ଆଜି ବିସିସିଆଇର (ଏଜିଏମ୍) ବୈଠକ : ହୋଇପାରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଅହମ୍ମଦାବାଦ :  ଭାରତୀୟ କ୍ରିକେଟ କ​‌େ​‌ଣ୍ଟ୍ରାଲ ବୋର୍ଡ (ବିସିସିଆଇ)ର ୮୯ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଗୁରୁବାର ସ୍ଥାନୀୟ ମୋଟେରା ଷ୍ଟାଡିୟମ୍‌ରେ ଆୟୋଜନ ହେବାକୁ ଯାଉଛି। ବୈଠକରେ ଭାରତୀୟ କ୍ରିକେଟ୍‌ ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ସେଥିମଧ୍ୟରୁ ୩ଟି ମୁଖ୍ୟ ପ୍ରସଙ୍ଗ ହେଲା ଆଇପିଏଲ୍‌ରେ ୨ଟି ନୂତନ ଫ୍ରାଞ୍ଚାଇଜିଙ୍କୁ ସାମିଲ କରିବା, ଭାରତରେ ହେବାକୁ ଥିବା ବିଶ୍ବସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରୁ ଟିକସ ଛାଡ଼ ଓ ବିଭିନ୍ନ କ୍ରିକେଟ୍‌ କମିଟି ଗଠନ କରିବା ପ୍ରଭୃତି। ଏହାସହ ମାହିମ୍ ବର୍ମାଙ୍କ ସ୍ଥାନରେ ରାଜୀବ ଶୁକ୍ଳାଙ୍କୁ ବିସିସିଆଇର ନୂତନ ଉପସଭାପତି ଭାବେ ଔପଚାରିକ ଭାବେ ଘୋଷଣା କରିବା। ବିସିସିଆଇର ସଦସ୍ୟମାନେ ସର୍ବସମ୍ମତ ଭାବେ ଶୁକ୍ଳାଙ୍କୁ ଉପସଭାପତି ଦାୟିତ୍ବ ଦେବାକୁ ରାଜି ହୋଇଥିବା ବେଳେ ନିର୍ବାଚନ ଆବଶ୍ୟକ ନାହିଁ। ପୁଣି ବ୍ରିଜେଶ ପଟେଲ ଆଇପିଏଲ୍‌ ପରିଚାଳନା ପରିଷଦ (ଗଭର୍ଣ୍ଣିଂ କାଉନ୍‌ସିଲ)ର ଅଧ୍ୟକ୍ଷ ଭାବେ ସ୍ଥାନ ବଜାୟ ରଖିବା ମଧ୍ୟ ନିଶ୍ଚିତ।

ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ବୈଠକରେ ଅଧ୍ୟକ୍ଷତା କରିବେ। ବିସିସିଆଇର ବିଭିନ୍ନ ପ୍ରାୟୋଜକଙ୍କ ପ୍ରତିଦ୍ବନ୍ଦ୍ବୀ କମ୍ପାନୀ ସହ ଗାଙ୍ଗୁଲି ବିଜ୍ଞାପନ ଚୁକ୍ତିକରିବା ଯୋଗୁଁ ତାଙ୍କ ବିରୋଧରେ ସ୍ବାର୍ଥଜଡ଼ିତ ସମସ୍ୟା ଅଭିଯୋଗ ହୋଇଥିବା ବେ​‌େ​‌ଳ ଏହି ପ୍ରସଙ୍ଗ କୌଣସି ସଦସ୍ୟ ଉଠାଇବେ କି ନାହିଁ; ତାହା ସ୍ପଷ୍ଟ ହୋଇନାହିଁ। ତଥାପି ଯଦି କୌଣସି ସଦସ୍ୟ ଗାଙ୍ଗୁଲିଙ୍କୁ ଏହି ସମ୍ପର୍କରେ ପ୍ରଶ୍ନକରନ୍ତି; ତେବେ ତାଙ୍କ ଜବାବ ସହ ଗାଙ୍ଗୁଲି ପ୍ରସ୍ତୁତ ରହିଛନ୍ତି। ଆଇପିଏଲ୍‌ରେ ୨ଟି ନୂତନ ଫ୍ରାଞ୍ଚାଇଜିଙ୍କୁ ସାମିଲ କରିବା ପ୍ରସଙ୍ଗ ଏଜିଏମ୍‌ର ଏଜେଣ୍ଡାରେ ରହିଛି। ତେବେ ଏହି ୨ଟି ନୂତନ ଫ୍ରାଞ୍ଚାଇଜିଙ୍କୁ ୨୦୨୧ ନୁହେଁ; ବରଂ ୨୦୨୨ ଆଇପିଏଲ୍‌ରେ ସାମିଲ କରିବାର ନିଷ୍ପତ୍ତି ନିଆ ଯାଇପାରେ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଯଦି ବିସିସିଆଇ ୨୦୨୧ ଆଇପିଏଲ୍‌ରେ ୨ଟି ନୂତନ ଫ୍ରାଞ୍ଚାଇଜିଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନିଏ; ଏହା ତରବରିଆ ହେବ। କାରଣ ଏଥିପାଇଁ ଟେଣ୍ଡର ଆହ୍ବାନ କରିବାକୁ ପଡ଼ିବ ଏବଂ ପରେ ମେଗା ନିଲାମ କରିବାକୁ ପଡ଼ିବ।

ଏଥିପାଇଁ ବହୁତ କମ୍ ସମୟ ରହିଛି। ତେଣୁ ୨୦୨୨ ଆଇପିଏଲ୍‌ ୧୦ଟି ଦଳଙ୍କୁ ନେଇ ଖେଳାଯିବ। ୨୦୨୧ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଭାରତରେ ଅକ୍ଟୋବର-ନଭେମ୍ବରରେ ଆୟୋଜନ ହେବ। ଏହି ବିଶ୍ବକପ୍‌ରୁ ଟିକସ ଛାଡ଼ କରିବାକୁ ବିସିସିଆଇକୁ ଆଇସିସି କହିଛି; ଅନ୍ୟଥା ଏହି ବିଶ୍ବକପ୍‌କୁ ୟୁଏଇକୁ ନେଇଯିବାକୁ ଆଇସିସି ଧମକ ଦେଇଛି। ସପ୍ତାହକ ପରେ ଏହି ପ୍ରସଙ୍ଗରେ ବିସିିସିଆଇ-ଆଇସିସି ବୈଠକ ହେବାକୁ ଯାଉଛି। କୌଣସି ବିଶ୍ବସ୍ତରୀୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରୁ ଟିକସ ଛାଡ଼ିବାର ବ୍ୟବସ୍ଥା ଭାରତୀୟ ଆଇନ୍‌ରେ ନାହିଁ। ଏହି ସନ୍ଦର୍ଭରେ ଗୁରୁବାର ଏଜିଏମ୍‌ରେ ବିସ୍ତୃତ ଆଲୋଚନା ହେବ। ପୁଣି ସମ୍ପାଦକ ଜୟ ଶାହା ଆଇସିସିରେ ବିସିସିଆଇର ପ୍ରତିନିଧି ରହିବା ନେଇ ନିଷ୍ପତ୍ତି ହୋଇପାରେ। ୨୦୨୮ ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍‌ସରେ କ୍ରିକେଟ୍‌କୁ ସାମିଲ କରିବା ନେଇ ଆଲୋଚନା ହେବ। ଯଦି ଏଥିପାଇଁ ବିସିସିଆଇ ସବୁଜ ସଙ୍କେତ ଦିଏ; ତେବେ ଏହା ଏକ ସ୍ବୟଂଶାସିତ ଜାତୀୟ କ୍ରୀଡ଼ା ମହାସଂଘର ମାନ୍ୟତା ହରାଇବ। ପୁଣି ଏହା କ୍ରୀଡ଼ା ମନ୍ତ୍ରାଳୟ ଅଧିନକୁ ଆସିଯିବ ଏବଂ ସରକାର ବିସିସିଆଇର କାର୍ଯ୍ୟରେ ହସ୍ତକ୍ଷେପ କରିବେ। ଦୀର୍ଘଦିନ ହେଲା ବିସିସିଆଇର ବିଭିନ୍ନ କ୍ରିକେଟ୍‌ କମିଟି ଗଠନ ହୋଇନଥିବାରୁ ଏହାର ଗଠନ ନେଇ ନିଷ୍ପତ୍ତି ନିଆ ଯାଇପାରେ। ନୂତନ କ୍ରିକେଟ ପରାମର୍ଶଦାତା କମିଟି (ସିଏସି) ଗଠନ କରା ଯାଇପାରେ; ଯାହା ୩ ଜଣ ଜାତୀୟ ମନୋନୟନକାରୀଙ୍କୁ ନିଯୁକ୍ତି ଦେବ।

Comments are closed.