ଡକୱର୍ଥ-ଲୁଇସ୍ ନିୟମର ଅନ୍ୟତମ ସ୍ରଷ୍ଟା ଟୋନି ଲୁଇସଙ୍କ ପରଲୋକ

ଲଣ୍ଡନ : ସୀମିତ ଓଭର କ୍ରିକେଟ୍ ରେ ବର୍ଷା ଯୋଗୁଁ ପ୍ରଭାବିତ ହେଉଥିବା ମ୍ୟାଚ୍ ପାଇଁ ଲାଗୁ ହେଉଥିବା ଡକୱର୍ଥ-ଲୁଇସ୍ ନିୟମର ଅନ୍ୟତମ ସ୍ରଷ୍ଟା ଟୋନି ଲୁଇସଙ୍କର ବୁଧବାର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଏନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ସୂଚନା ଦିଆଯାଇଛି। ଇସିବି ଏଥିପାଇଁ ଶୋକ ପ୍ରକାଶ କରିଛି।

ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏକ ବିବୃତ୍ତିରେ କହିଛି, ଟୋନି ଲୁଇସଙ୍କ ମୃତ୍ୟୁ ଖବର ଶୁଣି ଇସିବି ଅତ୍ୟନ୍ତ ଦୁଃଖିତ। ଲୁଇସ୍ ଓ ତାଙ୍କ ଗଣିତଜ୍ଞ ବନ୍ଧୁ ଫ୍ରାଙ୍କ ଡକ୍ଓ୍ବର୍ଥ ମିଳିତ ଭାବେ ଏହି ଡକ୍ଓ୍ବର୍ଥ – ଲୁଇସ୍ ମେଥଡ ବା ନିୟମ ପ୍ରସ୍ତୁତ କରିଥିଲେ। ଡକୱର୍ଥ-ଲୁଇସ୍ ନିୟମ ୧୯୭୭ରେ ଲାଗୁ ହୋଇଥିଲା ଏବଂ ୧୯୯୯ରେ ଆଇସିସି (ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ) ଦ୍ବାରା ଏହାକୁ ଆନୁଷ୍ଠାନିକ ଭାବେ ଲାଗୁ କରାଯାଇଥିଲା।
ଇସିବି କହିଛି ଯେ, ୨୦୧୪ ରେ ଏହି ପଦ୍ଧତିର ନାମ ଡକୱର୍ଥ-ଲୁଇସ୍-ଷ୍ଟର୍ନ ପଦ୍ଧତି ନାମରେ ନାମିତ କରାଯାଇଥିଲା। ଏହି ଗାଣିତିକ ସୂତ୍ର ସାରା ବିଶ୍ୱରେ ବର୍ଷା ପ୍ରଭାବିତ ସୀମିତ ଓଭର କ୍ରିକେଟ୍ ମ୍ୟାଚ୍ ରେ ବ୍ୟବହୃତ ହୁଏ। ଲୁଇସ୍ ଜଣେ କ୍ରିକେଟର ନୁହନ୍ତି, କିନ୍ତୁ କ୍ରିକେଟ୍ ଏବଂ ଗଣିତରେ ତାଙ୍କର ଅବଦାନ ପାଇଁ ୨୦୧୦ରେ ତାଙ୍କୁ ବ୍ରିଟିଶ ସାମ୍ରାଜ୍ୟର ସମ୍ମାନଜନକ ସମ୍ମାନ ଏମବିଇ(ମେମ୍ବର ଅଫ୍ ଦି ଅର୍ଡର ଅଫ୍ ଦି ବ୍ରିଟିଶ ଏମ୍ପାୟର) ପ୍ରଦାନ କରାଯାଇଥିଲା।

Comments are closed.