ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସ୍ୱୀକୃତି ପ୍ରସଙ୍ଗ; ତିନି ମାସ ବିତିଲା, କେନ୍ଦ୍ର ପଦକ୍ଷେପ ଶୂନ୍‌

ଭୁବନେଶ୍ୱର: ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସ୍ୱୀକୃତି ଦିଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ମାତ୍ର ଚିଠି ଲେଖାକୁ ତିନି ମାସ ବିତିଲା ହେଲେ କାର୍ଯ୍ୟପନ୍ଥା ଆଗେଇଲା ନାହିଁ। ଚିଠି ଲେଖା ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ଆଉ ଥରେ ଅବଗତ ମଧ୍ୟ କରାଗଲା ନାହିଁ।   ସଂସ୍କୃତି ବିଭାଗ ଏକ୍ଷେତ୍ରରେ ଏକପ୍ରକାର ନିରବଦ୍ରଷ୍ଟା ସାଜିଛି।  ଅପେକ୍ଷା ରହିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ନିଷ୍ପତ୍ତିକୁ। ସଂସ୍କୃତି ବିଭାଗର ଏଭଳି କାର୍ଯ୍ୟକୁ ନେଇ  ଓଡ଼ିଶୀ ଗବେଷକ, କଣ୍ଠଶିଳ୍ପୀ, ସମୀକ୍ଷକ ଏବଂ ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ମର୍ମରେ କେନ୍ଦ୍ର ସରକାରଙ୍କୁ ଆଉ ଥରେ ଅବଗତ କରାଇଲେ କ୍ଷତି କ’ଣ  ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ରାଜ୍ୟ ସରକାର କେନ୍ଦ୍ରକୁ ପ୍ରଦାନ କରିଥିବା ଦସ୍ତାବିଜ ଓ ଚିଠିକୁ ଆଧାର କରି କେବେ ନିଷ୍ପତ୍ତି ନେବେ ତାହା ମଧ୍ୟ ଅନ୍ଧାରରେ ରହିଛି। କାରଣ ଏହାରି ଭିତରେ ସମୟ ଗଡ଼ି ଚାଲିଛି। କରୋନା ପାଇଁ  ବିଳମ୍ବ ହେଇଥାଇପାରେ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ଅନୁମାନ କରାଯାଇଥିଲା ମାତ୍ର ଏବେ କରୋନା କମିଲାଣି, ପଦକ୍ଷେପ ନେବାରେ ଅସୁବିଧା କେଉଁଠି? ଗତ ୧ ମାସ ଧରି ‘ସମାଜ’ ପକ୍ଷରୁ ଏହାକୁ ପ୍ରସଙ୍ଗ କରି ‘ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସ୍ୱୀକୃତି ଦାବି ଜୋର୍‌ ଧରିଲା’ କ୍ରମରେ  ବହୁ ଗବେଷକ, କଣ୍ଠଶିଳ୍ପୀ, ଗୁରୁ ପ୍ରମୁଖ ରାଜ୍ୟ ସରକାର ଏହି ମର୍ମରେ ଆଉ ଥରେ କେନ୍ଦ୍ର ସରକାରଙ୍କୁ ଅବଗତ କରିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି। କେନ୍ଦ୍ର ଉପରେ ଲଗାତାର ଚାପ ପଡ଼ିଲେ ସୁଫଳ ମିଳିପାରିବ ବୋଲି ମଧ୍ୟ କେହି କେହି ମତ ରଖିଛନ୍ତି। ସଂସ୍କୃତି ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁସାରେ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ଆଉ ଅଧିକ କ’ଣ କରାଯାଇପାରିବ ?

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ରଞ୍ଜନ କୁମାର ଦାସ କହିଛନ୍ତି ବିଭାଗ ପର୍ଯ୍ୟରୁ ଓଡ଼ିଶୀ ନୃତ୍ୟ-ସଙ୍ଗୀତ ସମ୍ପର୍କରେ କାର୍ଯ୍ୟକ୍ରମ ଜାରି ରହିଛି।  ମୁଖ୍ୟମନ୍ତ୍ରୀ ନିଜେ ଶାସ୍ତ୍ରୀୟ ସ୍ୱୀକୃତି ନେଇ ଚିଠି ଲେଖିଛନ୍ତି। ଏହାପରେ ଆଉ କିଛି ପଦକ୍ଷେପ ନିଆଯାଇନାହିଁ। ହୁଏତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କିଛି ପଦକ୍ଷେପ ନିଆଯାଇଥାଇପାରେ ଏ ଦିଗରେ ମୁଁ ଅବଗତ ନୁହଁ। ସେହିପରି ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ କହିଛନ୍ତି, ଓଡ଼ିଶୀ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ଏକାଡେମୀ ପକ୍ଷରୁ ବିବିଧ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଆଗକୁ ବି ଗ୍ରହଣ କରାଯିବ। ସାଧାରଣ ଲୋକମାନେ କିଭଳି ଏହି ସଙ୍ଗୀତକୁ ଆପଣେଇବେ ସେଥିପାଇଁ  ସ୍ୱତନ୍ତ୍ର ଯୋଜନା କରାଯିବ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହିତ କର୍ମଶାଳା କରାଯିବା ଯୋଜନା ରହିଛି। ନିକଟରେ ଓଡ଼ିଶୀ ସଙ୍ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ‘ବର୍ଣ୍ଣାଳୀ’ କରାଯାଇଛି। ଆଗାମୀ ଦିନରେ ସରକାର ଏବଂ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଅଧିକ କାର୍ଯ୍ୟକ୍ରମ କରାଯିବ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟନିର୍ବାହୀ ଅଧିକାରୀ  ଡ. ସଙ୍ଗୀତା ଗୋସାଇଁ କହିଛନ୍ତି,  ଶାସ୍ତ୍ରୀୟତା ଦାବି ପାଇଁ ୧୦୦ରୁ ୧୫୦ କର୍ମଶାଳା ହୋଇଛି। ୨୦୧୨ ପର୍ଯ୍ୟନ୍ତ କାର୍ଯ୍ୟରେ ତତ୍ପରତା ଦେଖାଦେଇଥିଲା। ପୁଣି ୨୦୧୬ରୁ ଏହାକୁ ଗୁରୁତର ସହିତ ଗ୍ରହଣ କରାଗଲା। ଓଡ଼ିଶୀର ସ୍ୱତନ୍ତ୍ର ରାଗକୁ ନେଇ ଦିଲ୍ଲୀ, ଚଣ୍ଡିଗଡ଼, କଲକାତା, ମୁମ୍ବଇରେ କାର୍ଯ୍ୟକ୍ରମ କରାଯାଇଛି।

ଓଡ଼ିଶାରେ ଥିବା ହିନ୍ଦୁସ୍ଥାନୀ ସଙ୍ଗୀତର ଗୁରୁ ଏବଂ ବାହାରେ ଥିବା କର୍ଣ୍ଣାଟକୀ ସଙ୍ଗୀତର ଗୁରୁ ସମସ୍ତଙ୍କୁ ଏକାଠିି କରାଯାଇ ଓଡ଼ିଶୀ ସଙ୍ଗୀତ ପରିବେଷଣ କରାଯାଇ ଏହାର ସ୍ୱାତନ୍ତ୍ର୍ୟ କ’ଣ ରହିଛି ଆଲୋଚନା କରାଯାଇଛି। କିଶୋର ଚନ୍ଦ୍ରାନନ ଚମ୍ପୁରେ ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତା ସମ୍ପର୍କରେ ସବୁ ସ୍ପଷ୍ଟ ରହିଛି। ଆଶା ଆମେ ନିଶ୍ଚିତ ଏଥିରେ ସଫଳ ହେବୁ ବୋଲି ଡ. ଗୋସାଇଁ ମତବ୍ୟକ୍ତ କରିଛନ୍ତି।

Comments are closed.