ଆଜି ଭାରତ-ଆମେରିକା ଟୁ ପ୍ଲସ ଟୁ ଶିଖର ବୈଠକ

ଆଜି ଭାରତ-ଆମେରିକା ଟୁ ପ୍ଲସ ଟୁ ଶିଖର ବୈଠକ ଅନୁଷ୍ଠିତ ହେବ। ଏଥିରେ ଭାରତ-ଆମେରିକା ଭାଗିଦାରୀ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଓ ପ୍ରଶାସନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଓ ସ୍ଥିରତା ଆଣିବା ଉପରେ ଆଲୋଚନା ହେବ। ଗତକାଲି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସପର ନୂଆଦିଲ୍ଲୀରେ ପହଂଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି, ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଅତ୍ୟନ୍ତ ସଫଳ ରହିଛି ଓ ଭବିଷ୍ୟତରେ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧିରେ ଏହା ସାହାଯ୍ୟ କରିବ। ସେ କହିଛନ୍ତି, ଏହି ଆଲୋଚନା ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ ଓ ସହଯୋଗକୁ ଏକ ନୂଆ ଦିଗଦର୍ଶନ ଦେବ।

ଆଲୋଚନା ସମୟରେ ଉଭୟ ନେତା ସାମରିକ ସ୍ଥରୀୟ ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତରେ ପ୍ରତିରକ୍ଷା ଶିଳ୍ପରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିବା ପାଇଁ ଆତ୍ମନିର୍ଭର ଭାରତ ଅଧୀନରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ବର୍ଣ୍ଣନା କରିଥିଲେ ଏବଂ ଆମେରିକୀୟ କମ୍ପାନୀମାନଙ୍କୁ ଭାରତର ଉଦରବାଦୀ ପ୍ରତିରକ୍ଷା ଶିଳ୍ପରେ ଉପଯୋଗ କରିବାକୁ ଆମନ୍ତ୍ରଣ କରିଥିଲେ।

ଆଲୋଚନାରେ ସିଡିଏସ ମୁଖ୍ୟ ଜେନେରାଲ ବିପିନ ରାୱତ, ସେନା ମୁଖ୍ୟ ଜେନେରାଲ ମନୋଜ ନରୱାଣେ, ବାୟୁସେନା ମୁଖ୍ୟ ମୁଖ୍ୟ ମାର୍ଶଲ ଆର. କେ. ଏସ. ଭାଦୁରିଆ ଏବଂ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛନ୍ତି। ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଟୁ ପ୍ଲସ ଟୁ କଥାବାର୍ତ୍ତାରେ ଅଂଶଗ୍ରହଣ କରିବାକୁ ଭାରତକୁ ଦୁଇଦିନ ଗସ୍ତରେ ଆସିଛନ୍ତି। ସେମାନଙ୍କ ସମ୍ମାନାର୍ଥେ ଗତ ସନ୍ଧ୍ୟାରେ ଏକ ନୈଶ ଭୋଜି ସଭା ଆୟୋଜନ କରାଯାଇଥିଲା।

ବିଶ୍ୱର ସର୍ବପୁରାତନ ଏବଂ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ଓ ଆମେରିକା ପରସ୍ପର ମଧ୍ୟରେ ଉତ୍ତମ ଭାଗିଦାରୀ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ଶକ୍ତି, ବେସାମରିକ ବିମାନ ଚଳାଚଳ, ବିଜ୍ଞାନ, ମହାକାଶ, ମୌଳିକ ଢାଞ୍ଚା ଓ ସ୍ୱାସ୍ଥ୍ୟ ସମେତ ବିଭିନ୍ନ କ୍ଷେତ୍ରରେ ଘନିଷ୍ଠ ସହଯୋଗ ସ୍ଥାପନ ହୋଇଛି। ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ। ସକାଳେ ସେମାନେ ନୂଆଦିଲ୍ଲୀ ସ୍ଥିତ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ସେଠାରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି।

Comments are closed.