କରୋନା ଭୟ, ଓହରିଲେ ୧୦ ହଜାର ସ୍ବେଚ୍ଛାସେବୀ

ଟୋକିଓ: କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍‌ସ -୨୦୨୦ ଆଉ ୫୦ ଦିନ ପରେ ଆରମ୍ଭ ହେବ। ଆସନ୍ତା ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍‌ସ ସମୟ ଯେତିକି ପାଖେଇ ଆସୁଛି ଉତ୍ସାହ ଓ ଆଶଙ୍କା ମଧ୍ୟ ସେତିକି ବଢିବା​‌ରେ ଲାଗିଛି। କରୋନା ମହାମାରୀ ବିଶ୍ବରେ ଆତଙ୍କ ସୃଷ୍ଟି କରି ଚାଲିଥିବା ବେଳେ ଅଲିମ୍ପିକସ ଆୟୋଜନ କରିବା ଜାପାନ ପାଇଁ ଆହ୍ବାନକର ହୋଇପଡ଼ିଛି। ୮୦ପ୍ରତିଶତ ଜାପାନବାସୀ ଟୋକିଓ ଅଲିମ୍ପିକ୍‌ସ ସ୍ଥଗିତ କରିବା ନେଇ ଦାବି କରୁଥିବା ବେଳେ ଏଭଳି ସ୍ଥଳେ ଆୟୋଜକଙ୍କୁ ଆଉ ଏକ ଧକ୍କା ଲାଗିଛି। ଆଶା ଓ ଆଶଙ୍କା ମଧ୍ୟରେ ରହିଥିବା ଟୋକିଓ ଅଲିମ୍ପିକ୍‌ସକୁ ଆଉ ଏକ ଝଟ୍‌କା ଲାଗିଛି।

ଟୋକିଓ ଅଲିମ୍ପିକ୍‌ସ ପାଇଁ ନିଯୁକ୍ତ ହୋଇଥିବା ୧୦ ହଜାର ସ୍ବେଚ୍ଛାସେବୀ କରୋନା ମହାମାରୀ ଭୟରେ ଓହରି ଯାଇଛନ୍ତି। ୧୦ ହଜାର ସ୍ବେଚ୍ଛାସେବୀ ଓହରି ଯିବାକୁ ନେଇ ଟୋକିଓ ଅଲିମ୍ପିକ୍‌ସ-୨୦୨୦ ଅଧ୍ୟକ୍ଷ ସିକୋ ହାସିମୋଟୋ କହିଛନ୍ତି ଯେ, ପରିସ୍ଥିତି ଉପରେ ନଜର ରଖାଯାଇଛି। ଅତ୍ୟନ୍ତ ଜଟିଳ ପରିସ୍ଥିତି ସୃଷ୍ଟି ହୋଇନାହିଁ। ପରିସ୍ଥିତି ଅଣାୟତ୍ତ ହେଲେ ଏ ଉପରେ ଗୁରୁତର ସହ ଆଲୋଚନା କରାଯିବ। ଏବେ ବିଭିନ୍ନ ଦେଶର ଖେଳାଳିମାନେ ଆଗମନ ନେଇ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ନିର୍ଦ୍ଧାରିତ ସମୟରେ ଆୟୋଜନ କରିବା ନେଇ ଆମେ ଦୃଢ ଆଶାବାଦୀ ରହିଛୁ ବୋଲି ହାସିମୋଟୋ କହିଛନ୍ତି। କରୋନା ମହାମାରୀ ପାଇଁ ଏକାଧିକ ଦେଶର ଖେଳାଳି ଓହରି ଯିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଯାହା ଏକ ଚିନ୍ତାର ବିଷୟ। ୮୦ ପ୍ରତିଶତ ଜାପାନବାସୀ ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍‌ସ ଆୟୋଜନ ନେଇ ବିରୋଧ କରିଛନ୍ତି। ପୂରା ଦେଶରେ ଟିକାକରଣ ପ୍ରକ୍ରିୟାକୁ ଶେଷ କରିବା ନେଇ ଯୁଦ୍ଧକାଳୀନ ଭିତ୍ତିରେ ଟିକା ପ୍ରଦାନ କରାଯାଉଛି।

Comments are closed.