ଦଳ ଛାଡିପାରନ୍ତି ଟିଏମସି ସାଂସଦ ଶତାବ୍ଦୀ ରାୟ : ଆସନ୍ତାକାଲି ନେବେ ନିଷ୍ପତ୍ତି

କଲକତା : ଚଳିତ ବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ହେବାକୁ ଯାଉଛି। ଯାହାକୁ ନେଇ ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଗରେ ଆହ୍ବାନ ହେଉଛି ତାଙ୍କ ଗଡ଼କୁ ବଞ୍ଚାଇବା । ଏଥିସହିତ ଏଠାରେ ନିଜ ସ୍ଥିତି ସୁଦୃଢ କରିବାକୁ ବିଜେପି କଠିନ ପରିଶ୍ରମ କରୁଛି । ତେବେ ମମତା ବାନାର୍ଜୀଙ୍କ ପାଇଁ ଏଥର ପଥ ସହଜ ନୁହେଁ କାରଣ ତାଙ୍କର ଅନେକ ନେତା ଦଳ ଛାଡିବା ସହ ମମତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

କେହି କେହି ଦଳ ଛାଡିଛନ୍ତି ଏବଂ କିଛି ଆଗାମୀ ଦିନରେ ଦଳ ଛାଡିବା ଯୋଜନାରେ ଅଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଶତାବ୍ଦୀ ରାୟ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଭିନେତ୍ରୀ-ରାଜନେତା ଶତାବ୍ଦୀ ରାୟ ଏକ ଫେସବୁକ ପୋଷ୍ଟରେ ଲେଖିଛନ୍ତି, ’ଲୋକମାନେ ମୋତେ ପଚାରୁଛନ୍ତି ଯେ ମୁଁ ପାର୍ଟିର ବିଭିନ୍ନ କାର୍ୟ୍ୟରେ କାହିଁକି ଉପସ୍ଥିତ ହେଉନାହିଁ ? ମୁଁ ମୋ ଲୋକଙ୍କ ସହିତ ରହିବାକୁ ପସନ୍ଦ କରେ । କିନ୍ତୁ ପାର୍ଟିରେ ଏପରି ଲୋକ ଅଛନ୍ତି ଯେଉଁମାନେ ଚାହାଁନ୍ତି ନାହିଁ ଯେ ମୁଁ ତୁମ ସମସ୍ତଙ୍କ ସହିତ ରୁହେ। ଦଳର ମିଭିନ୍ନ ପ୍ରୋଗ୍ରାମ ବିଷୟରେ ମୋତେ ପ୍ରାୟତଃ ସୂଚନା ଦିଆଯାଉ ନାହିଁ, ମୁଁ କ’ଣ କରିପାରିବି? ’

ଶତାବ୍ଦୀ ରାୟଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ ଟିଏମସିରେ ଭୁକମ୍ପ ସୃଷ୍ଟି ହୋଇଛି। ଟିଏମସି ସାଂସଦ ମତଦାତାମାନଙ୍କୁ ଏକ ବାର୍ତ୍ତାରେ ଲେଖିଛନ୍ତି ଯେ ତାଙ୍କୁ କିଛି ଦଳର ସଦସ୍ୟ ନିଚ୍ଚା ଦେଖାଇବାକୁ ଚେଷ୍ଟା କରୁଛନ୍ତି । ଶତାବ୍ଦୀ ରାୟ ଫ୍ୟାନ୍ କ୍ଲବ ନାମକ ଫେସବୁକ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ଏକ ପୋଷ୍ଟରେ ସେ କହିଛନ୍ତି ଯେ ଯଦି ମୁଁ କୌଣସି ନିଷ୍ପତ୍ତି ନିଏ, ତେବେ ମୁଁ ଜାନୁଆରୀ ୧୬ ଅର୍ଥାତ ଆସନ୍ତା କାଲି ଅପରାହ୍ନ ୨ଟାରେ ଘୋଷଣା କରିବି । ମୁଁ କାମ କରିବାକୁ ଚେଷ୍ଟା କରେ, ଶତ୍ରୁମାନେ ମଧ୍ୟ ଏହାକୁ ସ୍ବୀକାର କରନ୍ତି। ତେଣୁ ଏହି ନୂତନ ବର୍ଷରେ, ମୁଁ ଏକ ବଡ଼ ନିଷ୍ପତ୍ତି ନେବାକୁ ଚେଷ୍ଟା କରୁଛି ଯାହା ଦ୍ବାରା ମୁଁ ତୁମମାନଙ୍କ ସହିତ ସମ୍ପୂର୍ଣ୍ଣ ରହିପାରିବି।

Comments are closed.