କନ୍ଧମାଳ: ୪ କରୋନା ଯୋଦ୍ଧାଙ୍କ ସମେତ ୩୨ ନୂଆ ସଂକ୍ରମିତ ଚିହ୍ନଟ

ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ୯ କରୋନା ଯୋଦ୍ଧା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ଜଣେ ଆୟୁଷ ଡାକ୍ତରଙ୍କ ସମେତ ୪ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ବେଳେ ଜିଲ୍ଲାରେ ୩୨ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୭୬୯ ପହଞ୍ଚିଛି। ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ସୁଦ୍ଧା ୪,୨୬୪ ଜଣ ସଂକ୍ରମିତ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି। କରୋନା ଜନିତ ମୃତ୍ୟୁ ସଂଖ୍ୟା ଜିଲ୍ଲାରେ ୨୩ ରହିଛି। ଆଉ ୪୮୨ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଆଜିର ସଂକ୍ରମିତଙ୍କ ମଧ୍ୟରୁ ଫୁଲବାଣୀ ପୌରାଞ୍ଚଳରେ ୯ ଜଣ ଓ ଗ୍ରାମାଞ୍ଚଳରେ ଜଣେ ଚିହ୍ନଟ ହୋଇଛନ୍ତି ସେହିପରି ବାଲିଗୁଡା ବ୍ଳକ ଅଞ୍ଚଳରୁ ୨ଜଣ, ଚକାପାଦରେ ୩, ଦାରିଙ୍ଗବାଡିରେ ଜଣେ, କୋଟଗଡରେ ୨ ଜଣ, ଖଜୁରିପଡାରେ ୩, ଫିରିଙ୍ଗିଆ ୩, ରାଇକିଆ ୫, ଟିକାବାଲିର ୩, ତୁମୁଡିବନ୍ଧ ଅଞ୍ଚଳରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି।

ଅନ୍ୟପକ୍ଷରେ ଗତ ଦିନରେ କ.ନୁଆଗାଁ ଥାନାରେ କାର୍ଯ୍ୟରତ ଥିବା ୯ ଜଣ ପୁଲିସ କର୍ମଚାରୀ ତଥା କରୋନା ଯୋଦ୍ଧା ମାନେ ସେମାନଙ୍କ ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେବାପରେ ସେମାନେ ସୁସ୍ଥ ହୋଇ ସେମାନେ ଆଜି ନିଜନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେବା ପରେ ସେମାନଙ୍କୁ ବାଲିଗୁଡା ଏସଡିପିଓ ମାନସରଞ୍ଜନ ବାରିକ ଏବଂ କ.ନୁଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ ଓ ଅନ୍ୟମାନେ ପୁ୍‍ଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ। ସୁସ୍ଥ ହୋଇ ଫେରିଥିବା କରୋନାଯୋଦ୍ଧମାନେ ହେଲେ କନେଷ୍ଟବଲ ପ୍ରକାଶ ଚନ୍ଦ୍ର ପ୍ରଧାନ, ପ୍ରଦୀପ କୁମାର ନାୟକ, ଶିବରାମ ମଲ୍ଲିକ, ପ୍ରତିମା ପ୍ରଧାନ, ଏସଆଇ ପ୍ରଭାତ କୁମାର ବେହେରା, ଏସଆଇ, ବିଭୁତି ଭୁଷଣ ବିଶ୍ୱାଳ, ଏସଆଇ ଆଶୁତୋଷ ଦଳେଇ, ମହେଶ୍ୱର ଦଳେଇ ଏବଂ ବବୁଲଚନ୍ଦ୍ର ରଣସିଂ ପ୍ରମୁଖ ଆଜି କ.ନୁଆଗାଁ ଥାନାରେ ଯୋଗ ଦେବାପରେ ସେମାନଙ୍କୁ ମଧ୍ୟ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।

 

Comments are closed.