ମାନସିକ ଅନଗ୍ରସର ବିଦ୍ୟାର୍ଥିଙ୍କୁ ଟିଏଲଏମ୍‍ କିଟ୍‍ ବଣ୍ଟନ

ବାଙ୍କୀ : ରାଜ୍ୟ ଏବଂ କେନ୍ଦ୍ର ସରକାର ପ୍ରଥମରୁ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥିଙ୍କର ଶୈକ୍ଷିକ ପରିବେଷ ଓ ପଠନ ସାମଗ୍ରୀ ସହିତ ବୌଦ୍ଧିକ ଶିକ୍ଷାର ବିକାଶ ପାଇଁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନେବା ସହ କାର୍ଯ୍ୟକାରୀ କରୁଛନ୍ତି। ସେହିପରି ଗ୍ରାମାଞ୍ଚଳରେ ଥିବା ଦିବ୍ୟାଙ୍ଗ ବିଦ୍ୟାର୍ଥିଙ୍କ ଶୈକ୍ଷିକ ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଏନଆଇଇପିଆଇଡି ବିଭାଗ ପକ୍ଷରୁ ମାନସିକ ଅନଗ୍ରସର ଭିନ୍ନକ୍ଷମ ପିଲା ମାନଙ୍କୁ ପଠନ ସାମଗ୍ରୀ ବଣ୍ଟନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ୧୦ଜଣ ମାନସିକ ଅନଗ୍ରସର(୧ମରୁ ୫ମ)ଛାତ୍ର/ ଛାତ୍ରୀଙ୍କୁ ଟିଏଲଏମ୍‍ କିଟ୍‍ ବଣ୍ଟନ କରାଯାଇଛି। କଟକ ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ଏହି କିଟ୍‍ ବଣ୍ଟନ କରାଯାଇଛି। ବିଆରସିସି ଗଦାଧର ପ୍ରଧାନ,ଏବିଓ ଅଶୋକ କୁମାର ପଟ୍ଟନାୟକ, ମୁଖ୍ୟ କିରାଣୀ ଅନିଲ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଛାତ୍ର/ ଛାତ୍ରୀଙ୍କ ଅବିଭାବକଙ୍କ ହାତରେ ପଠନ ସାମଗ୍ରୀ ଥିବା କିଟ୍‍ ବ୍ୟାଗକୁ ପ୍ରଦାନ କରି ପିଲା ମାନଙ୍କର ଗୁରୁ ଦାୟିତ୍ୱ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଆର.ପି ଲିମା ମହାପାତ୍ର ଓ ଜ୍ୟୋର୍ତିମୟୀ ମହାପାତ୍ର ପ୍ରମୁଖ ସଂକ୍ଷିପ୍ତ ଟିଏଲଏମ୍‍ ବଣ୍ଟନ ପ୍ରକ୍ରିୟାକୁ ସଞ୍ଚାଳନ କରିଥିଲେ। ସୂଚନା ଯୋଗ୍ୟ ଡମପଡା ବ୍ଲକରେ ପ୍ରାୟ ୪୫ଜଣ ମାନସିକ ଅନଗ୍ରସର ଛାତ୍ର ଛାତ୍ରୀ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦ଜଣ ଛାତ୍ର ଛାତ୍ରୀ(ଏମଆର)ଙ୍କୁ ଏହି କିଟ୍‍ ପ୍ରଦାନ କରାଯାଇଛି।

Comments are closed.