ଆସନ୍ତାକାଲିଠାରୁ କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ

ଭୁବନେଶ୍ୱର : ଆଉ ଟ୍ରାଫିକ୍ ନିୟମ ଉଲ୍ଲଘଂନକାରୀଙ୍କୁ ରକ୍ଷା ନାହିଁ। ଆସନ୍ତାକାଲିଠାରୁ କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ। ରବିବାରଠାରୁ ନୂଆ ସଂଶୋଧିତ ମୋଟରଯାନ ଆଇନ ଅନୁସାରେ ଉଲ୍ଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ଶନିବାର ରାଜ୍ୟ ପରିବହନ କମିସନର ରାଜ୍ୟର ସମସ୍ତ ଜିଲ୍ଲାପାଳ ଏସ୍‌ପି ଓ ଡିଏସ୍‌ପିମାନଙ୍କୁ ଚିଠି ଲେଖିଛନ୍ତି। ସରକାର ଦେଇଥିବା ୬ମାସ ଟ୍ରାଫିକ ନିୟମ କୋହଳ ଅବଧି ଆଜି ଶେଷ ହୋଇଯିବ। ଆସନ୍ତାକାଲିଠାରୁ(ମାର୍ଚ୍ଚ ୧) ଟ୍ରାଫିକ ନିୟମ କାର୍ଯ୍ୟକାରୀତାକୁ ତ୍ବରାନ୍ବିତ କରିବାକୁ ପରିବହନ କମିସନର ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ପହିଲାରେ ଦେଶରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହୋଇଥିଲା। ବିଭିନ୍ନ ସ୍ଥାନରେ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ରାଶି ଆଦାୟ କରାଯାଇଥିଲା। ଏହାକୁ ନେଇ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଥିଲା। ପରେ ସଂଶୋଧିତ ମୋଟରଯାନ ଆଇନକୁ କୋହଳ କରିବା ପାଇଁ ବିଭିନ୍ନ ମହଲରୁ ଦାବି ମଧ୍ୟ ଉଠିଥିଲା। ପ୍ରଥମେ ତିନି ମାସ ଯାଏଁ ଓ ପରେ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ନିୟମକୁ କୋହଳ କରାଯାଇଥିଲା। ଗାଡିର ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ସାଧାରଣ ଲୋକଙ୍କୁ ୬ ମାସର କଣ୍ଟ ଦିଆଯାଇଥିଲା। ଆସନ୍ତାକାଲିଠାରୁ ଏହି କଣ୍ଟ ଶେଷ ହେବାକୁ ଯାଉଛି। ତେଣୁ ପୁଣି ସଂଶୋଧିତ ମୋଟରଯାନ ଆଇନ୍ କଡାକଡି ଭାବେ ଲାଗୁ କରାଯିବ। ରାଜ୍ୟରେ ୭୦ ପ୍ରତିଶତ ପୁଲିସ କର୍ମଚାରୀ ଗାଡି ମୋଟର ଯାଞ୍ଚରେ ନିୟୋଜିତ ହେବେ। ନୂଆ ମୋଟରଯାନ ଆଇନ ଅନୁଯାୟୀ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

Comments are closed.