ଟୋଲ ପ୍ଲାଜାରେ ଆଜିଠୁ ଟିକସ ଆଦାୟ

ଲକ୍‌ ଡାଉନ୍‌ ଶେଷ ଯାଏ ଆଦାୟ ବନ୍ଦ ରଖିବାକୁ ଦାବି କଲା ପରିବହନ ସଂଘ

ଭୁବନେଶ୍ବର (ବ୍ୟୁରୋ) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲାଗୁ କରାଯାଇଥିବା ଲକ୍‌ ଡାଉନ୍‌ ପାଇଁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ମାର୍ଚ୍ଚ ୨୫ରେ ଟୋଲ୍‌ ଆଦାୟ ବନ୍ଦ କରିଥିଲେ ।  ସୋମବାରଠାରୁ ଦେଶରେ ରହିଥିବା ଟୋଲ୍‌ ପ୍ଲାଜାଗୁଡିକରେ ଟୋଲ୍‌ ଆଦାୟ ଆରମ୍ଭ ହେବ ।  ଲକ୍‌ ଡାଉନ୍‌ ଅବଧି ମେ ୩ ଯାଏ ବଢିବା ଯୋଗୁ ୨୦ରୁ ପୁଣି ଥରେ ଟୋଲ ଆଦାୟ ଆରମ୍ଭ ନିମନ୍ତେ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି ଦେଶର ପରିବହନ ସଂଘ ।  ସଂଘର କହିବା ମୁତାବକ ବର୍ତ୍ତମାନ ସ୍ଥିତିରେ ମାଲ ପରିବହନ କରୁଥିବା ଟ୍ରକଗୁଡିକରୁ ଟୋଲ ଆଦାୟ କଲେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପ୍ରଭାବିତ ହେବ ଓ ପରିଣତିସ୍ବରୂପ ଦରଦାମ ବୃଦ୍ଧି ପାଇବାର ଆଶଙ୍କା ରହିଛି । 

ଅଖିଳ ଭାରତ ମୋଟର ପରିବହନ କଂଗ୍ରେସର ଉପସଭାପତି ରବି ଶତପଥୀ କୁହନ୍ତି, ଏଠାକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକଗୁଡିକୁ ରିଟର୍ଣ୍ଣ ଭଡା ମିଳୁନାହିଁ ।  ବର୍ତ୍ତମାନ ଟୋଲ ଆଦାୟ କରାଯାଏ ତେବେ ବିଜୟୱାଡାରୁ ଆସୁଥିବା ଏକ ମାଛ ବା ଅଣ୍ଡା ବୋଝେଇ ଟ୍ରକକୁ ଭୁବନେଶ୍ବର ପାଇଁ ୬୦୦୦ ଟଙ୍କାର ଟୋଲ ଟିକସ ଦେବାକୁ  ପଡ଼ିବ।  ଏଭଳି କ୍ଷେତ୍ରରେ ବାହାରୁ ଆଉ ଟ୍ରକ ରାଜ୍ୟକୁ ଭଡା ନେଇ ଆସିବେ ନାହିଁ କିମ୍ବା ଉଚ୍ଚ ଭଡାରେ  ଆସିବେ ।  ଏଥିପାଇଁ ସରକାର ଲକ୍‌ ଡାଉନ୍‌ ଶେଷ ଯାଏ ଟୋଲ ଆଦାୟ ବନ୍ଦ ରଖିବାକୁ ଶ୍ରୀ ଶତପଥୀ ଦାବି କରିଛନ୍ତି । ସଂଘ ପକ୍ଷରୁ ଏ ନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରାଯାଇଛି ଓ ସେ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଶତପଥୀ କହିଛନ୍ତି ।

Comments are closed.