ଜେଲ୍‌ରେ ନିର୍ଯାତନା ମାମଲା, ବଦଳିଲେ ୭ କର୍ମଚାରୀ

ଟିଟିଲାଗଡ଼: ବଲାଙ୍ଗିର ଜିଲା ଟିଟିଲାଗଡ ଉପକାରାଗାର ମଧ୍ୟରେ ମହିଳା କଏଦୀଙ୍କ ସହ ବିଚାରାଧିନ ଅଭିଯୁକ୍ତଙ୍କ ଯୌନ ସମ୍ପର୍କ ମାମଲାରେ ଜେଲ ବିଭାଗ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି। ଜେଲରେ କାର୍ୟ୍ୟରତ ୭ ଜଣ କର୍ମଚାରୀଙ୍କୁ ବଦଳି କରାଯାଇଥିବା ଟିଟିଲାଗଡ ଜେଲର ପ୍ରଦୀପ ମହାଲିକ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଜଣେ ମହିଳା କଏଦୀ ଟିଟିଲାଗଡ ଉପକାରାଗାରରେ ଥିବା ବେଳେ ଜିଏସଟି ଠକେଇ ମାମଲାରେ ଗିରଫ ଅଭିଯୁକ୍ତ ତୀର୍ଥଙ୍କର ପଟେଲ ଓରଫ ପପ୍ପୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିବା ମହିଳା ଜଣକ ଟିଟିଲାଗଡ ଥାନାରେ ଅଭିଯୋଗ କରିଥିଲେ। ଟିଟିଲାଗଡ ଥାନା ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ରାଜ୍ୟ ଜେଲ ବିଭାଗ ଡିଆଇଜି ଟିଟିଲାଗଡ ଜେଲ ପରିଦର୍ଶନ ସହ ଦୃଢ କାର୍ୟ୍ୟାନୁଷ୍ଠାନ ସଙ୍କେତ ଦେଇଥିଲେ। ଅଭିଯୋଗ ନେଇ ପୀଡିତାଙ୍କ ଟିଟିଲାଗଡ ଡାକ୍ତରଖାନାରେ ଡାକ୍ତରି ମାଇନା କରାଯାଇଥିଲା। ଏହା ସହିତ ପୀଡିତା ଟିଟିଲାଗଡ ଏସଡିଜେଏମଙ୍କ କୋର୍ଟରେ ହାଜର ହୋଇ ବୟାନ ରେକର୍ଡ କରିଥିବା ପ୍ରକାଶ। ଅନ୍ୟପକ୍ଷରେ ଜେଲରେ ରହିଥିବା ସିସିଟିଭି ଖରାପ ଥିବା ନେଇ ବିଶେଷ କିଛି ପ୍ରମାଣ ପୁଲିସ ହାତରେ ଲାଗି ନଥିବା ଜଣାଯାଇଛି। ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Comments are closed.