ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କଲେ ଶିବପାଲ୍‌

ନୂଆଦିଲ୍ଲୀ, ୧୧ା୩ : ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି ଭାରତୀୟ ପୁରୁଷ ଜାଭେଲିନ୍‌ ଫିଙ୍ଗାଳି ଶିବପାଲ୍‌ ସିଂହ। ପଟ୍‌ଚେଫଷ୍ଟ୍ରୁମ୍‌ରେ ଆୟୋଜିତ ଏକ ଅନ୍ତର୍ଜାତୀୟ ଦୌଡ଼ ପ୍ରତିଯୋଗିତାରେ ଭାଗ​‌ ନେଇ ୨୪ ବର୍ଷୀୟ ଶିବପାଲ୍‌ ୮୫.୪୭ ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗି ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ଆଥଲେଟିକ୍‌ ମହାସଂଘ ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି। ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ ପାଇଁ ପ୍ରତିଯୋଗୀଙ୍କୁ ୮୫ ମିଟର ଦୂରକୁ ଜାଭେଲିନ୍‌ ପିଙ୍ଗିବାର ଥିଲା। ଶିବପାଲ୍ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିବା ସହ ସ୍ବର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ଅନ୍ୟତମ ଭାରତୀୟ ଜାଭେଲିନ୍‌ ଫିଙ୍ଗାଳି ଆକାଶଦୀପ୍‌ ସିଂହ ୭୫ ମିିଟର ଦୂରକୁ ଜାଭେଲିନ୍‌ ଫିଙ୍ଗି ତୃତୀୟ ସ୍ଥାନରେ ରହିଥିଲେ। ସୂଚନାଥାଉକି ପୂର୍ବରୁ ଭାରତର ତାରକା ଜାଭେଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ସେ ଗତ ଜାନୁଆରୀ​‌ରେ ଆୟୋଜିତ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ୮୭.୮୬ ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗି ଟୋକିଓ ଅଲିମ୍ପିକ୍‌ ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିଲେ।
ଏହି ଦୁଇଜଣଙ୍କ ବ୍ୟତୀତ ୨୦ କିମି ଚାଲିବାରେ କେଟି ଇର୍ଫାନ୍‌, ପୁରୁଷ ଷ୍ଟିପୁଲଚେଜ୍‌ରେ ଅଭିନାଶ ସାବେଲ୍‌ ଓ ଭାରତୀୟ ୪ ଗୁଣା ୪୦୦ ମିଟର ମିକ୍ସଡ୍‌ ରିଲେ ଦଳ ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।

Comments are closed.