ବିନା ଦର୍ଶକରେ ଆୟୋଜିତ ହୋଇପାରେ ଟୋକିଓ ଅଲିମ୍ପିକ୍ସ

ଟୋକିଓ: ଆସନ୍ତା ଜୁଲାଇରେ ଜାପାନର ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସ ବିନା ଦର୍ଶକରେ ଆୟୋଜିତ ହେବାର ସମ୍ଭାବନା ରହିଥିବା ଶୁକ୍ରବାର ସୂଚନା ଦେଇଛନ୍ତି ଆୟୋଜକ କମିଟି ସଭାପତି ସେଇକୋ ହାସିମୋଟୋ। କରୋନା ସଂକ୍ରମଣର ଦ୍ବିତୀୟ ଲହର ଜାରି ରହିଥିବାରୁ ଆୟୋଜକ କମିଟି ଅଲିମ୍ପିକ୍ସ ସମୟରେ ଦର୍ଶକଙ୍କ ଉପସ୍ଥିତି ସଂପର୍କରେ ନିଷ୍ପତ୍ତି ନେବାକୁ କିଛିଦିନ ଅପେକ୍ଷା କରିବ ବୋଲି ଜଣାପଡ଼ିଛି।

ସୂଚନାଥାଉକି ଟୋକିଓ ଅଲିମ୍ପିକ୍ସରେ ବିଦେଶୀ ଦର୍ଶକଙ୍କୁ ପୂର୍ବରୁ ବାରଣ କରାଯାଇଥିବା ବେଳେ ଘରୋଇ (ଜାପାନ) ଦର୍ଶକ ଅଲିମ୍ପିକ୍ସ ସମୟରେ ଉପସ୍ଥିତ ରହିବେ କି ନାହିଁ ସେ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା ଜୁନରେ ନିଆଯିବାର ସମ୍ଭାବନା ରହିଛି ବୋଲି ହାସିମୋଟୋ କହିଛନ୍ତି। ବିନା ଦର୍ଶକରେ ଅଲିମ୍ପିକ୍ସ ଆୟୋଜିତ ହେବା ଫଳରେ ପ୍ରତିଯୋଗୀ, ପ୍ରଶିକ୍ଷକ ଓ ଅଧିକାରୀଙ୍କ ସ୍ବାସ୍ଥ୍ୟ ଉପରେ କୌଣସି କୁପ୍ରଭାବ ପଡ଼ିବାର ଆଶଙ୍କା ରହିବ ନାହିଁ ବୋଲି ହାସିମୋଟୋ ସ୍ପଷ୍ଟ କରି ଦେଇଛନ୍ତି।

ମିଳିଥିବା ସୂଚନାନୁଯାୟୀ ଜାପାନରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଜାରି ରହିଥିବାରୁ କେତେକ ସହରରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି। ଏପରି ସ୍ଥିତିରେ ଟୋକିଓ ଅଲିମ୍ପିକ୍ସ ବାତିଲ କରିବାକୁ କିମ୍ବା ବିଳମ୍ବରେ ଆୟୋଜନ ପାଇଁ ଅଧିକାଂଶ ଜାପାନବାସୀ ମତ ଦେଇଛନ୍ତି। ତେବେ ଟୋକିଓ ଅଲିମ୍ପିକ୍ସ ନିର୍ଦ୍ଧାରିତ ସମୟରେ ଆୟୋଜିତ ହେବ ବୋଲି ଆୟୋଜକ କମିଟି ସ୍ପଷ୍ଟ କରିଛି। ସେହିପରି ଏଥିରେ ଭାଗ ନେବାକୁ ଥିବା ଆଥଲେଟ୍ମାନଙ୍କୁ ସଙ୍ଗରୋଧରେ ରଖାଯିବ ନାହିଁ କିମ୍ବା କରୋନା ଟିକା ନେବା ସେମାନଙ୍କୁ ବାଧ୍ୟ କରାଯିବ ନାହିଁ ବୋଲି ଆୟୋଜକ କମିଟି ନିଷ୍ପତ୍ତି ନେଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୋକିଓର ସ୍ବାସ୍ଥ୍ୟସେବା ଉପରେ ଚାପ ରହିଥିବା ବେଳେ ଟୋକିଓ ଅଲିମ୍ପିକ୍ସ ଆୟୋଜିତ ହେଲେ ସ୍ବାସ୍ଥ୍ୟସେବା ଉପରେ ଆହୁରି ଅଧିକ ଚାପ ପଡ଼ିବ ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି।

Comments are closed.