ବାତ୍ୟା ପରେ ବ୍ୟାଙ୍କିଙ୍ଗ୍ ସେବା ସ୍ବାଭାବିକ ପାଇଁ କେନ୍ଦ୍ର-ରାଜ୍ୟ ଅର୍ଥ ସମନ୍ବୟ ବୈଠକ

ଭୁବନେଶ୍ୱର : ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ଓ ବୀମା ସେବାକୁ ସ୍ୱାଭାବିକ କରିବା ପାଇଁ ଗୁରୁବାର ରାଜ୍ୟ ଅତିଥି ଭବନରେ ଏକ କେନ୍ଦ୍ର ଓ ରାଜ୍ୟ ଅର୍ଥ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ସଚିବ ଦେବାଶିଷ ପଣ୍ଡା ଓ ରାଜ୍ୟ ଅର୍ଥ ସଚିବ ଅଶୋକ ମୀନା ଯୋଗ ଦେଇଥିଲେ।
ଏହି ବୈଠକ ପରେ ଉଭୟ ସଚିବ ନିଜର ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ କହିବା ଅନୁସାରେ, ରାଜ୍ୟର ବାତ୍ୟା ପ୍ରଭାବିତ ୬ଟି ଜିଲାରେ ୧୯୯୨ଟି ଶାଖାରୁ ୧୯୩୪ ଶାଖା କାର୍ଯ୍ୟକ୍ଷମ ହୋଇଛି। ୨୯୨୧ ଏଟିଏମ୍ରୁ ୨ ହଜାରରୁ ଊର୍ଦ୍ଧ୍ୱ କାର୍ଯ୍ୟ କରୁଛି। କେବଳ କୋପରେଟିଭ୍ ଓ ଗ୍ରାମୀଣ ବ୍ୟାଙ୍କ ଏଟିଏମ୍ କାର୍ଯ୍ୟ କରୁନାହିଁ। ଏମ୍ଏସ୍ଏମ୍ଇ, କୃଷି, ବ୍ୟବସାୟ ଓ ବ୍ୟକ୍ତିଗତ ଋଣକୁ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ବୀମା କମ୍ପାନୀମାନେ ମଧ୍ୟ ଶୀଘ୍ର ପ୍ରାପ୍ୟ ଅର୍ଥ ପ୍ରଦାନ କରନ୍ତୁ ବୋଲି ବୈଠକରେ କୁହାଯାଇଛି। ଏହାସହିତ ବାତ୍ୟା ଅଞ୍ଚଳରେ କମ୍ ଦସ୍ତାବିଜରେ ବ୍ୟାଙ୍କ ଓ ବୀମା ସୁବିଧା ମିଳିବ ବୋଲି ଦେବାଶିଷ ପଣ୍ଡା ସୂଚନା ଦେଇଛନ୍ତି। ଉକ୍ତ ବୈଠକରେ ବ୍ୟାଙ୍କ, ବୀମା, ଟେଲିକମ୍, ରିଜର୍ଭ ବ୍ୟାଙ୍କ ଓ ଏସ୍ଏଲବିସିର ଅଧିକାରୀମାନେ ସାମିଲ ହୋଇଥିଲେ।

Comments are closed.