ଆଦିବାସିଙ୍କ ବିଶ୍ବାସର ପରବ ଟୋକିମରା

କାଶୀପୁର : ଦୁନିଆରେ ଶ୍ରେଷ୍ଠ ପ୍ରାଣୀ ବୋଲାଉଥିବା ମଣିଷ କେଉଁଠି ମାଟିକୁ ପଣ୍ୟ କରିଦେଉଛି, ଆଉ କେଉଁଠି ମାଟିକୁ ଦେବତା ଆଖ୍ୟା ଦେଇ ତା ସମ୍ମୁଖରେ ରକ୍ତର ପ୍ରଣତି ବାଢୁଛି। ଓଡିଶାର ଉପାନ୍ତ ଦକ୍ଷିଣାଞ୍ଚଳରେ ମାଟି ଦେବତାର ପୂଜା ପାଇଁ ଆଜି ବି ବିଭତ୍ସ ବଳି ପ୍ରଥା ରହିଛି। ଯାହାର ଏକ ପ୍ରତିଛବି ହେଉଛି ରାୟଗଡା ଜିଲା କାଶୀପୁର ବ୍ଲକର ଟୋକିମରା ପରବ। ଟୋକିମରା ପରବ ନାମରେ ମାଟିଦେବତାର ପୂଜା ଏହି ଅଞ୍ଚଳର ଏକ ନିଆରା ପରମ୍ପରା ଓ ବିଚିତ୍ର ବିଶ୍ବାସ। ଲୋମହର୍ଷଣକାରୀ ପୂଜା ବିଧି। ଯୁଗଯୁଗ ଧରି ରାୟଗଡା ଜିଲାର କାଶୀପୁର ବ୍ଲକରେ ପୁଷମାସ ଶେଷ ରବିବାର ଦିନ ଏହି ପର୍ବ ପାଳନ କରାଯାଏ। ଭଲ ଫସଲ ଅମଳ ଏବଂ ଘରେ ରୀଧୀ ଓ ଶ୍ରୀଧୀ ବୃଦ୍ଧି ପାଇଁ ମୁଖ୍ୟତଃ ଏହି ଅଞ୍ଚଳର ଝୋଡିଆ, ପରଜା, ପେଙ୍ଗ ସମ୍ପ୍ରଦାୟର ଲୋକ ଏହି ପର୍ବ ପାଳନ କରୁଛନ୍ତି। ଏହା ଦ୍ବାରା ସକଳ ସିଦ୍ଧି ଲାଭ ହୋଇଥାଏ ବୋଲି ସେମାନଙ୍କ ଅତୁଟ ବିଶ୍ବାସ ରହିଛି। ମାଟି ଦେବତା ଓ ନିଜ ଗ୍ରାମର ଇଷ୍ଟ ଦେବିଙ୍କୁ ସନୁଷ୍ଟ କରିବା ପାଇଁ କେଉଁ ଆଦିମ କାଳରୁ ଏହି ପରବ ପାଳିନ କରିଆସୁଛନ୍ତି। ପୂର୍ବରୁ ଟୋକିମରା ପରବ ଅର୍ଥାତ ଦେବତାଙ୍କ ଉଦେଶ୍ୟରେ ଜଣେ ଯୁବତୀଙ୍କୁ ଉତ୍ସର୍ଗ କରାଯାଇ ତାକୁ ବଳି ଦିଆଯିବାର ପର୍ବ।

ସମୟ ପରିବର୍ତ୍ତନ ହେବା ସହ ମଣିଷ ବଳି ପ୍ରଥା ଯଦିଓ ବନ୍ଦ ହୋଇଯାଇଛି କିନ୍ତୁ ବର୍ତ୍ତମାନ ସୁଧା ମଧ୍ୟ ସମ୍ପୂର୍ଣ୍ଣ ଉଛେଦ ହୋଇନାହିଁ। ରାଜାରାଜୁଡା ଶାସନ କାଳରେ କାଶୀପୁର ଅଞ୍ଚଳକୁ ୬ଟି ବିଶି ରେ ବିଭକ୍ତ କରାଯାଇଥିଲା। ପ୍ରତ୍ୟେକ ବିଶିରେ ଅଛନ୍ତୀ ୧୨ ରୁ ୧୫ ଗାଁ। ଏହି ପର୍ବ ଦୀର୍ଘ ୬ ଦିନ ଧରି ପାଳନ କରାଯାଉଛି। ରାଜାରାଜୁଡା ଶାସନ କାଳରେ ପରବ ପାଇଁ ଏକ ମାସ ପୂର୍ବରୁ ଜଣେ କିଶୋରୀଙ୍କୁ ବରଣ କରାଯାଉଥିଲା।କିନ୍ତୁ ଏବେ କିଶୋରୀ ବଦଳରେ ଏକ ମେଣ୍ଡାକୁ ବରଣ କରାଯାଉଛି। ବିଶିର କେଉଁ ଗ୍ରାମରେ ଏହି ପର୍ବ ପାଳନ କରାଯିବ ସ୍ଥାନୀୟ ରାଜା ଧାର୍ଯ୍ୟ କରୁଥିଲେ। ଏବେ ଗ୍ରାମର ଦିଶାରୀ, ଜାନି, ମୁଦୁଲି, ଗଉଁତିଆ ପରବର ନିର୍ଦ୍ଧାରଣ କରୁଛନ୍ତି। ଏଥି ନିମନ୍ତେ ଗାଁ ଶେଷ ମୁଣ୍ଡାରେ ଥିବା ନିଶାନ ମୁଣ୍ଡାପାଖରେ କୁକୁଡା, ଚାଉଳ ଓ ମଦ ଧରି ପୂଜାର୍ଚ୍ଚ କରିବାପରେ ହିଁ ସମୟ, ତିଥି, ବାର ସ୍ଥିର କରାଯାଇଥିଲା। ତିଥି ନିର୍ଦ୍ଧାରଣ ହେବାପରେ ରାଜାଙ୍କୁ ଜଣାଇବା ପାଇଁ ସମ୍ପୃକ୍ତ ବିଶିର ମୁଖ୍ୟ ଭେଟି ଧରି ଦଶହରା ପୂର୍ବ ମହାଷ୍ଟମୀ ଦିନ ଯାଇଥିଲେ। ବିଶିର ଜାନୀ, ଦିଶାରୀ, ଗଉଁତିଆ, ଗୋଟିଏ ମାଟିହାଣ୍ଡିରେ ଧାନ, ମୁଗ, ବିରି ଆଦି ଶସ୍ୟ ଭର୍ତ୍ତି କରି ହାଣ୍ଡିର ଉପରେ ଗୁଡର ମୁଦ ଦେଇ ରାଜାଙ୍କୁ ଭେଟି ଦେଇଥିଲେ।

ସମୟ ଓ ତିଥି ଜାଣିବା ପରେ ରାଜା ନିଜର ସମ୍ମତି ସୂଚକ ମୁଦ ଦିଆ ହାଣ୍ଡି ଉପରେ ନିଜ ହାତରେ ପିନ୍ଧିଥିବା ମୁଦିର ଛାପା ଦେଇଥିଲେ। ଏହାପରେ ଗ୍ରାମ ବାସି ମାନେ ଟୋକି ମରା ପରବ ପାଇଁ ପ୍ରସ୍ତୁତ ହୋଇଥିଲେ। ଏହି ବର୍ଷ କାଶୀପୁର ବ୍ଲକ କୁଡୁକିପଦର, କୁକୁଡାଗାଡ, ସେରକାପାଇ, ଗ୍ରାମରେ ଠାରେ ଆଜି ଟୋକି ମରା ପର୍ବ ପାଳିତ ହୋଇଯାଇଛି। ପୂର୍ବରୁ ଏହି ପର୍ବପାଳନ ହେବାକୁ ଥିବା ଗ୍ରାମର ଜଣେ ସୁନ୍ଦରୀ, ନିରୋଗ ଓ ଅବିବାହିତ କିଶୋରୀଙ୍କୁ ଏହି ଟୋକି ରୂପେ ଚୟନ କରାଯାଉଥିଲା। ପ୍ରତ୍ୟହ ସନ୍ଧ୍ୟାରେ ବାଜା ବଜାଇ ଘର ଘରକୁ ଯୁବତିଙ୍କୁ ନେଇ ଧୂପ, ଦୀପ, ନୂଆବସ୍ତ୍ର ସହ ସଲପ ନିସାନ ଓ ପାରମ୍ପରିକ ବାଦ୍ୟଯନ୍ତ୍ର ସହ ନାଚ ଗିତରେ ଧାଙ୍ଗଡାଧାଙ୍ଗିଡିମାନଙ୍କ ସହ ନାଚ ଗିତରେ ମସଗୁଲ ହୋଇ ଉଠୁଥିଲେ। ଏବେ କିନ୍ତୁ ଟୋକି ବଦଳରେ ମେଣ୍ଡାକୁ ସାମିଲ କରାଯାଉଛି। ଗ୍ରାମର ଗୁଡି ଠାରେ ବିଶିକୁ ଶତ୍ରୁ, ରୋଗବ୍ୟାଧି, ଡୁମା, ଡାହାଣି, ଗୋରୁ ଗାଈ ଓ ଫସଲକୁ ରକ୍ଷା କରିବା ପାଇଁ ଜାନି ଓ ଦିସାରିଙ୍କ ମନ୍ତ୍ର ବିଦ୍ଧି ଚାରି ଦିଗକୁ ବାଦ୍ଧି ରଖିଥାନ୍ତି। ଆଜି ଦିନ ମେଣ୍ଡାଙ୍କୁ ଗ୍ରାମଠାରୁ କିଛି ଦୂର ଏକ ଜମି ଭିତରେ ନିର୍ମିତ ପୂଜା ସ୍ଥଳିକୁ ପଟୁଆର ସହିତ ନିଆଯାଇଥାଏ। ଆଖପାଖ ଗାଁରୁ ଆସିଥିବା ଲୋକମାରେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏହି ପଟୁଆରରେ ସାମିଲ ହୋଇଥାନ୍ତି। ବିଶିର ବିଭିନ୍ନ ଗ୍ରାମରୁ ଆସିଥିବା ଢୋଲ ନିସାନ,ମହୁରୀ ବଜାଇ ମେଣ୍ଡାକୁ ଧୂପ ଦିପ ଦେଇ ଧରଣି ପେନୁକୁ ତାହାର ରକ୍ତ ପିଇବା ପାଇଁ ନିଆଯାଇଥିଲା।

ଟୋକିକୁ କୈଣସି ଦୁଷ୍ଟାମା୍ ଯେପରି କୈଣସି ଅନିଷ୍ଟ ନପହଁଞ୍ଚାଇବ ସେଥିପାଇଁ ଆଗରେ ଲାଠିଯାତ୍ରା କରାଯାଇଥାଏ ବୋଲି ଗ୍ରାମ ବାସି କହିଛନ୍ତି। ସବୁଠାରୁ ଲୋମହର୍ଷଣ କାରୀ କଥା ଯେ ସେହି ଟୋକି ଅର୍ଥାତ ମେଣ୍ଡାଙ୍କୁ ସଭିଏଁ ଗୋଟିଏ ଗୋଟିଏ ଛୁରୀ ଧରି ଭୂଷି ଦେଇଥାନ୍ତି। ଫଳରେ କ୍ଷତରୁ ପଡୁଥିବା ରକ୍ତ ମାଟିରେ ପଡିବା ଦ୍ବାରା ଧରଣି ପେନୁ ଶାନ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି। କ୍ଷତ ବିକ୍ଷତ ଟୋକିକୁ ଧରଣୀ ପେନୁ କୋଳରେ ଶୁଆଇ ବିଶୀର ପ୍ରତ୍ୟକ ଗ୍ରାମରୁ ଆସିଥିବା ଟାଙ୍ଗିଆ ଦ୍ବାରା ପ୍ରହାର କରିଥାନ୍ତୀ।ଶହ ଶହ ଟାଙ୍ଗିଆ ମାଡରେ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥାଏ। ତହିଁରୁ ମାଂସ ତୁକୁଡା ଟିକିଏ ନେବା ପାଇଁ ବିଶୀର ଗ୍ରାମ ବାସି ମାନେ ଚାତକ ଭଳି ଚାହିଁ ବସିଥାନ୍ତି। ଯେଉଁ ବ୍ୟକ୍ତି ଖଣ୍ଡିଏ ପାଏ ତାକୁ ଭାଗ୍ୟବାନ ବୋଲାଯାଏ। ଏହି ମାଂସ ଖଣ୍ଡିଏକୁ ନେଇ ନିଜ ଘର ମଝୀରେ ଖଣ୍ଡିଏ ଏବଂ ନିଜ ଜମିରେ ଖଣ୍ଡିଏ ପୋତିଥାନ୍ତି। ଏଭଳି କରିବା ଦ୍ବାରା ଜମିରେ ଭଲ ଫସଲ ଅମଳ ହେବା ସହ ଘରେ ଶାନ୍ତି ଓ ଧନ ସମ୍ପତି ବଡିଥାଏ ବୋଲି ଆଜିବି ଲୋକଙ୍କ ମନରେ ବିଶ୍ବାସ ରହିଛି। ଆଶ୍ବସ୍ତିର ବିଷୟଯେ ଏହି ପୂଜାରେ କୁଆଁରି ଝିଅକୁ ବଳି ଦେବା ପ୍ରଥା ବନ୍ଦ ହୋଇଛି।
ଏବେ ସମୟ ବଦଳିଛି। ଲୋକେ ସଭ୍ୟ ଓ ଶିକ୍ଷିତ ହୋଇଛନ୍ତୀ ସତ।ମଣିଷ ବଳି ପ୍ରଥା ବନ୍ଦ ହୋଇଥିଲେ ମଧ୍ୟ ଆଦିବାସିଙ୍କ ପରମ୍ପରା ସମ୍ପୂର୍ଣ୍ଣ ଭାବେ ଉଛେଦ ହେଇନାହିଁ। ପୂଜାର ଛଅ ଦିନ ଧରିଲୋକମାନେ ମେଣ୍ଡାକୁ ବିଶିର ଝିଅ ରୂପେ ମାନନ୍ତି। ନିଜ ପଖରେ ଧରି ଖାଇବା ପିଇବାଠାରୁ ନେଇ ଶୋଇବା ପର୍ୟ୍ୟନ୍ତ ମେଣ୍ଡା ଉପରେ ନଜର ରଖିଥାନ୍ତୀ।ମେଣ୍ଡାକୁ ଅଇଁଠା ଖାଦ୍ୟ ଦିଆଯାଏ ନାହିଁ ବୋଲି ଗ୍ରାମର ଦିସାରି ପ୍ରକାସ କରିଛନ୍ତି। ଏକଥା ସତ୍ୟ ଯେ, ଶିକ୍ଷା ଓ ସଚେତନତା ଅଭାବରୁ ଆଜିବି ଅନ୍ଧ ବିଶ୍ବାସର ଅନ୍ଧ ଗଳିରୁ ମୁକୁଳି ପାରି ନାହିଁ।

Comments
Loading...