ମୋଦୀ ସରକାର ଜନବିରୋଧୀ: ତୋଗଡ଼ିଆ

0

କଟକ : କେନ୍ଦ୍ର ସରକାର ଜିଏସ୍‌ଟି ଲଗାଇବା ପରେ ପଶ୍ଚିମ ଓଡ଼ିଶାର ବୁଣାକାର ତନ୍ତୀ ସଂପ୍ରଦାୟ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଦେଶ ଓ ରାଜ୍ୟରେ ବେକାର ସଂଖ୍ୟା ବଢିଚାଲିଛି। କେନ୍ଦ୍ର ନେତୃତ୍ବାଧୀନ ମୋଦୀ ସରକାର ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଦେଇଥିଲେ। ତାହା ପ୍ରହସନରେ ପରିଣତ ହୋଇଛି। ଅଯୋଧ୍ୟାରେ ରାମ ମନ୍ଦିର ସ୍ୱପ୍ନ ବାସ୍ତବରେ ପୂରଣ ହୋଇପାରିଲା ନାହିଁ; ଯିଏ ରାମଙ୍କର ହୋଇପାରିଲେ ନାହିଁ ସେ ଜନତାଙ୍କର କିଭଳି ହେବେ ବୋଲି ହିନ୍ଦୁସ୍ତାନ ନିର୍ମାଣ ଦଳର ପ୍ରତିଷ୍ଠାତା ଡାକ୍ତର ପ୍ରବୀଣ ଭାଇ ତୋଗାଡ଼ିଆ କହିଛନ୍ତି ।
ରବିବାର ପୂର୍ବାହ୍ଣରେ ବାଲିଯାତ୍ରା ପଡ଼ିଆରେ ‘ହିନ୍ଦୁସ୍ତାନ ନିର୍ମାଣ ଦଳ’ ଓଡ଼ିଶା ଶାଖାର ଉଦ୍ଘାଟନ କରି ଶ୍ରୀ ତୋଗାଡ଼ିଆ କହିଲେ ଯେ, ମୋଦୀ ସରକାର ଜନବିରୋଧୀ। ସାଢ଼େ ଚାରିବର୍ଷ ମଧ୍ୟରେ କାଶ୍ମୀର ସମସ୍ୟା ସମାଧାନ ହୋଇପାରି ନାହିଁ। ୪ବର୍ଷ ମଧ୍ୟରେ ୪୫୦ ଯବାନ୍ ସହିଦ ହୋଇଛନ୍ତି। କଂଗ୍ରେସ ସରକାର ସମୟରେ ବହୁ ଚାଷୀ ଆତ୍ମହତ୍ୟା କରୁଥିଲା ବେଳେ ବର୍ତ୍ତମାନ ସରକାରରେ ମଧ୍ୟ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଇଛି। ବିଜେପି ବିରୋଧୀ ପଦରେ ଥିବା ବେଳେ ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବା ପାଇଁ ଚାପ ପ୍ରୟୋଗ କରୁଥିଲା; କିନ୍ତୁ କ୍ଷମତାକୁ ଆସିବା ପରେ ସେହି ରିପୋର୍ଟକୁ ଚାପି ଦିଆଗଲା। ଖୁଚୁରା ବେପାରରେ ବିଦେଶୀ ପୁଞ୍ଜିନିବେଶକୁ ବିଜେପି ବିରୋଧୀ ଦଳରେ ଥିବା ବେଳେ ବିରୋଧ କରୁଥିଲା; କିନ୍ତୁ ଏବେ ୱାଲମାର୍ଟ ଓ ଫ୍ଲିପକାର୍ଟ ଭଳି ବିଦେଶୀ ସଂସ୍ଥା ଦେଶରେ ପୁଞ୍ଜିନିବେଶ କରିବାକୁ ଅଗ୍ରାଧିକାର ଦିଆଯାଉଛି। ଦେଶରେ ଜିଏସ୍‌ଟି ଓ ବିମୁଦ୍ରାୟନ ଦ୍ୱାରା ଲକ୍ଷ ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରଭାବିତ ହୋଇଛି। ବିମୁଦ୍ରାୟନ ଦ୍ୱାରା କୃଷିର ବିକାଶ ହ୍ରାସ ପାଇଥିବା ସରକାରଙ୍କ ରିପୋର୍ଟ କହୁଛି। ମୋଦୀ ସରକାର ସାଧାରଣ ଲୋକଙ୍କର ନୁହେଁ ପୁଞ୍ଜିବାଦୀ ତଥା ଧନୀ ଲୋକଙ୍କ ସରକାର ବୋଲି ସେ କହିଥିଲେ। ଓଡ଼ିଶା ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଓ ଜେହାଦୀ ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଛି। ଓଡ଼ିଶାରୁ ଅବାଧରେ ଗୋ-ଚାଲାଣ କରାଯାଉଛି। ରାଜ୍ୟର ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ିପଡ଼ିଥିବା ଶ୍ରୀ ତୋଗାଡିଆ କହିଥିଲେ।
ହିନ୍ଦୁସ୍ତାନ ନିର୍ମାଣ ଦଳ ମିଥ୍ୟା ପ୍ରତିଶ୍ରୁତି ନୁହେଁ, ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରିବ। ଏହା ସାଧାରଣ ଲୋକଙ୍କ ସରକାର ହେବ । ଦେଶର କୃଷକ, ଶ୍ରମିକ, ଛୋଟ ଓ ମଧ୍ୟମ ଧରଣର ବ୍ୟବସାୟୀ ଏବଂ ସମାଜର ଉପେକ୍ଷିତ ବର୍ଗର ସରକାର ହେବ ବୋଲି ସେ କହିଛନ୍ତି। ଏହି ଦଳ ହିନ୍ଦୁ ସମାଜର ସମ୍ମାନ, ସମୃଦ୍ଧି, ସ୍ୱାଭିମାନର ସୁରକ୍ଷା କରିବ। ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା କରାଯିବ। କାଶ୍ମୀରରୁ ବିସ୍ଥାପିତ ହିନ୍ଦୁ ଓ ଶିଖଙ୍କୁ ପୁନର୍ବାର ସୁରକ୍ଷିତ ଭାବରେ ସ୍ୱଗୃହ ପ୍ରତ୍ୟାବର୍ତ୍ତନର ବ୍ୟବସ୍ଥା କରାଯିବ। ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଅଣାଯିବା ସହିତ କୃଷି ଓ କୃଷକର ସମୃଦ୍ଧି ପାଇଁ କୃଷିଋଣ ଛାଡ଼, କୃଷକଙ୍କୁ ସ୍ୱାମୀନାଥନ୍‌ କମିଟିର ସୁପାରିସ ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଏବଂ କୃଷକଙ୍କ ଜମି ଅଧିଗ୍ରହଣ ନୀତିର ପୁନର୍ବିଚାର କରାଯିବ। ସଠିକ ଆର୍ଥିକ ନୀତି ଦ୍ୱାରା ହିନ୍ଦୁସ୍ତାନ ନିର୍ମାଣ ଦଳ (ହିନ୍ଦ୍‌) ଏହି ସମସ୍ୟାର ସମାଧାନ କରିବ ବୋଲି ସେ ଘୋଷଣା କରିଥିଲେ । ‘ଅବ୍‌କି ବାର ପବ୍ଲିକ ସରକାର’ ହେବ ବୋଲି ସେ କହିଥିଲେ । ଆଗାମୀ ନିର୍ବାଚନରେ ଓଡ଼ିଶାର ସମସ୍ତ ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀରେ ହିନ୍ଦୁସ୍ତାନ ନିର୍ମାଣ ଦଳ ପ୍ରାର୍ଥୀ ଦେବ ବୋଲି ସେ ସୂଚନା ଦେଇଥିଲେ।

Leave A Reply