ଭାରତ ସମ୍ମାନ-୨୦୨୦ ସମ୍ମିଳନୀରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ବଶିକ୍ଷା ସଶକ୍ତିକରଣ ଭାରତ ସମ୍ମାନ-୨୦୨୦ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡଃ ବିଜୟ କୁମାର ସାହୁ ଯୋଗଦେଇଛନ୍ତି। ପ୍ରବେଶ ସୁବିଧା, ସାମର୍ଥ୍ୟ ଓ ଗୁଣବତ୍ତା ମାଧ୍ୟମରେ ଶିକ୍ଷାପ୍ରଣାଳୀକୁ କେମିତି ନିର୍ମାଣ କରିବା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ଏଥିପାଇଁ କେତେ ପ୍ରସ୍ତୁତ ଏହି ବିଷୟବସ୍ତୁକୁ ବିସ୍ତୃତଭାବେ ବ୍ୟାଖ୍ୟା କିରବା ପାଇଁ ଡଃ ସାହୁଙ୍କୁ ସମ୍ମିଳନୀରେ ନିମନ୍ତ୍ରିତ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନବ ସମ୍ବଳ ବିକାଶ ବିଭାଗର କେନ୍ଦ୍ର ମନ୍ତ୍ରୀ ରମେଶ ପୋଖରିଆଲ୍‍ ନିଶାଙ୍କ ଯୋଗଦେଇଥିଲେ।

ଉପଦେଷ୍ଟା ଡଃ ସାହୁ ୩୧୪ ଟି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କିପରି ଜଣେ ଜଣେ ମଡ଼େଲ୍‍ ଭାବେ ଆଗକୁ ବଢ଼ିବା ସହ ଓଡ଼ିଶା ଶିକ୍ଷା କ୍ଷେତ୍ରରେ କିପରି ବେଞ୍ଚମାର୍କ ସୃଷ୍ଟି କରି ଆଗାମୀ ଦିନରେ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ହୋଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ଆଦର୍ଶବିଦ୍ୟାଳୟ ମିଶନର ସମ୍ପୂର୍ଣ୍ଣ ବିବରଣୀ ଦେବା ସହ, ବୈଷୟିକ ଜ୍ଞାନକୋଶ÷ଳ, ସ୍ୱଚ୍ଛତା, ଦଳଗତ କାର୍ଯ୍ୟ, ସମୟ ଓ ପରିବର୍ତ୍ତନ ପରି ଦୃଷ୍ଟିକୋଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରାଯାଇପାରିବ ବୋଲି ପ୍ରକାଶ କରିଥିଲେ। ଏହା ସହ ଶିକ୍ଷକ ପ୍ରଶିକ୍ଷଣ, ଭିତ୍ତିଭୂମି, ଇଆର୍‍ପି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ ନିର୍ମାଣ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମହତ୍ୱକୁ ରେଖାଙ୍କିତ କରିଥିଲେ। ଆଗାମୀ ଦିନରେ ସବୁ ପିଲାଙ୍କ ପାଖରେ ଗୁଣାବତ୍ତା ଶିକ୍ଷା କିପରି ଭାବେ ପହଞ୍ଚିବ ଏବଂ ଏହା ସହ ପବ୍ଳିକ୍‍ ଏବଂ ପ୍ରାଇଭେଟ୍‍ ସ୍କୁଲ ଗୁଡ଼ିକ ମଧ୍ୟରେ ତାରତମ୍ୟକୁ ଦର୍ଶାଇ ସରକାରୀ ସ୍କୁଲ୍‍ଗୁଡ଼ିକ କିପରି ପ୍ରାଇଭେଟ୍‍ ସ୍କୁଲ୍‍ ମାନର ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ।

ଏହି ସମ୍ମିଳନୀରେ ମାନବ ସମ୍ବଳ ବିକାଶ ବିଭାଗ ଏବଂ ଏନ୍‍ସିଆର୍‍ଟିର ଉଚ୍ଚପଦସ୍ଥ ଅଧିକାରୀ, ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ, ବିଭିନ୍ନ ସ୍କୁଲର ପ୍ରିନ୍ସପାଲ୍‍, ଶିକ୍ଷାବିତ୍‍ ଏବଂ ଦେଶର ବିଭିନ୍ନ ଏଡ଼ୁଟେକ୍‍ ସଂସ୍ଥାମାନ ଯୋଗଦେଇଥିଲେ। ନାବେଟ୍‍ ଦ୍ୱାରା ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା।

Comments are closed.