ଅଲିମ୍ପିକ୍‌ସ ଏକବର୍ଷ ସ୍ଥଗିତ : ଖେଳାଳିଙ୍କ ପାଇଁ ଆଶୀର୍ବାଦ ନାଁ ଅଭିଶାପ

କଟକ : କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍‌ସ ପ୍ରତି ୪ ବର୍ଷରେ ଥରେ ଆୟୋଜିତ ହୋଇଥାଏ। ଅଲିମ୍ପିକ୍‌ସରେ ପ୍ରତିନିଧିତ୍ବ କରିବା ପ୍ରତ୍ୟେକ ଖେଳାଳିଙ୍କ ପ୍ରଥମ ଲକ୍ଷ୍ୟ ରହିଥାଏ। ବିଶ୍ବ ଚମ୍ପିଆନସିପ୍‌ ଓ ବିଶ୍ବକପ ଭଳି ପ୍ରତିଯୋଗିତା ଅପେକ୍ଷା ଅଲିମ୍ପିକ୍‌ସ ଉପରେ ଖେଳାଳିମାନେ ନଜର ରଖିଥାନ୍ତି। ୨୦୧୬ ରିଓ ଅଲିମ୍ପିକ୍‌ସ ଶେଷ ହେବା ପରେ ଖେଳାଳିମାନେ ଆଉ ଏକ ଅଲିମ୍ପିକ୍‌ସ ୨୦୨୦ ଟୋକିଓ ଉପରେ ସମସ୍ତେ ନଜର ରଖିଥିଲେ। ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ୟ୍ୟନ୍ତ ଖେଳାଯିବାକୁ ଥିବା ଏହି କ୍ରୀଡ଼ା ମହାକୁମ୍ଭ ନେଇ ଖେଳାଳିମାନେ ପ୍ରସ୍ତୁତି ଜୋରଦାର କରିଥିଲେ। ଭାରତୀୟ ଖେଳାଳି ମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ିନଥିଲେ। କରୋନା ମହାମାରୀ ଟୋକିଓ ଅଲିମ୍ପିକ୍‌ସ ଉପରେ କଳାବାଦଲ ଶେଷରେ ଢାଙ୍କି ଦେଇଛି। ଫଳରେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ସ କମିଟି (ଆଇଓସି) ଓ ଆୟୋଜକ ଜାପାନ ଅଲିମ୍ପିକ୍‌ସ କମିଟି ଟୋକିଓ ଅଲିମ୍ପିକ୍‌ସକୁ ଏକବର୍ଷ ସ୍ଥଗିତ ରଖିବା ସହିତ ୨୦୨୧କୁ ଘୁଞ୍ଚାଇ ଦେଇଛନ୍ତି। ଏଭଳି ନିଷ୍ପତ୍ତିକୁ ଅନେକ ଖେଳାଳିଙ୍କ ପାଇଁ ଆଶୀର୍ବାଦ ପାଲଟିଥିବାବେଳେ ଆଉ କିଛି ଖେଳାଳିଙ୍କ ପାଇଁ ଅଭିଶାପ ପାଲଟିଛି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଲିମ୍ପିକ୍‌ସ ଯୋଗ୍ୟତା ପର୍ୟ୍ୟାୟ ପ୍ରତିଯୋଗିତା ସ୍ଥଗିତ ହୋଇଯିବା ପରେ କିଛି ଖେଳାଳି ଅଲିମ୍ପିକ୍‌ସରେ ଖେଳିବା ନେଇ ଚିନ୍ତାରେ ପଡ଼ିଥିଲେ। ଅଲିମ୍ପିକ୍‌ସ୍‌ ସ୍ଥଗିତ ହେବା ପରେ ଉକ୍ତ ଖେଳାଳିମାନଙ୍କୁ ବେଶ ଆଶ୍ବସ୍ତି ଲାଭ କରିଛନ୍ତି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ବର୍ଷବର୍ଷ ଧରି ଅଲିମ୍ପିକ୍‌ସରେ ଖେଳିବା ନେଇ ପ୍ରସ୍ତୁତି ଚଳାଇଥିବା ଖେଳାଳିମାନଙ୍କ ପାଇଁ ଅଲିମ୍ପିକ୍‌ସ ସ୍ଥଗିତ ଅଭିଶାପ ସଦୃଶ ହୋଇଛି। ଏକବର୍ଷ ଅନେକ ଖେଳାଳିଙ୍କ ପାଇଁ ବହୁତ କଷ୍ଟଦାୟକ ସମୟ ପାଲଟିଛି। ବିଶେଷ କରି କ୍ୟାରିୟରର ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିଥିବା ଖେଳାଳିମାନଙ୍କ ପାଇଁ କଷ୍ଟଦାୟକ ​‌େ​‌ହୋଇଥିବାବେଳେ ଯୁବ ଖେଳାଳିମାନଙ୍କ ପାଇଁ ଆଶା ସଞ୍ଚାର କରିଛି। ସିନିୟର ଖେଳାଳିମାନଙ୍କ ବୟସ ବଢିବା ସହିତ ପ୍ରଦର୍ଶନରେ ମଧ୍ୟ ଅସ୍ଥିରତା ସୃଷ୍ଟି ହେବ। ଯାହାକୁ ନେଇ ଭାରତ ସମେତ ବିଶ୍ବର ଅନ୍ୟ ଦେଶର ଖେଳାଳିମାନଙ୍କୁ ଚିନ୍ତାରେ ପକାଇଛି। ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିବା ପରେ ପ୍ରସ୍ତୁତିକୁ ଜୋରଦାର ଚଳାଇଥିଲେ। ପୁରୁଷ ହକି ଦଳ ଅଲିମ୍ପିକ୍‌ସ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି କୋଚ ଗ୍ରାହାମ ରିଡ୍‌ଙ୍କ ନେତୃତ୍ବରେ ପ୍ରଶିକ୍ଷଣ ଚଳାଇଥିଲା। ସମୟକୁ ଅପଚୟ ନକରି କରୋନା ସଂକ୍ରମଣ ପାଇଁ ସାରା ଭାରତ ଲକ୍‌ଡାଉନ୍‌ ହୋଇଥିବାବେଳେ ଖେଳାଳିମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ବେଙ୍ଗାଲୁରୁ ସାଇ ସେଣ୍ଟରରେ ଅଭ୍ୟାସ ଜାରି ରଖିଥିଲେ। ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଅଲିମ୍ପିକ୍‌ସ ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ମଧ୍ୟ ନିଜକୁ ପ୍ରସ୍ତୁତି ଚଳାଇଥିଲେ। ଏବେ ଏକବର୍ଷ ଘୁଞ୍ଚିବା ପରେ ଦଳର କିଛି ଖେଳାଳି ଅଲିମ୍ପିକ୍‌ସରେ ଖେଳିବା ଆଶଙ୍କା ସୃଷ୍ଟି ହୋଇଛି। ଅମିତ ପ୍ରଥମ ଥର ଅଲିମ୍ପିକ୍‌ସ ଖେଳିବା ନେଇ ଆଶା ବାନ୍ଧି ବସିଥିବାବେଳେ ବୀରେନ୍ଦ୍ର ଦ୍ବିତୀୟ ଥର ଖେଳିବାର ଲକ୍ଷ୍ୟ ରଖିଥିଲେ। ଏବେ ଏକବର୍ଷ ଘୁଞ୍ଚିବା ପରେ ଏମାନଙ୍କ ପାଇଁ ଆଶା ଓ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଯୁବ ଖେଳାଳି ଶୀଳାନନ୍ଦ ଲାକ୍ରା, ସୁମନ ବେକ୍‌ ଓ ପ୍ରତାପ ଲାକ୍ରାଙ୍କ ଭଳି ଓଡ଼ିଆ ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି।
ମହିଳା ହକି ଦଳର ମଧ୍ୟ ସମାନ ଦଶା। ୨୦୧୬ ରିଓ ଅଲିମ୍ପିକ୍‌ସ ପରେ ଲଗାତାର ଦ୍ବିତୀୟ ଥର ପାଇଁ ମହିଳା ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍‌ସ ଖେଳିବା ନେଇ ଯୋଗ୍ୟତା ହାସଲ କରିଛି। ଅଲିମ୍ପିକ୍‌ସରେ ଭଲ ପ୍ରଦର୍ଶନ ନେଇ ମଧ୍ୟ ହକି ଇଣ୍ଡିଆ ଜୋରଦାର ପ୍ରସ୍ତୁତି ଚଳାଇଥିଲା। ଏକବର୍ଷ ଘୁଞ୍ଚିବା ପରେ କିଛି ଖେଳାଳିଙ୍କ ପାଇଁ କାଳ ପାଲଟିଛି। ପ୍ରଦର୍ଶନ, ବୟସ ଦଳରେ ସ୍ଥାନ ପାଇବା ନେଇ ବଡ ସମସ୍ୟା ସୃଷ୍ଟି କରିବାବେଳେ ଯୁବ ଖେଳାଳିଙ୍କ ପାଇଁ ମଧ୍ୟ ବାଟ ଫିଟିବ। ମହିଳା ଶିବିରରେ ସ୍ଥାନ ପାଇଥିବା ଓଡ଼ିଆ ଖେଳାଳି ଲିଲିମା ମିଞ୍ଜ, ଦୀପ୍‌ଗ୍ରେସ ଏକ୍କା ଓ ନମିତା ଟପ୍ପୋ ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍‌ସ ଖେଳିବା ଆଶା ରଖିଥିବାବେଳେ ଏକବର୍ଷ ପରେ କଣ ସ୍ଥିତି ରହିବ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଯୁବା ଖେଳାଳି ମାରିଆନା କୁଜୁରଙ୍କ ପାଇଁ ଏବେ ଅଲିମ୍ପିକ୍‌ସ ସ୍ବପ୍ନ ବାସ୍ତବରେ ପରିଣତ ନେଇ ଆଶା ସଞ୍ଚାର ହୋଇଛି। କେବଳ ହକି ନୁହେଁ ଆଥ୍‌ଲେଟ୍‌ ଓ ଅନ୍ୟାନ୍ୟ କ୍ରୀଡ଼ାରେ ମଧ୍ୟ ଖେଳାଳିମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଦେଖାଦେଇଛି। ଓଡ଼ିଆ ଖେଳାଳିଙ୍କୁ ନଜରକୁ ଆଣିଲେ ଅଲିମ୍ପିଆନ ସ୍ପ୍ରିଣ୍ଟର ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲକୁ ନେଇ ଚିନ୍ତାରେ ରହିଥିଲେ। ଏକବର୍ଷ ସ୍ଥଗିତ ହେବା ପରେ ତାଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। କେବଳ ଦୂତି ନୁହେଁ ଶ୍ରାବଣୀ ନନ୍ଦ, ଅମୀୟ ମଲ୍ଲିକ, ପୂର୍ଣ୍ଣିମା ହେମ୍ବ୍ରମଙ୍କ ଭଳି ଆଥ୍‌ଲେଟ୍‌ଙ୍କ ପାଇଁ ସୁଯୋଗ ଆଣିପାରିଛି। ଅଲିମ୍ପିକ୍‌ସ ସହ ପାରା ଅଲିମ୍ପିକ୍‌ସ କ୍ରୀଡ଼ା ମଧ୍ୟ ସ୍ଥଗିତ ହୋଇଛି। ଓଡ଼ିଶା ପାଇଁ ଅଲିମ୍ପିକ୍‌ସ ପଦକ ଆଶା ସୃଷ୍ଟି କରିଥିବା ବିଶ୍ବର ଏକ ନମ୍ବର ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଟୋକିଓ ପାରା ଅଲିମ୍ପିକ୍‌ସ କ୍ରୀଡ଼ା ଲାଗି ଏକପ୍ରକାର ଯୋଗ୍ୟତା ହାସଲ କରିନେଇଥିଲେ। ଏବେ ଏକବର୍ଷ ମଧ୍ୟ ପାରା ଅଲିମ୍ପିକ୍‌ସ ଘୁଞ୍ଚିବା ପରେ ତାଙ୍କ ପାଇଁ ବଡ କଷ୍ଟଦାୟକ ହୋଇଛି। ଯାହା ବି ହେଉ ଖେଳ ଓ ଖେଳାଳିଙ୍କ ସ୍ବାର୍ଥକୁ ଦେଖିଲେ ଅଲିମ୍ପିକ୍‌ସ ସ୍ଥଗିତ ସ୍ବାଗତଯୋଗ୍ୟ ପଦକ୍ଷେପ। ନିଷ୍ପତ୍ତି ସବୁ ଖେଳାଳିଙ୍କ ପାଇଁ ସମାନ ବୋଲି ଆମକୁ ଧରିନେବାକୁ ପଡ଼ିବ।

Comments are closed.