ପଡ଼ିଆରେ ପ୍ରତିପକ୍ଷଙ୍କ ବିରୋଧରେ ‘କ୍ୟାପଟେନ୍ କୁଲ୍’ଙ୍କ ୧୦ ସ୍ମରଣୀୟ ନିଷ୍ପତ୍ତି

ମହେନ୍ଦ୍ର ସିଂହ ଧୋନୀ ଓରଫ୍ ଏମଏସଡ଼ି ବିଶ୍ଵ କ୍ରିକେଟରେ ଏକ ଭିନ୍ନ ନାଁ । ଜଣେ ୱିକେଟ କିପର ବ୍ୟାଟ୍ସମ୍ୟାନ ଅପେକ୍ଷା ତାଙ୍କ ଅଧିନାୟକତ୍ଵରେ ​‌ସେ ଏପରି କିଛି ନିଷ୍ପତ୍ତି ନେଇଛନ୍ତି ଯାହା ଗତାନୁଗତିକ ନିଷ୍ପତ୍ତିଠାରୁ ଭିନ୍ନ । ଆଉ ସବୁଠାରୁ ବନ କଥା ହେଉଛି ଏହି ନିଷ୍ପତ୍ତି ନେଇ ସେ ସଫଳ ମଧ୍ୟ ହୋଇଛନ୍ତି । ଆସନ୍ତୁ ଦେଖିବା ସେହି ନିଷ୍ପତ୍ତିଗୁଡ଼ିକ କ’ଣ?
୧- ଯୋଗୀନ୍ଦର ସିଂହଙ୍କୁ କଲେ ମ୍ୟାଚର ହୀରୋ
୨୦୦୭ ଟି-୨୦ ବିଶ୍ଵକପ୍ ଫାଇନାଲରେ ଯଦି ମହେନ୍ଦ୍ର ସିଂହ ଧୋନୀ ଯୋଗୀନ୍ଦର ସିଂହଙ୍କୁ ଶେଷ ଓଭର ବୋଲିଂ ଦେଇ ନ ଥାନ୍ତେ ତେବେ ହୁଏତ ଯୋଗୀନ୍ଦର ଭାରତ ବିଶ୍ଵକପ୍ ଚମ୍ପିଆନ ଦଳରେ ସେ ସଦସ୍ୟ ଥିଲେ ବୋଲି କେହି ମନେ ପକାଇ ପାରିଥାଆନ୍ତେ । ଫାଇନାଲ ମ୍ୟାଚରେ ପାକିସ୍ଥାନ ପାଇଁ ୧୩ ରନ୍ ଆବଶ୍ୟକ ଥିଲ ବିଜୟୀ ହେବା ପାଇଁ । ଭାରତ ପାଇଁ ଲୋଡ଼ାଥିଲା ଗୋଟିଏ ୱିକେଟ ଆଉ କ୍ରିଜରେ ଥିଲେ ଇନଫର୍ମ ବ୍ୟାଟ୍ସମ୍ୟାନ ମିଶବା ଉଲ ହକ୍ । ଏହି ସମୟରେ ଅନୁଭବୀ ହରଭଜନଙ୍କ ସ୍ଥାନରେ ଯୋଗୀନ୍ଦରଙ୍କୁ ବୋଲିଂ ପାଇଁ ଡ଼ାକିଥିଲେ ଧୋନୀ । ତାଙ୍କର ଏହି ନିଷ୍ପତ୍ତି ଅନେକଙ୍କୁ ଚକିତ କରିଥିଲା । ମାତ୍ର ଯୋଗୀନ୍ଦର ମ୍ୟାଚର ଶେଷ ଓଭରର ୩ୟ ବଲରେ ମିଶବାଙ୍କ ୱିକେଟ ଅକ୍ତିଆର କରି ଏହି ମ୍ୟାଚକୁ ଭାରତ ଓ ନିଜ ପାଇଁ ସ୍ମରଣୀୟ କରି ଦେଇଥିଲେ ।
୨. ଟି-୨୦ ବିଶ୍ଵକପରେ ବଲ୍ ଆଉଟ୍
ଏହା ମଧ୍ୟ ସେହି ବିଶ୍ଵକପ୍ (୨୦୦୭)ର ଘଟଣା । ଲିଗ ରାଉଣ୍ଡରେ ପାକିସ୍ଥାନ ବିରୋଧରେ ଭାରତର ମ୍ୟାଚ ଟାଇ ହୋଇଥିଲା । ମ୍ୟାଚର ଫଳାଫଳ ବଲ୍ ଆଉଟ ଜରିଆରେ ହେବାର ଥିଲା ଓ ଗୋଟିଏ ବଲରେ ୱିକେଟ ଭାଙ୍ଗିବା ଆହ୍ବାନପୂଣ୍ଣ ଥିଲା । ପାକିସ୍ତାନ ଅଧିନାୟକ ନିୟମିତ ବୋଲରଙ୍କୁ ଏଥିପାଇଁ ବାଛିଥିଲେ । ମାତ୍ର ଧୋନୀ ହରଭଜନଙ୍କ ବ୍ୟତୀତ ଦୁଇ ଅନିୟମିତ ବୋଲର ରବୀନ ଉତଥପା ଓ ବୀରେନ୍ଦ୍ର ସେହବାଗଙ୍କୁ ବାଛିଥିଲେ । ଆଉ ଧୋନୀଙ୍କ ଏହି ନିଷ୍ପତ୍ତି ସଫଳ ମଧ୍ୟ ହୋଇଥିଲା ।

୩. ଧୋନୀଙ୍କ ଛକ୍କା ଆଉ ଭାରତ ଚମ୍ପିଆନ

୨୦୧୧ ବିଶ୍ପକପ୍ ଫାଇନାଲରେ କୁଳଶେଖରଙ୍କ ବଲରେ ଧୋନୀ ମ୍ୟାଚ ବିଜୟୀ ଛକ୍କାକୁ କେହି ଭୂଲି ନ ଥିବେ । ୨୮ବର୍ଷ ପରେ ଭାରତ ଏହି ମ୍ୟାଚରେ ବିଜୟୀ ହୋଇ ବିଶ୍ଵଚମ୍ପିଆନ ହୋଇଥିଲା । ଫାଇନାଲରେ ଧୋନୀ ୯୧ ରନ୍ କରିଥିଲେ । ଏହା ପୂର୍ବରୁ ଲିଗମ୍ୟାଚଗୁଡ଼ିକରେ ଧୋନୀ ଏତେ ସଫଳ ହୋଇ ନ ଥିଲେ, ଅର୍ଧଶତକ ତ ଦୂରର କଥା । ମାତ୍ର ଫାଇନାଲ​‌ ମ୍ୟାଚରେ ଫର୍ମରେ ଥିବା ବ୍ୟାଟ୍ସମ୍ୟାନ ଯୁବରାଜ ସିଂହଙ୍କ ବଦଳରେ ୫ ନମ୍ବର ସ୍ଥାନରେ ନିଜେ ପଡ଼ିଆକୁ ଓହ୍ଲାଇଥିଲେ ଧୋନୀ । କ୍ରିଜରେ ବାମବାତୀ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଥିଲେ ଆଉ ତାଳମେଳ ରଖିବା ପାଇଁ ସେ ଯୁବରାଜଙ୍କ ସ୍ଥାନରେ ନିଜେ ବ୍ୟାଟିଂ କରିବାକୁଆସିଥିଲେ । ଦ୍ବିତୀୟ କାରଣ ଥିଲା ଶ୍ରୀଲଙ୍କା ସ୍ପିନରଙ୍କ ବିରୋଧରେ ସେ ଯୁବରାଜଙ୍କଠାରୁ ଅଧିକ ପ୍ରଭାବଶାଳୀ ହୋଇପାରିବେ ବୋଲି ତାଙ୍କର ବିଶ୍ଵାସ ଥିଲା ଓ ତାହା ମଧ୍ୟ କାର୍ଯ୍ୟକାରୀ କରିବାରେ ସେ ସଫଳ ହୋଇଥିଲେ ।

୪.ଯୁବରାଜଙ୍କୁ ବୋଲିଂ ଦାୟିତ୍ଵ

ପୂର୍ବରୁ ଯୁବରାଜ ସିଂହ ଜଣେ ଭଲ ବ୍ୟାଟ୍ସମ୍ୟାନ ଭାବରେ ପରିଚିତ ଥିଲେ । ଦଳରେ ତାଙ୍କର ପ୍ରବେଶ ମଧ୍ୟ ଏହି କାରଣରୁ ହୋଇଥିଲା । ମାତ୍ର ଧୋନୀ ୨୦୧୧ ବିଶ୍ଵକପରେ ଯୁବରାଜଙ୍କୁ ନିୟମିତ ବୋଲର ଭାବରେ ବ୍ୟବହାର କରିଥିଲେ ଓ ତାହା ସଫଳ ମଧ୍ୟ ହୋଇଥିଲା । ଯୁବରାଜ ୨୦୧୧ ବିଶ୍ଵକପର ୯ ମ୍ୟାଚରେ ୭୫ ଓଭର ବୋଲିଂ କରି ୧୫ ୱିକେଟ ଦଖଲ କରିଥିଲେ । କ୍ବାଟର, ସେମି ଓ ଫାଇନାଲରେ ୨ଟି ଲେଖାଏଁ ୱିକେଟ ପାଇଥିଲେ ।

୫- ରୈନା ଓ ଅଶ୍ଵିନଙ୍କ ଉପଯୁକ୍ତ ଉପଯୋଗ

୨୦୧୧ ବିଶ୍ପକପରେ ଅଧିନାୟକ ଧୋନୀ ଗୋପନ ରଣନୀତି ଆପଣେଇଥିଲେ । ସୁରେଶ ରୈନା ଓ ଆର୍.ଅଶ୍ଵିନୀଙ୍କୁ ସେ ଶେଷ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ ଓ ବିରୋଧୀଙ୍କ ବିରୋଧରେ ତାଙ୍କ ରଣନୀତି ସଫଳ ହୋଇଥିଲା । ଅଶ୍ଵିନୀ ୨୦୧୧ ବିଶ୍ଵକପରେ ୨ଟି ମ୍ୟାଚ ଖେଳିଥିଲେ । ଏହାମଧ୍ୟରୁ ଗୋଟିଏ ଥିଲା ଅଷ୍ଟ୍ରେଲିଆ ବିରୋଧରେ କ୍ବାଟର ଫାଇନାଲ । ଏହି ମ୍ୟାଚରେ ଅଶ୍ଵିନୀ ବୋଲିଂ ଆରମ୍ଭ କରିଥିଲେ । ଅଶ୍ଵିନୀ ଏହି ମ୍ୟାଚରେ ୨ଟି ୱିକେଟ ନେଇ ଅଷ୍ଟ୍ରେଲିଆ ଖେଳାଳିଙ୍କ ଲୟ ବିଗାଡ଼ି ଦେଇଥିଲେ ଓ ସୁରେଶ ରୈନା ଅପରାଜିତ ୩୪ ରନ ସଂଗ୍ରହ କରିଥିଲେ । ସେହିପରି ରୈନା ସେମିଫାଇନାଲ​‌ରେ ମଧ୍ୟ ପାକିସ୍ଥାନ ବିରୋଧରେ ଅପରାଜିତ ୩୬ ରନ କରିଥିଲେ ।

୬. ଆଶିଷ ନେହେରାଙ୍କୁ ସୁଯୋଗ

୨୦୧୧ ବିଶ୍ଵକପର ଆରମ୍ଭ ମ୍ୟାଚଗୁଡ଼ିକରେ ଫାଷ୍ଟ ବୋଲର ଆଶିଷ ନେହେରା ପ୍ରଭାବଶାଳୀ ହୋଇ ନ ଥିଲେ । ତଥାପି ପାକସ୍ଥାନ ବିରୋଧରେ ସେମିଫାଇନାଲ ମ୍ୟାଚରେ ଧୋନୀ ତାଙ୍କୁ ସୁଯୋଗ ଦେଇଥିଲେ । ସେଥିରେ ପ୍ରଭାବଶାଳୀ ହୋଇଥିଲେ ।  ଅଷ୍ଟ୍ରେଲିଆ ବିରୋଧରେ ପ୍ରଭାବଶାଳୀ ହୋଇଥିବା ଅଶ୍ଵିନୀଙ୍କ ସ୍ଥାନରେ ନେହେରାଙ୍କୁ ଦିଆଯାଇଥିବା ସୁଯୋଗ ସଫଳ ହୋଇଥିଲା । ସେମିଫାଇନାଲରେ ୧୦ ଓଭର ବୋଲିଂ କରି ନେହେରା ୩୩ରନ୍ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ। ଯାହା ଫଳରେ  ସେ ଫାଇନାଲ ଖେଳିବାର ସୁଯୋଗ ପାଇଥିଲେ ।

୭. ଯୁବ ଖେଳାଳିଙ୍କ ଉପରେ ଆସ୍ଥା

୨୦୦୮ରେ ଅଷ୍ଟ୍ରେଲିଆରେ ହୋଇଥିବା ତ୍ରିଦେଶୀୟ ସିରିଜ​‌ରେ ଧୋନୀ ଚୟନକର୍ତାଙ୍କ ନିକଟରେ ଯୁବ ଖେଳାଳିଙ୍କୁ ବାଛିବାକୁ ପ୍ରସ୍ତାବ ଦେଇଥିଲେ । ଅଷ୍ଟ୍ରେଲିଆର ବଡ଼ ପଡ଼ିଆରେ ବୟସ୍କ ଖେଳାଳିମାନେ ରନ୍ ରୋକିବାରେ ସଫଳ ହେବେ ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ । ଏହାକୁ ନେଇ ତାଙ୍କୁ ଢ଼େର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ମାତ୍ର ଧୋନୀ ନିଜ ନିଷ୍ପତ୍ତିରେ ଅଟଳ ଥିଲେ । ଶେଷରେ ଚୟନକର୍ତାଙ୍କୁ ଧୋନୀଙ୍କ କଥା ମାନିବାକୁ ପଡ଼ିଲା । ଆଉ ଧୋନୀ ଦଳକୁ ଚମ୍ପିଆନ କରି ନିଜର ଯୁକ୍ତିକୁ ଯଥାର୍ଥ ବୋଲି ପ୍ରମାଣିତ କରିଦେଲେ । ଗୌତମ ଗମ୍ଭୀର, ରୋହିତ ଶର୍ମା ଓ ପ୍ରବୀଣ କୁମାରଙ୍କ ପରି ଯୁବ ଖେଳାଳି ଏହି ମ୍ୟାଚରେ ସଫଳ ହୋଇଥିଲେ ।

୮.ଇଶାନ୍ତ ଶର୍ମାଙ୍କ ଉପରେ ବାଜି

୨୦୧୩ରେ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ଚମ୍ପିଆନ ଟ୍ରଫିରେ ବର୍ଷା ଯୋଗୁ ଫାଇନାଲ ମ୍ୟାଚକୁ ୨୦ ଓଭର କରି ଦିଆଯାଇଥିଳା ଓ ଭାରତ ବିରୋଧରେ ବିଜୟ ପାଇଁ ଇଂଲଣ୍ଡକୁ ଦିଆଯାଇଥିଲା ୧୩୦ ରନ ବିଜୟ ଲକ୍ଷ୍ୟ । ମୋର୍ଗାନ ଓ ବୋପାରାଙ୍କ ଦୃଢ଼ ବ୍ୟାଟିଂ ଯୋଗୁଁ ଇଂଲଣ୍ଡ ବିଜୟ ଦିଗରେ ଅଗ୍ରସର ହେଉଥିଲା । ଶେଷ ୩ ଓଭରରେ ୨୮ ରନ ଆବଶ୍ୟକ ଥିଲା ଓ ଏହି ସ୍ଥିତିରେ ସବୁଠୁ ବ୍ୟୟବହୁଳ ସାବ୍ୟସ୍ତ   ଇଶାନ୍ତଙ୍କୁ ଭରସା କରିଥିଲେ ଧୋନୀ । ଆଉ ଇଶାନ୍ତ ଗୋଟିଏ ଓଭରରେ ମୋର୍ଗାନ ଓ ବୋପାରାଙ୍କୁ ଆଉଟ କରି ଇଂଲଣ୍ଡର ବିଜୟ ଆଶାକୁ ଧୂଳିସାତ କରିଦେଇଥିଲେ ।

୯. ବଦଳିଲା ରୋହିତଙ୍କ ଭାଗ୍ୟ

କ୍ରିକେଟରେ ପ୍ରବେଶକ କରିବା ସମୟରେ ରୋହିତ ଶର୍ମା ମଧ୍ୟକ୍ରମରେ ବ୍ୟାଟିଂ କରୁଥିଲେ । ନିଜ ପ୍ରତିଭାନୁସାରେ ସେ ଠିକ୍ ପ୍ରଦର୍ଶନ କରିବାରେ ସଫଳ ହୋଇ ପାରି ନ ଥିଲେ । ଏହି ସମୟରେ ଧୋନୀ ଦିନିକିଆରେ ରୋହିତଙ୍କୁ ମ୍ୟାଚ୍ ଓପନିଂ କରିବାକୁ ସୁଯୋଗ ଦେଇଥିଲେ । ଆଉ ରୋହିତ ସଫଳ ମଧ୍ୟ ହୋଇଥିଲେ । ଏବେ ବିଶ୍ଵରେ ଅନ୍ୟତମ ଶ୍ରେଷ୍ଠ ଓପନର ଭାବରେ ରୋହିତ ଜଣେ ।

୧୦. ସବୁ ନିଷ୍ପତ୍ତି ସଠିକ୍ ସାବ୍ୟସ୍ତ

ଭାରତୀୟ କ୍ରିକେଟ ଟିମ ବ୍ୟତୀତ ଧୋନୀ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗକୁ ମଧ୍ୟ ସବୁଠୁ ସଫଳ ଦଳରେ ପରିଣତ କରିଛନ୍ତି । ଏପରିକି ନିଜ ଟିମ୍ ସେ ନିଜେ ବାଛିଛନ୍ତି ଓ ସଫଳ ହୋଇଛନ୍ତି । ଟିମର ପ୍ରମୋଟର ଏନ୍.ଶ୍ରୀନିବାସନ୍ ଚାହିଁବା ସତ୍ବେ ବି ଦଳରେ କୌଣସି ନୂଆ ଖେଳାଳିଙ୍କୁ ଅନୁବନ୍ଧିତ କରିବା ପ୍ରସ୍ତାବକୁ ଧୋନୀ ମନା କରିଦେଇଛନ୍ତି । ଧୋନୀଙ୍କ ପାଇଁ ସଫଳତା ହେଉଛି ଏକ ଜୁଆ ଓ ସେ ଜୁଆରେ ସେ ସବୁବେଳେ ସଫଳ ରହିଛନ୍ତି ।

Comments are closed.