ଆଜିଠୁ ବିଶ୍ବର ବୃହତ୍‌ ଟିକାଭିଯାନ

ନୂଆଦିଲ୍ଲୀ: ଆଜିଠୁ ଦେଶବ୍ୟାପୀ କରୋନା ଟିକାକରଣ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟିକାକରଣ ପ୍ରକ୍ରିୟାକୁ ସକାଳ ୧୦ଟା ୩୦ ମିନିଟ୍‌ରେ ଭିଡିଓ କନଫରେନ୍ସି ମାଧ୍ୟମରେ ଶୁଭାରମ୍ଭ କରିବେ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ନିର୍ମାଣ ଭବନସ୍ଥିତ କୋଭିଡ ନିୟନ୍ତ୍ରଣ କକ୍ଷରେ ଦେଶବ୍ୟାପୀ ଟିକାକରଣ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ବିଶ୍ବର ସବୁଠାରୁ ବଡ଼ ଟିକାକରଣ ପ୍ରକ୍ରିୟା। ଏହାଦ୍ବାରା କରୋନା ଭୂତାଣୁର ବିନାଶ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ସେବା କର୍ମଚାରୀ (ଉଭୟ ସରକାରୀ ଓ ଘରୋଇ)ଙ୍କୁ ଟିକା ଦିଆଯିବ। ଏହି ଟିକାକରଣ ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସେମାନଙ୍କ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସଂଖ୍ୟା ଆଧାରରେ ଟିକା ଯୋଗାଇ ଦିଆଯାଇଛି। ଏଥିପାଇଁ ମୋଟ ୧.୬୫ କୋଟି ଡୋଜ୍ ଟିକା ପଠାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋହର ଅଗନାନୀଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସ୍ବାସ୍ଥ୍ୟ ବିଭାଗକୁ ଦିଆଯାଇଥିବା ନିର୍ଦେଶ ଅନୁଯାୟୀ ୧୮ବର୍ଷ କିମ୍ବା ତଦୂର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ। ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ଓ ଗର୍ଭବତୀ, ଅସୁସ୍ଥ ବ୍ୟକ୍ତି ଟିକା ନେବେନାହିଁ। ଏହି ଟିକାକୁ ଜଣଙ୍କ ପରିବର୍ତ୍ତେ ଅନ୍ୟ ଜଣଙ୍କୁ ଦିଆଯାଇପାରିବ ନାହିଁ। ପ୍ରଥମ ଡୋଜ୍‌ରେ ଯେଉଁ କମ୍ପାନୀର ଟିକା ଦିଆଯାଇଥିବା ଦ୍ବିତୀୟ ଡୋଜ୍‌ରେ ସେହି କମ୍ପାନୀର ଟିକା ଦିଆଯିବ।
ସ୍ତନ୍ୟପାନ କରାଉଥିବା, ଗର୍ଭବତୀ, ଅସୁସ୍ଥ ନେବେନି
ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ କରୋନା ମହାମାରୀ ବିରୋଧରେ ଟିକାଦାନ ମହାଭିଯାନ କାର୍ଯ୍ୟକ୍ରମ ପାଇଁ ବ୍ଲକସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ପ୍ରସ୍ତୁତି ସରିଛି। ସବୁ ଜିଲାର ସବରେଜିଷ୍ଟ୍ରାର, ଆରଟିଓ, ଯୋଗାଣ ଅଧିକାରୀ, ଅବକାରୀ ଓ ସୂଚନା ଅଧିକାରୀ ଏହି କାର୍ଯ୍ୟରେ ନିୟୋଜିତ ରହିଛନ୍ତି।

ଆଜି ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୂହ ଟିକାକରଣ କାର୍ଯ୍ୟକ୍ରମକୁ ଦେଶବ୍ୟାପୀ ଶୁଭାରମ୍ଭ କରିବାକୁ ଥିବାବେଳେ ଓଡ଼ିଶାରେ କ୍ୟାପିଟାଲ ହସ୍ପିଟାଲରେ ଏହାର ଶୁଭାରମ୍ଭ ହେବ। ସୂଚନା ଅନୁଯାୟୀ ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସହ ବିଭାଗର ବହୁ ବରିଷ୍ଠ ଅଧିକାରୀ କାର୍ୟ୍ୟକ୍ରମରେ ଉପସ୍ଥିତ ରହିବେ। ଏହାପରେ ପ୍ରତିଦିନ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ଯାଏଁ ଟିକାଦାନ କାର୍ଯ୍ୟକ୍ରମ ହେବ। ଆସନ୍ତା ସପ୍ତାହକ ମଧ୍ୟରେ ଏହାକୁ ଶେଷ କରିବାକୁ ଶ୍ରୀ ମହାପାତ୍ର ସବୁ ଜିଲାପାଳ ଓ ମହାନଗର କମିଶନରଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଗତକାଲି ଏମ୍ସରେ ଟିକାଦାନ କେନ୍ଦ୍ରକୁ ମିଶାଯିବା ପରେ ରାଜ୍ୟରେ ଟିକାକରଣ କେନ୍ଦ୍ର ସଂଖ୍ୟା ୧୬୧କୁ ବଢ଼ିଛି। ରାଜ୍ୟରେ ୧୬,୧୦୦ ସ୍ବାସ୍ଥ୍ୟକର୍ମୀ ଓ କରୋନା ସମ୍ମୁଖ ଯୋଦ୍ଧା ଟିକା ନେବାକୁ ରହିଛି। ଏହି ଅନୁଯାୟୀ ୧୮ ବର୍ଷରୁ କମ୍‌, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା, ଅସୁସ୍ଥ ବା ଚିକିତ୍ସାଧୀନଙ୍କୁ ଟିକାକରଣ ବାରଣ ରହିଛି।

ସେହିପରି ୧୪ ଦିନ ଭିତରେ ଅନ୍ୟ କିଛି ଟିକା ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ କୋଭିଡ୍ ଟିକା ଦିଆଯିବ ନାହିଁ। କୋଭିଡ୍‌ ଲକ୍ଷଣ ଥିଲେ ସୁସ୍ଥ ହେବାର ୫ରୁ ୮ ସପ୍ତାହ ପରେ ଯାଇ ଟିକା ନେଇହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

ସମୂହ ଟିକାଦାନ କାର୍ଯ୍ୟକ୍ରମ କିଭଳି ଚାଲିଛି ସେଥିନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁମ୍ ଆପ୍ସ ଲିଙ୍କ୍‌ ମାଧ୍ୟମରେ ସିଧାସଳଖ ସ୍ବାସ୍ଥ୍ୟ ଅଧିକାରଙ୍କ ସହିତ ଆଲୋଚନା କରିବେ ଓ କାର୍ଯ୍ୟକ୍ରମ ପରଖିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଭାରତ ସରକାରଙ୍କ ମାର୍ଗଦର୍ଶିକାରେ କୌଣସି ପ୍ରକାର ବ୍ୟତିକ୍ରମ ନ ହେବାକୁ ଜିଲାପାଳ ଓ ପୌର ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାସହିତ କ୍ଷେତ୍ରସ୍ତରରୁ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ଅଧିକାରୀମାନେ ଯୋଗାଯୋଗରେ ରହିବେ। ସବୁପ୍ରକାର ସମସ୍ୟାକୁ ସମ୍ମୁଖୀନ କରିବାକୁ ବିଭାଗ ପ୍ରସ୍ତୁତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରୋନା ଟିକାକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ତା’ପରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଉନ୍ମୋଚନ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଏବଂ ସୁନ୍ଦରଗଡରେ ଦୁଇଟି ସାଇଟ୍ ସହିତ ସଂଯୁକ୍ତ ହେବେ। ମଧ୍ୟାହ୍ନ ୧୨ ଟାରେ ଜୁମ୍ ଲିଙ୍କ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସଂଯୋଗ କରାଯିବ ଏବଂ ସମସ୍ତ ଜିଲାରୁ କିଛି ସ୍ବାସ୍ଥ୍ୟ ହିତାଧିକାରୀଙ୍କ ସହ ଯୋଗାଯୋଗ କରିବେ। ଆସନ୍ତାକାଲି ଉନ୍ମୋଚନ ତାରିଖରେ ପ୍ରତ୍ୟେକ ଜିଲା ଅଧିବେଶନ ସାଇଟରେ ସମସ୍ତ ବର୍ଗର କର୍ମଚାରୀଙ୍କୁ ଟିକାକରଣ ପାଇଁ ଯୋଗାଯୋଗ କରାଯାଇଛି। କରୋନା ଟିକାକରଣ କାର୍ଯ୍ୟକ୍ରମ ପାଇଁ ସମ୍ବେଦନଶୀଳତା ଲାଗି ପର୍ଯ୍ୟାପ୍ତ ଆଇଇସି ସାମଗ୍ରୀ (ପୋଷ୍ଟର, ବ୍ୟାନର ଏବଂ ଷ୍ଟାଣ୍ଡ) ବିକଶିତ କରାଯାଇଛି। ଆସନ୍ତାକାଲିର ଟିକାକରଣ କାର୍ଯ୍ୟକ୍ରମର କଭରେଜ୍ ଏବଂ ପର୍ଯ୍ୟାୟକ୍ରମେ ମନ୍ତ୍ରାଳୟକୁ ଯୋଗାଯୋଗ ପାଇଁ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶାକୁ ୪ ଲକ୍ଷ ୮ହଜାର କୋଭିସିଲ୍ଡ ଡୋଜ୍‌ ଆସିଥିବାବେଳେ ୨୦ ହଜାର କୋଭାକ୍ସିନ ଡୋଜ୍‌ ଆସିଛି। ସବୁ ଜିଲାରେ କୋଭିସିଲଡ ଓ ଭୁବନେଶ୍ବର ପୌରାଞ୍ଚଳରେ କୋଭାକ୍ସିନ ଟିକା ଦିଆଯିବାକୁ ସ୍ଥିର ହୋଇଛି। ତେବେ ଟିକାକରଣକୁ ନେଇ କୌଣସି ପ୍ରଶ୍ନ ବା ସହାୟତାର ଆବଶ୍ୟକତା ଥିଲେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ କିମ୍ବା ୧୦୭୫ ନମ୍ବରରେ ଫୋନ୍‌ କରିବାକୁ କୁହଯାଇଛି।

Comments are closed.