ଶୌଚାଳୟରେ ତାଲା, ଯାତ୍ରୀ ହନ୍ତସନ୍ତ

ବୁଗୁଡ଼ା : ଶୌଚାଳୟରେ ପଡିଛି ତାଲା । ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ଦୁଇ ମାସ ହେଲା ତାଲା ପଡିରହିଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ବୁଗୁଡା ସହରର ପରିବା ବଜାର ନିକଟରେ ଥିବା ଶୌଚାଳୟ ଦୀର୍ଘ ବର୍ଷ ହେଲା ଅକାମୀ ହୋଇ ପଡିଥିବାରୁ ବସଷ୍ଟାଣ୍ଡ ନିକଟରେ ଥିବା ସହରର ଏକମାତ୍ର ଶୌଚାଳୟ ଉପରେ ବୁଗୁଡ଼ା ଓ ଏହାର ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ସମେତ ବସ୍ ଯାତ୍ରୀମାନେ ନିର୍ଭର କରୁଥିଲେ । ସଂପ୍ରତି ଶୌଚାଳୟ ବନ୍ଦ ଥିବାରୁ ଭୋରରୁ ପହଞ୍ଚୁଥିବା ଯାତ୍ରୀମାନେ ବସଷ୍ଟାଣ୍ଡର ଏଣେତେଣେ ଝାଡା ଓ ପରିସ୍ରା କରୁଥିବାର ଦେଖିବାକୁ ମିଳୁଛି । ବିଶେଷ କରି ମହିଳା ଯାତ୍ରୀମାନେ ହଟହଟାର ସମ୍ମୁଖୀନ ହେଉଛନ୍ତି । ଏନ୍ଏସି ତରଫରୁ ଶୌଚାଳୟର ପାଇପ୍ ମରାମତି ଓ ଟାଇଲ୍ ବିଛାଇବା ସକାଶେ ଦୁଇ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଏହି କାର୍ୟ୍ୟ ବହୁ ଦିନ ହେଲା ସଂପୂର୍ଣ୍ଣ ହୋଇଯାଇଥିଲେ ହେଁ ପୁରୁଣା ଶୌଚାଳୟକୁ ପୁଣି ଉଦଘାଟନ କରିବା ପାଇଁ ଦିନ ଗଡାଇ ଚାଲିଥିବା ସାଧାରଣରେ ଆଲୋଚନା ହେଉଛି । ଉଦଘାଟନ ଆଳରେ କାଳ ବିଳମ୍ବ ନକରି ତୁରନ୍ତ ଶୌଚାଳୟ ଖୋଲିବା ପାଇଁ ସର୍ବସାଧାରଣରେ ଦାବୀ ହେଉଛି । ଏନେଇ ଏନ୍ଏସି କାର୍ୟ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସଙ୍କୁ ପଚାରିବାରୁ ଯଥାଶୀଘ୍ର ଖୋଲିବାର ବ୍ୟବସ୍ଥା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Comments are closed.