ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା; ମତଦାନ ପୂର୍ବରୁ ଟିଏମସି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ୨ୟ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଛି। ତେବେ ମତଦାନ ପୂର୍ବରୁ ପଶ୍ଚିମ ମେଦିନାପୁର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏଠାରେ ଜଣେ ଟିଏମସି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିବାବେଳେ ଏହି ଘଟଣା ପଛରେ ବିଜେପିର ହାତ ଥିବା ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ୮ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ପଶ୍ଚିମ ମେଦିନାପୁର ଜିଲାର ଦାଦପୁର ଗାଁରେ ଗତ ବୁଧବାର ରାତିରେ ଟିଏମସିର ଜଣେ କାର୍ଯ୍ୟକର୍ତ୍ତା ଉତ୍ତମ ଦୋଲୁଇଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିଲେ। ଉତ୍ତମ ଗାଁ କ୍ଲବ ଘରେ ଥିବା ସମୟରେ ୧୦ରୁ ଅଧିକ ଦୁର୍ବୃତ୍ତ ପହଞ୍ଚି ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲ ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ କରିଥିଲା। ସନ୍ଦେହରେ ପୁଲିସ ୮ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ବୋଲି ଏସପି ସୂଚନା ଦେଇଛନ୍ତି।

ଏହି ହତ୍ୟାକାଣ୍ଡ ପାଇଁ ଟିଏମସି ନେତାମାନେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଦାୟୀ କରିଛନ୍ତି। କିନ୍ତୁ ବିଜେପି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।

Comments are closed.