ଆସନ୍ତାକାଲି ହେବ ମିହିର ଦାସଙ୍କ ଶେଷକୃତ୍ୟ; ରାଜ୍ୟ ସରକାରଙ୍କ ପକ୍ଷରୁ ମିହିରଙ୍କୁ ଦିଆଯିବ ଗାର୍ଡ ଅଫ୍ ଅନର

ଭୁବନେଶ୍ବର: ବରିଷ୍ଠ ଓଲିଉଡ ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଯାଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଛି। ଅଭିନେତା ମିହିର ଦାସଙ୍କ ମରଶରୀରକୁ ତାଙ୍କ କଟକସ୍ଥିତ ବାସଭବନକୁ ନିଆଯାଇଛି। ଆସନ୍ତାକାଲି ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ। ଅଭିନେତା ମିହିର ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ନେଇ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ସୂଚନା ଦେଇଛନ୍ତି।

ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସ ଆଉ ନାହାନ୍ତି। ଜୀବନର ରଙ୍ଗମଞ୍ଚରେ ନିଜର ଅଭିନୟ ସାରି ସେ ବାହୁଡ଼ି ଯାଇଛନ୍ତି। କଟକର ଏକ ଘରୋଇ ହସ୍ପିଟାଲରେ ଆଜିି ଅପରାହ୍‌ଣରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ମିହିର ଦାସ। ମୃତ୍ୟୁ ବେଳକୁ ତାଙ୍କୁ ବୟସ ମାତ୍ର ୬୩ ବର୍ଷ ହୋଇଥିଲା। କିଡନି ବ୍ୟାଧିରେ ପୀଡ଼ିତ ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ୨୦୨୧ ଡିସେମ୍ବର ମାସ ୮ ତାରିଖରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘ‌ରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହାପର ଠାରୁ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ।

Comments are closed.