ଆଜି ରାମ ମନୋହର ଲୋହିଆଙ୍କ ୫୪ତମ ତିରୋଧାନ ଦିବସ

ନୂଆଦିଲ୍ଲୀ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ମହାନ ଚିନ୍ତାନାୟକ ଏବଂ ସମାଜବାଦୀ ନେତା ରାମ ମନୋହର ଲୋହିଆଙ୍କର ୫୪ତମ ତିରୋଧାନ ଦିବସ ମଙ୍ଗଳବାର ପାଳିତ ହୋଇଛି । ଅନ୍ୟାୟ, ଅନୀତି ବିରୁଦ୍ଧରେ ଲଢେଇରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଲୋହିଆଙ୍କର ଉକ୍ତି ଥିଲା, “ଜାତିଆଣ ଭେଦଭାବ ସୁବିଧା ସୁଯୋଗକୁ ସଂକୁଚିତ କରିଦିଏ । ସଙ୍କୁଚିତ ସୁବିଧା ସୁଯୋଗ ଜଣଙ୍କର ସାମର୍ଥ୍ୟକୁ ସଙ୍କୁଚିତ କରେ । ସଙ୍କୁଚିତ ସାମର୍ଥ୍ୟ ପୁନଶ୍ଚ ପରବର୍ତ୍ତୀ ସୁଯୋଗକୁ ସଙ୍କୁଚିତ କରିଦେଇଥାଏ ।” ଏହା ଅର୍ଥ ଜାତିଆଣ ଭେଦଭାବ ଦ୍ୱାରା ଏକ ଜାତି, ଏକ ସମାଜ କେବେହେଲେ ଆଗକୁ ବଢିପାରିବ ନାହିଁ ।
ସାଂପ୍ରତିକ ଉତ୍ତର ପ୍ରଦେଶର ଆକବରପୁରଠାରେ ୧୯୧୦ ମାର୍ଚ୍ଚ ମାସରେ ଜନ୍ମିତ ଲୋହିଆ ବମ୍ବେରେ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ । ପରେ ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଇଣ୍ଟରମିଡିଏଟ ଶିକ୍ଷା ଲାଭ କରିଥିଲେ । ତତ୍‌ ପରେ କଲିକତାସ୍ଥିତ ବିଦ୍ୟାସାଗର କଲେଜରୁ ସେ ବିଏ ଡିଗ୍ରୀ ହାସଲ କରିଥିଲେ ଏବଂ ଉଚ୍ଚଶିକ୍ଷା ପାଇଁ ଜର୍ମାନୀ ଯାତ୍ରା କରିଥିଲେ । ତାଙ୍କ ବାପା ହୀରା ଲାଲ ଲୋହିଆ ନିଜ ପୁଅ ରାମ ମନୋହରଙ୍କୁ ସ୍ୱାଧୀନତା ସଂଗ୍ରାମ ସହିତ ପରିଚିତ କରାଇଥିଲେ । ହୀରା ଲାକ ମଧ୍ୟ ଜଣେ ଦେଶଭକ୍ତ ଏବଂ ମହାତ୍ମା ଗାନ୍ଧୀଙ୍କର ଅନୁଗାମୀ ଥିଲେ । ଯୁବ ବୟସରେ ରାମ ମନୋହାର ଲୋହିଆ ନିଜ ବାପାଙ୍କ ସହିତ ଗାନ୍ଧୀଜୀଙ୍କୁ ସାକ୍ଷାତ କରିଥିଲେ । ପରେ ଲୋହିଆଙ୍କର ଜବାହରଲାଲ ନେହରୁଙ୍କ ସହିତ ମଧ୍ୟ ଉତ୍ତମ ସମ୍ପର୍କ ଗଢିଉଠିଥିଲା, କିନ୍ତୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନେହରୁଙ୍କ ସହିତ ତାଙ୍କର ମତପାର୍ଥକ୍ୟ ହେଉଥିଲା ।
ଦେଶର ସ୍ୱାଧୀନତା ସଂଗ୍ରାମରେ ଯୁବପିଢିଙ୍କୁ ସାମିଲ କରି ବ୍ରିଟିଶ ଶାସନ କବଳରୁ ଭାରତକୁ ମୁକ୍ତ କରିବାରେ ଲୋହିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏଥିସହିତ ଯୁବପିଢି ଯେଭଳି ଦେଶକୁ ଅଧିକ ଭଲ ଭାବରେ ବୁଝିପାରିବେ, ସେଥିପାଇଁ ସେମାନଙ୍କୁ ସେ ଗୀତ, ସାହିତ୍ୟ ଏବଂ କଳା ଆଦି କ୍ଷେତ୍ରରେ ମାର୍ଗଦର୍ଶନ କରିଥିଲେ । ପର୍ତ୍ତୁଗୀଜ ଶାସନ କବଳରୁ ଗୋଆକୁ ମୁକ୍ତ କରିବାକୁ ହୋଇଥିବା ଆନେ୍ଦାଳନରେ ମଧ୍ୟ ସେ ଅଂଶ୍ରଗହଣ କରିଥିଲେ । ସ୍ୱାଧୀନତା ପରେ ହିନ୍ଦୀକୁ ରାଜଭାଷା କରିବା ସପକ୍ଷରେ ସେ ଯୁକ୍ତି ଦର୍ଶାଇଥିଲେ ।
ଭାରତୀୟ ସମାଜରେ ସାମାଜିକ ଜାତିପ୍ରଥା, ଲିଙ୍ଗଗତ ଭେଦଭାବ, ଅନ୍ୟାୟ, ଅନୀତି ବିରୁଦ୍ଧରେ ସେ ଦୃଢ ଭାବରେ ସ୍ୱର ଉତ୍ତୋଳନ କରିଥିଲେ । ତାହାସହିତ ସମୃଦ୍ଧି ହାସଲ ନିମନ୍ତେ ମହିଳାମାନଙ୍କର ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଅନୁଭବ କରିଥିଲେ । ଲୋହିଆ ଏଭଳି ଏକ ସମାଜ ଗଠନ ନିମନ୍ତେ କଠିନ ପରିଶ୍ରମ କରିଥିଲେ, ଯେଉଁଠାରେ ପଛୁଆ ବର୍ଗ, ଦରିଦ୍ର ଓ ମହିଳାମାନଙ୍କୁ ଉପଯୁକ୍ତ ନ୍ୟାୟ ମିଳିବ । ୧୯୬୭ ଅକ୍ଟୋବର ୧୨ ତାରିଖରେ ତାଙ୍କର ତିରୋଧାନ ଘଟିଥିଲା ।

Comments are closed.