ଆଜି ବିଜେଡିର ପ୍ରତିଷ୍ଠା ଦିବସ

ସରକାରଙ୍କୁ ପ୍ରଶ୍ନ ରଖିଲା ବିଜେପି

ଭୁବନେଶ୍ୱର : ଆଜି ବିଜେଡିର ୨୩ ତମ ପ୍ରତିଷ୍ଠା ଦିବସ। ବିଜେଡି ଗଠନଠାରୁ ଆଜି ପର୍ଯ୍ୟନ୍ତ ସବୁବେଳେ ଓଡିଶାର ଶାସନ କ୍ଷମତାରେ ରହିଆସିଛି। ହେଲେ ଏହି ଲମ୍ବା ସମୟ ମଧ୍ୟରେ ଓଡ଼ିଶା ବିକାଶର ଶୀର୍ଷରେ ପହଞ୍ଚିବା କଥା। ମାତ୍ର ସେଭଳି କିଛି ଆଖିଦୃଶିଆ ବିକାଶ ରାଜ୍ୟର ହୋଇପାରିନାହିଁ ବୋଲି ବିଜେି ଉପସଭାପତି ସମୀର ମହାନ୍ତି କହିଛନ୍ତି।
ବୁଧବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳୀନରେ ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେଡ଼ି ସରକାର ଜାତୀୟ ତୁଳନାରେ ସମସ୍ତ ମାପଦଣ୍ଡରେ ଆଗେଇବା ବଦଳରେ ପଛେଇ ଚାଲିଛି। ୨୦ବର୍ଷରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ୧୧୦ଟି ପିଏଚସି ଓ ସିଏଚସିରେ ଡାକ୍ତର ନାହାନ୍ତି ଏହା କ’ଣ ରାଜ୍ୟର ଉନ୍ନତ ସ୍ୱାସ୍ଥ୍ୟ ସେବାର ନମୁନା କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ସେହିପରି ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ଘୋଷଣା କରିଥିଲେ। କିନ୍ତୁ ଭୋଟ ପାଇଁ ଜିତିଲା ପରେ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। କାଳିଆର ପ୍ରଥମ କିସ୍ତି ନପାଇଥିବା ଆଉ ୨୪ ଲକ୍ଷ ଚାଷୀ କେବେ କାଳିଆ ଟଙ୍କାପାଇବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ପ୍ରତିଦିନ ରାଜ୍ୟରେ ନାରୀ ନିର୍ଯାତନା ଘଟିଚାଲିଛି। ନବୀନ ବାବୁ ନାରୀ ସୁରକ୍ଷା କଥା କହୁଥିବାବେଳେ କେବେ ମହିଳା ବିରୋଧୀ ଆଇନ ରାଜ୍ୟରେ ଲାଗୁ କରିବେ, କେବେସବୁ ଜିଲାରେ ମହିଳା ଥାନା ପ୍ରତିଷ୍ଠା କରିବେ ତାହା ସ୍ପଷ୍ଟ କରନ୍ତୁ? ମାତୃମୃତ୍ୟୁ ହାର , ଶିଶୁ ମୃତ୍ୟୁ ହାର ଏବଂ ବଳାତ୍କାର ଘଟଣାରେ ଓଡିଶା ରେକର୍ଡ କରିବା କ’ଣ ରାଜ୍ୟ ପାଇଁ ଲଜ୍ଜାର ବିଷୟ ନୁହେଁ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ରାଜ୍ୟରେ ପାନୀୟ ଜଳଯୋଗାଣ ଅଭାବରୁ ଏକାଧିକ ପରିବାର ଜଳକଷ୍ଟରେ ରହିଥିବାବେଳେ ରାଜ୍ୟରେ ୩୯ପ୍ରତିଶତ ଜମି ମୁଣ୍ଡରେ ପାଣି ପହଞ୍ଚି ପାରିନାହିଁ। ସେହିପରି ବାତ୍ୟା ପ୍ରଭାବିତ ଜିଲାଗୁଡିକ ପାଇଁ କେନ୍ଦ୍ର ସରକାର ୫୦୦୦ କୋଟି ସହାୟତା ଯୋଗାଇଥିବାବେଳେ ଶାସକ ବିଜେଡି ଯୋଗ୍ୟ ହିତାଧିକାରୀକୁ ବଞ୍ଚିତ କରି ଅଯୋଗ୍ୟ ପ୍ରଭାବଶାଳୀ ବ୍ୟକ୍ତିକୁ ଦଳୀୟ ଆଧାରରେ ସହାୟତା ଯୋଗାଇ ଦିଆଯାଇଛି। ସହରୀ ଆବାସ ଯୋଜନାର ଦୀର୍ଘଦିନ ହେବ କେନ୍ଦ୍ର ସହାୟତା ରାଶି ଯୋଗାଇଥିଲେ ମଧ୍ୟ କେତେଜଣ ବସ୍ତି ବାସିନ୍ଦାଙ୍କୁ ଘର ମିଳିଛି ତା’ର ଉତ୍ତର ସରକାର ଦେବାର ଆବଶ୍ୟକତା ରହିଛି। ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଡିଣ୍ଡିମ ପିଟୁଥିବା ବିଜେଡ଼ି ସରକାର କେତେ ଦିନରେ ଓଟିଏମ ପୁନରୁଦ୍ଧାର କରିବେ? କଳିଙ୍ଗ ଆଇରନ ୱାକ୍ସର ପୁନରୁଦ୍ଧାର ସହ ଚିଟଫଣ୍ଡ ଜମାକାରୀଙ୍କୁ ପଇସା ଫେରସ୍ତ କରାଯିବ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

Comments are closed.