ଗୃହରକ୍ଷୀଙ୍କ ସଚ୍ଚୋଟପଣିଆ; ଲାଞ୍ଚ ନେଲେନାହିଁ, ୧୨ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଧରାଇଦେଲେ

ଗୁଆହାଟି: ଖାକି ପୋଷାକ ପିନ୍ଧୁଥିବା ପୁଲିସ ଆଇନଶୃଙ୍ଖଳା ରକ୍ଷା ସହିତ ଅନେକ ସମୟରେ ସାଧାରଣ ନାଗରିକଙ୍କୁ ଶାରୀରିକ, ଆର୍ଥିକ ଆଦି ଅନେକ କ୍ଷେତ୍ରରେ ସହଯୋଗ, ସହାୟତା କରୁଥିବାର ଅନେକ ଉଦାହରଣ ରହିଛି। ଅବଶ୍ୟ ମଝିରେ ମଝିରେ କିଛି ଖାକି ପିନ୍ଧିଥିବା ବ୍ୟକ୍ତି ଏମିତି କିଛି କାମ କରୁଛନ୍ତି, ଯାହା ଖାକି ପୋଷାକରେ ଦାଗ ଲଗାଇ ଦେଉଛି। କିନ୍ତୁ ଏଠାରେ ସେହି ଖାକି ପୋଷାକ ପରିହିତ ଜଣେ ବ୍ୟକ୍ତିଙ୍କ କଥା କୁହାଯାଉଛି, ଯିଏ ସମୁଦାୟ ପୁଲିସ ବାହିନୀ ପାଇଁ ଗର୍ବ ପାଲଟିଛନ୍ତି।
ଆସାମ ପୁଲିସ ମଣିପୁରର କାର୍ବି ଆଙ୍ଗଲଙ୍ଗ ଜିଲାରୁ ଆସୁଥିବା ଏକ ଟ୍ରକର ପିଛା କରିଥିଲେ। ସୋମବାର ରାତିରେ ଏହି ଘଟଣା ଘଟିଥିଲା। ଉକ୍ତ ଟ୍ରକରୁ ୩ କିଲୋଗ୍ରାମ ଉଚ୍ଚମାନର କ୍ରିଷ୍ଟାଲ ମେଥାମ୍ଫେଟାଇମାଇନ ବଟିକା ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୧୨କୋଟି ଟଙ୍କା। ଏହି ଘଟଣାରେ ପୁଲିସ ଦୁଇଜଣ ବାଳିକା ଓ ଜଣେ ପୁରୁଷଙ୍କୁ ଗିରଫ କରିଥିଲା। ବାଳିକା ଦୁଇଜଣ ତାମିଲନାଡୁର ହୋଇଥିବାବେଳେ ପୁରୁଷ ଜଣକ ମଣିପୁରର ବାସିନ୍ଦା। ତେବେ ନିଶା ଦ୍ରବ୍ୟ ଧରାପଡିବା ପରେ ନିଶା କାରବାର କରୁଥିବା ଦଲାଲ ଉକ୍ତ ଜବତରେ ସାମିଲ ଥିବା ଗୃହରକ୍ଷୀଙ୍କୁ ବିପୁଳ ପରିମାଣର ଲାଞ୍ଚଯାଚି ସେମାନଙ୍କୁ ଛାଡିଦେବାକୁ କହିଥିଲେ। କିନ୍ତୁ ଗୃହରକ୍ଷୀ ବୋର୍ସିଂ ବେ ସିଧା ମନା କରିଦେଇଥିଲେ। ତାଙ୍କର କର୍ତ୍ତବ୍ୟନିଷ୍ଠା ଏବଂ ସଚ୍ଚୋଟପଣିଆ ପାଇଁ ଆସାମ ପୁଲିସ ମହାନିର୍ଦ୍ଦେଶକ ଉକ୍ତ ଗୃହରକ୍ଷୀଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଦେବା ସହିତ ସମ୍ମାନିତ କରିଛନ୍ତି।

Comments are closed.