ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ : ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ

ମୁମ୍ବଇ/ଚଣ୍ଡିଗଡ଼ :  ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । ଶାରଦୀୟ ଦୁର୍ଗାପୂଜାରେ ମଧ୍ୟ ଆଶୟୀ ପ୍ରାର୍ଥୀମାନେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ଲାଗିପଡ଼ିଛନ୍ତି। ସୋମବାର ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ।

ମହାରାଷ୍ଟ୍ରରେ ମନୋନୟନ ପତ୍ରଗୁଡ଼ିକର ଯାଞ୍ଚ୍‍କାର୍ଯ୍ୟ ଶେଷ ହୋଇଛି । ବିଧାନସଭା ନିର୍ବାଚନ ପାଇଁ ଦାଖଲ ହୋଇଥିବା ୫୫୪୩ ପ୍ରାର୍ଥୀପତ୍ର ଗୁଡ଼ିକ ମଧ୍ୟରୁ ୪୭୩୯ଟି ପ୍ରାର୍ଥୀପତ୍ର କାଏମ୍‍ ଥିବାବେଳେ ୭୯୮ଟି ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି।  ତେବେ ଅସନ୍ତୁଷ୍ଟ ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ସମ୍ଭାବନା ଥିବା ଦୃଷ୍ଟିରୁ ଆଜି ସମସ୍ତ ରାଜନୈତିକ ଚିତ୍ର ସ୍ପଷ୍ଟ ହୋଇଯିବ।

ମହାରାଷ୍ଟ୍ରରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ରବିବାର ସତ୍ତ୍ବେ ଗତକାଲି ସମସ୍ତ ରାଜନୈତିକ ଦଳର ନେତାମାନେ ନିର୍ବାଚନ ପ୍ରଚାର କରିବା ସହ ଘରକୁ ଘର ବୁଲି ଭୋଟରଙ୍କୁ ପ୍ରଭାବିତ କରୁଥିବା ଦେଖିବାକୁ ମିଳିଛି।  ହରିୟାଣାରେ ମଧ୍ୟ ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ମିଳିଥିବା ରିପୋର୍ଟ ଅନୁଯାୟୀ ଯାଞ୍ଚ୍‍ କରାଯାଇଥିବା ୧୭୮୮ଟି ପ୍ରାର୍ଥୀପତ୍ର ମଧ୍ୟରୁ ୧୩୯୫ଟି କାଏମ୍‍ ରହିଥିବାବେଳେ ୩୯୩ଟି ନାକଚ ହୋଇଯାଇଛି। ତିନି ଜଣ ପ୍ରାର୍ଥୀ ସେମାନଙ୍କର ମନୋନୟନ ପତ୍ର ପ୍ରତ୍ୟାହାର କରିଛନ୍ତି।

ଏହି ଦୁଇ ରାଜ୍ୟରେ ୨୧ ତାରିଖରେ ଭୋଟଗ୍ରହଣ କରାଯିବା ସହ ୨୪ ତାରିଖରେ ଭୋଟ୍‍ଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ।

Comments are closed.