ଟୋକନ ଟେନସନ – ୯ ଲକ୍ଷ ୮୨ ହଜାର ୭୯୦ କ୍ୱିଣ୍ଟାଲ୍ ଧାନ ସଂଗ୍ରହ

ଭୁବନେଶ୍ବର: ଧାନ କିଣାରେ ଟୋକନ୍ ବ୍ୟବସ୍ଥାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖା ଦେଉଛି। ବିଶେଷକରି ବରଗଡ଼, ବଲାଙ୍ଗୀର ଜିଲାରେ ଧାନ ପଡି ରହୁଥିବା ଅଭିଯୋଗ ହେଉଛି। ତେବେ ଏହା ସତ୍ତ୍ବେ ଧାନ ସଂଗ୍ରହ କାର୍ୟ୍ୟ ସୁରୁଖୁରୁରେ ଚାଲିଛି ବୋଲି ସରକାର କହିଛନ୍ତି। ୨୦୧୯-୨୦ ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ କାର୍ୟ୍ୟ ନଭେମ୍ବର ମାସଠାରୁ ଆରମ୍ଭ କରାଯାଇ ଥିବା ବେଳେ ଶୁକ୍ରବାର ସୁଦ୍ଧା ୯,୮୨,୭୯୦ କ୍ୱିଣ୍ଟାଲ୍ ଧାନ ସଂଗ୍ରହ କରାଯାଇଛି। ଧାନ କିଣା ବାବଦରେ ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ ୧୦,୮୪୮ ଜଣ ଚାଷୀଙ୍କ ବ୍ୟାଙ୍କ ଜମାଖାତାକୁ ୧୨୨ କୋଟି ୩୦ ଲକ୍ଷ ୧୧ ହଜାର ୨୨୬ ଟଙ୍କା ପ୍ରେରଣ କରାଯାଇ ଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କହିଛି।

ବିଭାଗ ନିକଟରୁ ମିଳିଥିବା ତଥ୍ୟ ଅନୁସାରେ ଧାନ ସଂଗ୍ରହ କାର୍ୟ୍ୟକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବା ପାଇଁ ଅନ୍ଲାଇନ୍ ବ୍ୟବସ୍ଥାରେ ପଞ୍ଜିକୃତ ଚାଷୀମାନଙ୍କଠାରୁ ପ୍ରାଥମିକ କୃଷି ସମବାୟ ସମିତିମାନେ ପି-ପାସ୍ ଜରିଆରେ ସିଧାସଳଖ ଧାନ ସଂଗ୍ରହ କରୁଛନ୍ତି। ଆଜି ସୁଦ୍ଧା ୭୦୪ଟି ଧାନ ସଂଗ୍ରହ କେନ୍ଦ୍ରରେ ଧାନ ସଂଗ୍ରହ ନିମନ୍ତେ ୭୯,୩୨୪ ଜଣ ଚାଷୀଙ୍କୁ ୫୬,୦୮,୪୭୨ କ୍ୱିଣ୍ଟାଲ୍ ଧାନ କିଣିବା ପାଇଁ ଆଗୁଆ ୧,୦୧,୭୨୬ଟି ଟୋକନ ଦିଆଯାଇଛି। ଏଥି ମଧ୍ୟରୁ ଆଜି ସୁଦ୍ଧା ୧୪,୭୨୫ ଜଣ ଚାଷୀଙ୍କ ଠାରୁ ୯,୮୨,୭୯୦ କ୍ୱିଣ୍ଟାଲ୍ ଧାନ ସଂଗ୍ରହ କରାଯାଇଛି।

Comments are closed.