ଅନୁଗୁଳରେ ହେବ ବିଶ୍ୱର ସର୍ବବୃହତ୍ ଇସ୍ପାତ କାରଖାନା

ନିବେଶ ହେବ ୧.୨ଲକ୍ଷ କୋଟି ଟଙ୍କା, ଉତ୍ପାଦନ କ୍ଷମତା ୨୫.୨ ନିୟୁତ ଟନକୁ ବୃଦ୍ଧି

ସୃଷ୍ଟି ହେବ ୬୦ ହଜାର ପ୍ରତ୍ୟକ୍ଷ ଓ ୩ ଲକ୍ଷରୁ ଅଧିକ ପରୋକ୍ଷ ନିଯୁକ୍ତି ସୁଯୋଗ 

ସ୍ଥାପନହେବ ୧୨.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ପରିବେଶ ଉପଯୋଗୀ ସିମେଣ୍ଟ କାରଖାନା 

ଭୁବନେଶ୍ବର: ଅନୁଗୋଳରେ ସ୍ଥାପନ ହେବ ବିଶ୍ବର ସର୍ବବୃହତ୍ ଇସ୍ପାତ କାରଖାନା । ୧.୨ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶରେ ଜେଏସପିଏଲର ୬ ନିୟୁତ ଟନ୍ ଉତ୍ପାଦନକ୍ଷମ ଇସ୍ପାତ କାରଖାନାକୁ ବାର୍ଷିକ ୨୫.୨ ନିୟୁତ ଟନ୍ ଉତ୍ପାଦନକ୍ଷମ କାରଖାନାରେ ପରିଣତ କରାଯିବ। ଫଳରେ ଏହି କାରଖାନା ବିଶ୍ବର ବୃହତ ଇସ୍ପାତ କାରଖାନାର ମାନ୍ୟତା ପାଇବ ।   ଏହି କାରଖାନାରେ ୬୦ ହଜାର ପ୍ରତ୍ୟକ୍ଷ ଓ ୩ ଲକ୍ଷ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ୨୦୩୦ ମସିହା ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ଏବଂ ଏଠାରେ ସ୍ବଚ୍ଛଶକ୍ତିର ଉତ୍ସ ବ୍ୟବହାର କରାଯିବ । ସେହିପରି  ପରିବେଶ ଉପଯୋଗୀ ହାଇଡ୍ରୋଜେନ ଆଧାରିତ ଡିଆର୍‌ଆଇ ଓ ଇଏଏଫ୍ ମାର୍ଗ ଜ୍ଞାନକୌଶଳ ବ୍ୟବହାର କରାଯାଇ ଇସ୍ପାତ ଉତ୍ପାଦନ କରାଯିବ । ବ୍ଲାଷ୍ଟ ଫର୍ଣାସ୍ ସ୍ଲାଗ ଓ ଫ୍ଲାଏ ଆଶ୍ ବ୍ୟବହାର ଲାଗି  ଇସ୍ପାତ କାରଖାନା ପରିସରରେ ବାର୍ଷିକ ୧୨.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସିମେଣ୍ଟ କାରଖାନା ମଧ୍ୟ ସ୍ଥାପନ ହେବ । ରାଜ୍ୟସରକାରଙ୍କ ନିକଟରେ ଏପରି ଏକ ଭିଜନ ଡ଼କୁମେଣ୍ଟ ଉପସ୍ଥାପନ କରିଛି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ ।

ରାଜ୍ୟ ସରକାରଙ୍କ ମନ୍ତ୍ରୀସମୂହ ଓ ବରିଷ୍ଠ ଅଧିକାରୀଙ୍କ ସହ ଏକ ଭରଚ୍ୟୁଆଲ ବୈଠକରେ ଏ ସମ୍ପର୍କରେ ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ପାଇଁ ବିଜୁବାବୁଙ୍କ ଦୂରଦୃଷ୍ଟିରେ ଜେଏସପିଏଲ୍ ଅନୁପ୍ରାଣିତ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଯେଉଁ ବିକାଶ ଦିଗରେ ଚାଲିଛି ତାହାକୁ ନେଇ ଜେଏସପିଏଲ୍ ଆଗକୁ ବଢ଼ୁଛି । ବର୍ତ୍ତମାନ ଜେଏସ୍‌ପିଏଲ୍ ଓଡିଶାରେ ସର୍ବାଧିକ ପୁଞିନିବେଶ କରିଥିବା ଘରୋଇ କଂପାନୀ । ପୁଞିନିବେଶ ଏବଂ ସଂପ୍ରସାରଣ କରିବା ନିମନ୍ତେ ଓଡିଶା ଆମ ପାଇଁ ପସନ୍ଦଯୋଗ୍ୟ ସ୍ଥାନ ରହିବ । ପୂର୍ବଭାରତର ବିକାଶରେ ଓଡିଶା ପ୍ରମୁଖ ସ୍ଥାନ ଅଧିକାର କରିବ ଓ ଏଥିରେ ଜେଏସପିଏଲ୍ ଅଂଶୀଦାର ହୋଇପାରିବ । ଅନୁଗୋଳର କାରଖାନାର ଉତ୍ପାଦନ ବୃଦ୍ଧି କରାଯିବ ।  କମ୍ପାନୀର ପୁଞ୍ଜିନିବେଶ ଯୋଗୁଁ ଓଡ଼ିଶାକୁ ବାର୍ଷିକ ୭୫୦୦ କୋଟି ଟଙ୍କାର ରାଜସ୍ବ ମିଳିବ ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୩.୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଜେଏସପିଏଲର ଏହି ପ୍ରସ୍ତାବକୁ ସ୍ବାଗତ କରିବା ସହ ରାଜ୍ୟରେ ପୁଞ୍ଜିନିବେଶ ଓ ବିକାଶ ପାଇଁ ଆଗ୍ରହୀ ସଂସ୍ଥାକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ଅନ୍ୟପକ୍ଷରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା. ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ମଧ୍ୟ ରାଜ୍ୟର ଶିଳ୍ପଗୁଡ଼ିକୁ କଞ୍ଚାମାଲ ଉପଲବ୍ଧ କରାଇବା ନିମନ୍ତେ ଅଧିକ ଖଣି ନିଲାମ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.