ପାଣିପାଗ ପୂର୍ବାନୁମାନରେ ସୁଧାର ଲୋଡ଼ା

ବିଶ୍ବର ପ୍ରତି ୧୦ରୁ ଗୋଟିଏ ସାଟେଲାଇଟ ଭାରତର; କିନ୍ତୁ ପାଣିପାଗ ପୂର୍ବାନୁମାନରେ ଆମେ ଆଜି ବି ଠିକ୍‌ ଓ ନିର୍ଦିଷ୍ଟ ତଥ୍ୟ ଦେବାରେ ପଛୁଆ

ଚଳିତ ମାସ ୩/୪ ତାରିଖରେ ମହାବାତ୍ୟା ‘ଜୱାଦ’ ଯୋଗୁଁ ରାଜ୍ୟ ସରକାର ପ୍ରାୟ ୧୯ଟି ଜିଲାର ବିଦ୍ୟାଳୟ ଛୁଟି ଘୋଷଣା କରିବା ସହ ଏକାଧିକ ପରୀକ୍ଷାକୁ ବାତିଲ କରିଦେଇଥିଲେ। ପରବର୍ତ୍ତୀ ସମୟରେ ଏହାର ବିଶେଷ ପ୍ରଭାବ ପଡ଼ି ନଥିଲା। ବିଶ୍ବରେ ପ୍ରତି ୧୦ଟି ସାଟେଲାଇଟ(କୃତ୍ରିମ ଉପଗ୍ରହ) ମଧ୍ୟରେ ଭାରତର ଗୋଟିଏ। ଦେଶବାସୀଙ୍କ ପାଇଁ ଏହା ଗର୍ବର ବିଷୟ ହୋଇଥିଲେ ହେଁ ଏହାର ଉପଯୁକ୍ତ ଲାଭ ଆମକୁ ମିଳିପାରୁ ନାହିଁ। ଶିକ୍ଷା, ଯୋଗାଯୋଗ, ପ୍ରତିରକ୍ଷା ଓ ପାଣିପାଗର ପୂର୍ବାନୁମାନ ପାଇଁ ଆମେ ସାଟେଲାଇଟ ଉପରେ ନିର୍ଭର କରିଥାଉ। ତେବେ ଅଧିକାଂଶ ସମୟରେ ପାଣିପାଗ ସଂକ୍ରାନ୍ତ ପୂର୍ବାନୁମାନ ଆମ ଦେଶରେ ଭୁଲ ପ୍ରମାଣିତ ହୋଇଥାଏ। ପ୍ରଶ୍ନ ଉଠୁଛି- ଏତେଗୁଡ଼ିଏ ଭାରତୀୟ ସାଟେଲାଇଟ ମହାକାଶରେ ପୃଥିବୀକୁ ପରିକ୍ରମଣ କରୁଥିଲେ ହେଁ ପାଣିପାଗ ସଂକ୍ରାନ୍ତରେ ଆମକୁ ଠିକ୍‌ ସୂଚନା ମିଳିପାରୁ ନାହିଁ କାହିଁକି ? ଇସ୍ରାଏଲ ପରି କ୍ଷୁଦ୍ର ଦେଶ ପାଣିପାଗ ସଂକ୍ରାନ୍ତରେ ଶତ ପ୍ରତିଶତ ପୂର୍ବାନୁମାନ ତା’ର ନାଗରିକଙ୍କୁ ଜଣାଇଦେଉଛି। ସେହିପରି ୟୁରୋପୀୟ ସାଟେଲାଇଟଗୁଡ଼ିକ ମଧ୍ୟ ଠିକ୍‌ ପାଣିପାଗ ପୂର୍ବାନୁମାନ କରିପାରୁଛନ୍ତି। ହେଲେ ଭାରତ ନିକଟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ଦେଶର ପ୍ରାୟ ୭୦ କୋଟି ଜନସାଧାରଣ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବେ କୃଷି ସହ ଜଡ଼ିତ। ଏଣୁ ପାଣିପାଗ ସଂକ୍ରାନ୍ତ ଶତ ପ୍ରତିଶତ ଠିକ ସୂଚନା ଏମାନଙ୍କ ପାଇଁ ଏକାନ୍ତ ଆବଶ୍ୟକ। ଅଧିକାଂଶ ସମୟରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଭୁଲ ପ୍ରମାଣିତ ହୋଇଛି। ଗତ ବର୍ଷ ଜୁଲାଇରେ ମହାରାଷ୍ଟ୍ରର ବିଡ୍ ଜିଲାସ୍ଥିତ ଆନନ୍ଦ ଗ୍ରାମବାସୀ ତ୍ରୁଟିପୂର୍ଣ୍ଣ ପୂର୍ବାନୁମାନକୁ ନେଇ ଆଇଏମଡି ବିରୋଧରେ ଥାନାରେ ମାମଲା ଦାୟର କରିଥିଲେ। ସ୍ବାଭିମାନୀ ସତ୍କାରୀ ସଂଗଠନ ନାମକ ଏକ କୃଷକ ସଂଗଠନ ସ୍ଥାନୀୟ ଆଇଏମଡି ଶାଖା କାର୍ଯ୍ୟାଳୟରେ ସ୍ଥାନୀୟ ପାଣିପାଗ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲା। ଯଦି ଆଇଏମଡି ପାଣିପାଗ ସଂକ୍ରାନ୍ତରେ ଶତ ପ୍ରତିଶତ ପୂର୍ବାନୁମାନ କରିପାରୁନି ତେବେ ଏହି କାର୍ଯ୍ୟାଳୟକୁ ବନ୍ଦ କରିଦେବା ଉଚିତ୍ ବୋଲି କୃଷକମାନେ ମତ ଦେଇଥିଲେ। ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଉପରେ ଦେଶର ଅଧିକାଂଶ କୃଷକ ନିର୍ଭର କରିଥା’ନ୍ତି। ଗତ ୧୨ ବର୍ଷ ମଧ୍ୟରେ ଆଇଏମଡିର ମୌସୁମି ସଂକ୍ରାନ୍ତ ପୂର୍ବାନୁମାନ ପ୍ରାୟ ୫୦ ପ୍ରତିଶତ ଭୁଲ ପ୍ରମାଣିତ ହୋଇଥିବାବେଳେ ୫୦ ପ୍ରତିଶତ ଠିକ୍ ସାବ୍ୟସ୍ତ ହୋଇଛି। ଏପରି କ୍ଷେତ୍ରରେ ଜଣେ କୃଷକ ପାଣିପାଗ ବିଭାଗର ଅଧା ଭୁଲ ଅଧା ଠିକ୍ ପୂର୍ବାନୁମାନକୁ ଗ୍ରହଣ କରିପାରିବ କି ?

୨୦୦୭ରେ ଦେଶରେ ୯୩ ପ୍ରତିଶତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ବାସ୍ତବରେ ହୋଇଥିଲା ୧୦୬ ପ୍ରତିଶତ ବର୍ଷା। ସେହିପରି ୨୦୦୯ରେ ପୂର୍ବାନୁମାନ ହୋଇଥିଲା ୯୩ ପ୍ରତିଶତ, ହେଲା ୭୮ ପ୍ରତିଶତ। ଗତବର୍ଷ ମୌସୁମି ବାୟୁ ପ୍ରଭାବରେ ୯୭ ପ୍ରତିଶତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ତେବେ ହୋଇଥିଲା ୯୧ ପ୍ରତିଶତ।

ପାଣିପାଗ ବିଜ୍ଞାନୀଙ୍କ ମତରେ ପ୍ରାକୃତିକ ଦୁର୍ବିପାକ ସଂକ୍ରାନ୍ତରେ ଶତ ପ୍ରତିଶତ ପୂର୍ବାନୁମାନ କରିବା ସହଜସାଧ୍ୟ ନୁହେଁ। ସାଟେଲାଇଟ ମାଧ୍ୟମରେ ଭାରତ ପରି ବିଶାଳ ରାଷ୍ଟ୍ରର ପାଣିପାଗ ବ୍ୟବସ୍ଥାକୁ ଅବଲୋକନ କରି ଠିକ୍‌ ସୂଚନା ପ୍ରଦାନ କରିବା ଅସମ୍ଭବ। ତେବେ ବିଶ୍ବର ଅନ୍ୟ ଦେଶର ଜଳବାୟୁ ବିଜ୍ଞାନୀ ଠିକ୍‌ ପୂର୍ବାନୁମାନ କରିପାରୁଛନ୍ତି କିପରି ? ବ୍ରିଟେନ ଓ ଆମେରିକା କଥା ବିଚାରକୁ ନେଲେ ଜଣାପଡ଼େ ଯେ ସେଠାକାର ବୈଜ୍ଞାନିକ ପାଣିପାଗ ସଂକ୍ରାନ୍ତରେ ଅପେକ୍ଷାକୃତ ଠିକ୍ ପୂର୍ବାନୁମାନ କରିପାରନ୍ତି। ତେବେ ଭୌ‌େଗାଳିକ ଦୃଷ୍ଟିକୋଣରୁ ଏପରି ପୂର୍ବାନୁମାନ ଭାରତରେ ସମ୍ଭବ ନୁହେଁ। କାରଣ ଭାରତ କ୍ରାନ୍ତୀୟ ରେଖାର ପାଦ ଦେଶରେ ଅବସ୍ଥିତ। ସେହିପରି ବ୍ରିଟେନ କ୍ରାନ୍ତୀୟ ରେଖାର ଊର୍ଦ୍ଧ୍ବରେ। ତେଣୁ ସେ ଦେଶର ଜଳବାୟୁ ଏକ ପ୍ରକାର ସ୍ଥିର; ଯେଉଁଥିପାଇଁ ପୂର୍ବାନୁମାନ କରିବା ସହଜ। ଭାରତ ପକ୍ଷେ ଏହା କଷ୍ଟସାଧ୍ୟ।

ବିଶ୍ବର ଇସ୍ରାଏଲ ହେଉଛି ଏକମାତ୍ର ରାଷ୍ଟ୍ର ଯାହାର ପାଣିପାଗ ପୂର୍ବାନୁମାନ ୯୦ ପ୍ରତିଶତ ଠିକ୍ ହୋଇଥାଏ। ଏହାର କାରଣ ହେଲା ଏହି ଦେଶ ଆୟତନରେ କ୍ଷୁଦ୍ର। ଭାରତ କଥା ବିଚାରକୁ ନେଲେ ଜଣାପଡ଼େ ଯେ ଆମର ଏକାଧିକ ସାଟେଲାଇଟ ପାଣିପାଗ ପାଇଁ କାର୍ଯ୍ୟ କରୁଛି। ତେବେ ଠିକ୍ ପୂର୍ବାନୁମାନ ପାଇବାରେ ଆମେ ସକ୍ଷମ ହୋଇ ପାରୁ ନାହୁଁ। ଏଥିପାଇଁ ଆମ ଦେଶରେ ପାଣିପାଗ ପାଇଁ ବ୍ୟବହୃତ ସଫ୍ଟୱୟାରର ପରିବର୍ତ୍ତନ ଜରୁରୀ ବୋଲି କେତେକ ମତ ଦିଅନ୍ତି। କାରଣ ଆମଦେଶରେ ବ୍ୟବହୃତ ପାଣିପାଗ ସଂକ୍ରାନ୍ତ ସଫ୍ଟୱୟାର ପାଶ୍ଚାତ୍ୟ ଦେଶରେ ନିର୍ମାଣ କରାଯାଇଥାଏ ା ଭୌ​‌େ​‌ଗାଳିକ ଦୃଷ୍ଟିରୁ ସେସବୁ ଦେଶର ଜଳବାୟୁଠାରୁ ଭାରତର ଜଳବାୟୁ ଭିନ୍ନ। ତେଣୁ ସେଠାକାର ସଫ୍ଟୱୟାର ଆମ ଦେଶର ପାଣିପାଗ ବିଜ୍ଞାନୀମାନେ ଉପଯୋଗ କଲାବେଳକୁ ଶତ ପ୍ରତିଶତ ପୂର୍ବାନୁମାନ କରିବା ସମ୍ଭବ ହୋଇ ପାରୁନି।

ଭାରତ ପରି ବିଶାଳ ରାଷ୍ଟ୍ରର ପ୍ରତି ଅଞ୍ଚଳର ପାଣିପାଗ ସଂକ୍ରାନ୍ତରେ ଜାଣିବା ପାଇଁ ସବୁଠି ରେଡାର ଖଞ୍ଜିବା ସମ୍ଭବ ନୁହେଁ। ଏହା ଅଧିକ ବ୍ୟୟସାପେକ୍ଷ। କ୍ଷୁଦ୍ରାତିକ୍ଷୁଦ୍ର ଅଞ୍ଚଳର ପାଣିପାଗ ସଂକ୍ରାନ୍ତରେ ପୂର୍ବାନୁମାନ କରିବା ରେଡାର ପକ୍ଷେ ସହଜ ା ତେବେ ଭାରତ ପରି ବିଶାଳ ଭୂଭାଗ ଓ ସଦା ଅସ୍ଥିର ଜଳବାୟୁ ସମ୍ପନ୍ନ ଦେଶ ସଂକ୍ରାନ୍ତରେ ଠିକ୍ ପୂର୍ବାନୁମାନ କରିବା ସହଜ ସାଧ୍ୟ ନୁହେଁ ବୋଲି କେତେକ ବୈଜ୍ଞାନିକ କହନ୍ତି। ଦେଶର ଭୌ‌େ​‌ଗାଳିକସ୍ଥିତିକୁ ବିଚାରକୁ ନେଇ ବୈଜ୍ଞାନିକମାନେ ଆଗକୁ ପାଣିପାଗ ସଂକ୍ରାନ୍ତରେ ଠିକ୍ ସୂଚନା ପ୍ରଦାନ କରିବେ ବୋଲି ଆଶା କରାଯାଏ।

Comments are closed.