କରୋନା ପାଇଁ ବର୍ଷେ ଘୁଞ୍ଚିଲା ‘ଟୋକିଓ ଅଲମ୍ପିକ୍ସ’

ସମାଜ ପୋର୍ଟାଲ ଡେସ୍କ:  ସମଗ୍ର ବିଶ୍ବରେ ଭୟାବହ ସ୍ଥିତି ସୃଷ୍ଟି କରିଥିବା କରୋନା ଭାଇରସ୍ କାରଣରୁ ଟୋକିଓ ଅଲମ୍ପିକ୍ସକୁ ବର୍ଷେ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଚଳିତ ବର୍ଷ ଜୁଲାଇ ୨୪ରେ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସକୁ ଆସନ୍ତାବର୍ଷ ପର୍ଯ୍ୟନ୍ତ ସ୍ଥଗିତ ପାଇଁ ନିଷ୍ପତ୍ତି ହୋଇଛି। ମଙ୍ଗଳବାର ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏବଂ ଆନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି (ଆଇଓସି) ସଭାପତି ଥୋମାସ୍ ବାକ୍ ବୈଠକ କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି।

ଅଲମ୍ପିକ୍ସ ପାଇଁ ପୁର୍ଣ୍ଣ ପ୍ରସ୍ତୁତ ହୋଇସାରିଥିବା ଟୋକିଓ ସହର ପାଇଁ ଏହା ଏକ ଝଟକା ହୋଇପାରେ କାରଣ ଅଲମ୍ପିକ୍ସ ପାଇଁ ଷ୍ଟାଡିୟମ ବହୁ ପୂର୍ବରୁ ପ୍ରସ୍ତୁତ ହୋଇସାରିଥିବା ବେଳେ ବହୁ ସଂଖ୍ୟକ ଟିକେଟ୍ ମଧ୍ୟ ବିକ୍ରି ହୋଇସାରିଥିଲା। କରୋନା ପାଇଁ ବର୍ତ୍ତମାନ ସମଗ୍ର ବିଶ୍ବ ଚିନ୍ତାରେ ଥିବା କାରଣରୁ ବର୍ଷେ ଯାଏଁ ଅଲମ୍ପିକ୍ସକୁ ସ୍ଥଗିତ ରଖିବା ପାଇଁ ଆନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି (ଆଇଓସି) ଉପରେ ଚାପ ପଡିଥିଲା।

କରୋନା କାରଣରୁ ବହୁ ଖେଳାଳି ଅଲମ୍ପିକ୍ସ ପୂର୍ବ ପ୍ରସ୍ତୁତି ମଧ୍ୟ କରିପାରିନଥିବା ବେଳେ ଅଧିକାଂଶ ଅଲମ୍ପିକ୍ସ ଯୋଗ୍ୟତା ହାସଲ ପ୍ରତିଯୋଗୀତା ମଧ୍ୟ ବାତିଲ ରହିଛି। ଏଥି ସହି ସବୁଠୁ ବଡ କଥା ହେଉଛି ଅଲମ୍ପିକ୍ସ ପୂର୍ବରୁ ସମଗ୍ର ବିଶ୍ବକୁ ଯେଉଁ ମଶାଲ ଯାତ୍ରା କରାଯାଏ ତାହା ମଧ୍ୟ ବାତିଲ ରହିଛି।
ଗତ ରବିବାର ଆନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି (ଆଇଓସି) ଖେଳ ହେବ କି ନାହିଁ ନିଷ୍ପତ୍ତି ନେବା ପାଇଁ ୪ ସପ୍ତାହ ସମୟ ଧାର୍ଯ୍ୟ କରିଥିଲେ, କିନ୍ତୁ ଏହାରି ମଧ୍ୟରେ କାନାଡା ଏବଂ ଅଷ୍ଟ୍ରେଲିଆ ସେମାନଙ୍କ ଦଳ ଅଲମ୍ପିକ୍ସ ପାଇଁ ପଠାଇବାକୁ ମନା କରିଦେଇଥିଲେ। ଅନ୍ୟପେଟ ବିଶ୍ବର ପ୍ରଭାବଶାଳୀ ଅଲମ୍ପିକ୍ସ କମିଟି ଆମେରିକା ଏବଂ ବିଶ୍ବ ଆଥଲେଟିକ୍ସ ମଧ୍ୟ ଅଲମ୍ପିକ୍ସକୁ ବର୍ତ୍ତମାନ ପରିସ୍ଥିତିରେ ସ୍ଥଗିତ ରଖିବା ପାଇଁ ଆଇଓସି ଉପରେ ଚାପ ପ୍ରଯୋଗ କରିଥିଲେ।

Comments are closed.