ଜିମା ଅବଧି ଶେଷ, ଜେଲ୍‍ ଗଲା ଟିଟୋ

0

କେନ୍ଦ୍ରାପଡ଼ା/ଭୁବନେଶ୍ୱର: କ୍ରାଇମ୍‍ବ୍ରାଞ୍ଚ ସ୍ପେଶାଲ୍‍ ଟାସ୍କଫୋର୍ସ(ଏସ୍‍ଟିଏଫ୍‍) ହାତରେ ଧରାପଡିଥିବା ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‍ ସୟଦ ଉସ୍‍ମାନ୍‍ ଅଲ୍ଲୀର ୩ ପର୍ୟ୍ୟାୟ ଜିମା ଅବଧି ଶେଷ ହେବା ପରେ ସୋମବାର ସେ ଜେଲ ଯାଇଛି । ଟିଟୋକୁ ଆଜି ଏସ୍‍ଟ୍‍ିଏଫ୍‍ ପକ୍ଷରୁ ହାଜର କରାଯିବା ବେଳେ କେନ୍ଦ୍ରାପଡ଼ା କୋର୍ଟ ପରିସରକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଥିଲା । ଜାମିନ୍‍ ନାମଞ୍ଜୁର ହେବା ପରେ ପ୍ରାୟ ୫କିମି ଦୂର ବାରିମୂଳଠାରେ ଥିବା କେନ୍ଦ୍ରାପଡ଼ା ସବ୍ଜେଲ୍‍କୁ ଟିଟୋକୁ ପଠାଇ ଦିଆଯାଇଛି। ଏସ୍‍ଟିଏଫ ତାକୁ ୧୨ଦିନ ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା । ପ୍ରକାଶ ଯେ ଟିଟୋର ଘନିଷ୍ଠ
ସହଯୋଗୀ କେନ୍ଦ୍ରାପଡା ପୌରାଞ୍ଚଳର ୱାର୍ଡ ନଂ-୨ର ବଡ଼ବାରଙ୍ଗ ଗ୍ରାମର ବାବୁଲା ଓରଫ ଶୁଭେନ୍ଦୁ ପତ୍ରୀ ଓ ଦିଆନବଜାରର ସେକ୍ ସୟଦକୁ ଏସ୍‍ଟିଏଫ୍‍ ଗତକାଲି ଗିରଫ କରିଥିଲା। ସେମାନଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି। ଟିଟୋର ଭାଇ ସପୋ ସହଯୋଗରେ ଏହି ଦୁଇ ଜଣ ୫ନମ୍ବର(କ) ଜାତୀୟ ରାଜପଥ କଡ଼ରେ ଖମରପଡ଼ା ଗ୍ରାମର ଜଣେ ଲୋକଙ୍କର ଏକ ମୂଲ୍ୟବାନ ଜମିକୁ ହାତେଇ ନେଇଥିିଲେ । ଏନେଇ ଏସ୍‍ଟିଏଫ୍‍ ଏକ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି। ଟିଟୋ ସାମ୍ରାଜ୍ୟ ପାଇଁ ତା’ର ଭାଇ ଓ ସହଯୋଗୀ ଗୋଟିଏ ଲେଖାଏଁ ମୋହରା ହୋଇଥିବାରୁ ସେମାନଙ୍କୁ ଗିରଫ କରିବା ଲାଗି ଏସ୍‍ଟିଏଫ୍‍ ତନାଘନା ଆରମ୍ଭ କରି ଦେଇଛି। ଏଥିପାଇଁ ଏକାଧିକ ଟିମ୍‍ ରାଜ୍ୟ ବାହାରକୁ ଯାଇଥିବା ଜଣାପଡିଛି।
ଟିଟୋକୁ ପର୍ୟ୍ୟାୟ କ୍ରମେ ୧୨ ଦିନ ନେଇ ପଚରାଉଚରା କରି ଏସ୍‍ଟିଏଫ୍‍ କେନ୍ଦ୍ରାପଡ଼ା, ପାରାଦ୍ୱୀପ ଓ କଟକର କିଛି ଲୋକଙ୍କ ନିକଟରେ ପହଞ୍ଚି ଥିଲା। ଟିଟୋକୁ ଅନ୍ୟ ଏକ ମାମଲାରେ ରିମାଣ୍ଡରେ ଅଣାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କେନ୍ଦ୍ରାପଡା ଜେଲ୍‍ରେ ଗ୍ୟାଙ୍ଗଷ୍ଟରଙ୍କ ରହିବା ପାଇଁ ବନ୍ଦୋବସ୍ତ ନଥିବାରୁ ଅନ୍ୟ ଜେଲ୍‍କୁ ସ୍ଥାନାନ୍ତର କରାଯାଇପାରେ ବୋଲି ଜଣାପଡିଛି।
ଟିଟୋର ରାଜନୀତି ସମ୍ପର୍କ ପଦାକୁ ଆସିବା ପରେ କ୍ରାଇମ୍‍ବ୍ରାଞ୍ଚ ମଧ୍ୟ ସେହି ଦିଗରେ ଅଧିକ ତଦନ୍ତ ଆରମ୍ଭ କରିଛି। ଟିଟୋ ବିରୋଧରେ ରହିଥିବା ଅପରାଧଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇଛି। କ୍ରାଇମ୍‍ବ୍ରାଞ୍ଚ ଏସ୍‍ଟିଏଫ୍‍ ଗୋଟିଏ ପରେ ମାମଲାର ତର୍ଜମା ଆରମ୍ଭ କରିଛି। ଟିଟୋ ବିରୋଧରେ ମୋଟ୍‍ କେତୋଟି ମାମଲା ରହିଛି, ସେଥିରୁ କେତୋଟି ମାମଲାରେ ସେ ନିର୍ଦୋଷରେ ମୁକୁଳିଛି ଓ ଅନ୍ୟ କେଉଁ ମାମଲାରେ ଫେରାର୍‍ ରହିଛି ସେ ସବୁକୁ ଖୋଜିବା ଆରମ୍ଭ କରିଛି ଏସ୍‍ଟିଏଫ୍‍। ଟିଟୋକୁ କୋର୍ଟ ଚାଲାଣ କରାଯିବା ବେଳେ ଗଣମାଧ୍ୟମକୁ କହିଥିଲା ମୋତେ ଫସାଇ ଦିଆଯାଇଛି। ସେ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଛି କି ବୋଲି ପଚରାଯିବାରୁ ମୁଁ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହିଁ ବୋଲି ଗଣମାଧ୍ୟମକୁ ସେ କହିଛି ।
ଟିଟୋର ପୁଞ୍ଜି କେବଳ ଫିଲ୍ମ ଶିଳ୍ପରେ ଲାଗିଛି ତାହା ନୁହେଁ। ଡ୍ୟାନ୍ସ ବାର୍‍ରେ ଲାଗିଥିବା ନେଇ ସୁରାକ୍‍ ପାଇବା ପରେ ଏସ୍‍ଟିଏଫ୍‍ ମଧ୍ୟ ଖୋଳତାଡ ଆରମ୍ଭ କରିଛି। ରାଜଧାନୀର କିଛି ବାର୍‍ ମାଲିକଙ୍କୁ ଏସ୍‍ଟିଏଫ୍‍ ପଚରାଉଚରା କରିବ ବୋଲି କ୍ରାଇମ୍‍ବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି।
ଜିମା ଅବଧି ଶେଷ…

Leave A Reply