ଟିଟୋର ଦୁଇ ସହଯୋଗୀଙ୍କୁ ଧରିଲା ଏସ୍‍ଟିଏଫ୍‍

0

ଭୁବନେଶ୍ୱର : ଏସ୍‍ଟିଏଫ୍‍ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‍ ସୟଦ ଉସମାନ୍‍ ଅଲ୍ଲୀର ଆଉ ଏକ ଅପରାଧର ପର୍ଦାଫାସ୍‍ କରିଛି। ଟେଣ୍ଡର ଫିକ୍ସିଂ, ହତ୍ୟା, ଦାବାବଟି, ବାଲିଘାଟ, ତେଲ ଟାଙ୍କି, ଗାଡ଼ି ଶୋ’ରୁମ୍‍ ଓ ଟ୍ରନ୍ସପୋର୍ଟ ବ୍ୟବସାୟ ବ୍ୟତୀତ ଓଡ଼ିଶାରୁ ବାଂଲାଦେଶକୁ ହେଉଥିବା ଗୋ-ଚାଲାଣ ପଛରେ ଟିଟୋର ହାତ ରହିଥିଲା ବୋଲି କହିଛନ୍ତି ଏସ୍‍ଟିଏଫ୍‍ ଡିଆଇଜି ହିମାଂଶୁ ଲାଲ୍‍। ଗୁରୁବାର ଏସ୍‍ଟିଏଫ୍‍ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲାଲ୍‍ କହିଛନ୍ତି ରାଜ୍ୟରୁ କଲକାତା, ସେଠାରୁ ତ୍ରିପୁରା ଏବଂ ପରେ ବାଂଲାଦେଶକୁ ଗୋରୁ ଚାଲାଣ କରାଯାଉଥିଲା। ଟିଟୋକୁ ଜିମାରେ ନେଇ ପଚରାଉଚରା ବେଳେ ଗୋରୁ ଚାଲାଣ ସମ୍ପର୍କରେ ସୁରାକ୍‍ ମିଳିଥିଲା। ଏସ୍‍ଏଟିଏଫ୍‍ ଏନେଇ ଖୋଳତାଡ଼ ଆରମ୍ଭ କରିଥିଲା। ଗୋରୁ ଚାଲାଣ ଲାଗି ଟିଟୋର ସ୍ୱତନ୍ତ୍ର ଗ୍ୟାଙ୍ଗ କାମ କରୁଥିଲା। ରାକେଟ୍‍ର ମୁଖ୍ୟ ଥିଲା ଖୋର୍ଦ୍ଧା ବେଗୁନିଆ ଥାନା ଅନ୍ତର୍ଗତ କୁଶାପାଲ୍ଲୀର ବଟୁ ଓରଫ୍‍ ବଟକୃଷ୍ଣ ପାଣି (୪୫)। ତାକୁ କ୍ରାଇମ୍‍ବାଞ୍ଚ ଗିରଫ କରିଛି। ରାଜ୍ୟରୁ ଅନେକ ସମୟରେ ଗୋ-ଚାଲାଣ ରୋକିବାକୁ କ୍ରାଇମ୍‍ବ୍ରାଞ୍ଚ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଉଦ୍ୟମ ଚଳାଉଥିଲେ ମଧ୍ୟ ବର୍ଷକୁ ପ୍ରାୟ ୧୦ କୋଟି ଟଙ୍କାର କାରବାର ହୁଏ ବୋଲି ଆକଳନ କରାଯାଇଛି।

ହାର୍ଲି ଡାଭିଡ୍‍ସନ୍‍ ବାଇକ୍‍ ଧରି ଗୋ-ଚାଲାଣ ଗାଡ଼ିକୁ ବିଭିନ୍ନ ଅଞ୍ଚଳ ଅତିକ୍ରମ କରିବା କାମକରୁଥଲା ବଟୁ। ହାର୍ଲି ଡାଭିଡ୍‍ସନ୍‍ ଭଳି ୧୬ ଲକ୍ଷ ଟଙ୍କାର ବାଇକ୍‍ ଓ ଅଣ୍ଟାରେ ବନ୍ଧୁକ ଧରି ବଟୁ ଗୋରୁ ଗାଡ଼ିକୁ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ପାର କରିବା କାର୍ଯ୍ୟର ତଦାରଖ କରୁଥିଲା। କଲକାତାକୁ ଗୋଟିଏ ଗୋରୁ ଗାଡ଼ି ପଠାଇ ଦେଲେ ତାକୁ ଲକ୍ଷାଧିକ ଟଙ୍କା ମିଳିଥାଏ। ଟିଟୋ ଗ୍ୟାଙ୍ଗର ଅନୁଗତମାନେ ବଟୁ ନିର୍ଦେଶରେ ଗୋରୁ ଗାଡ଼ିିକୁ ବିଭିନ୍ନ ଛକରେ ଅତିକ୍ରମ କରାଇଥାନ୍ତି। ରାସ୍ତାରେ ଆଇନଶୃଙ୍ଖଳା ଓ ପୁଲିସ କଥା ବୁଝିବା ଥିଲା ବଟୁର ଦାୟିତ୍ୱ। ଏସ୍‍ଟିଏଫ୍‍ ହାତରେ ବଟୁ ଧରା ପଡିବା ପରେ ସବୁ ଘଟଣା ପଦାକୁ ଆସିଛି। ବଟୁ ତମାଣ୍ଡୋ ଥାନା ଅଧୀନ କଳିଙ୍ଗବିହାର କେ-୪ ଏଲ୍‍ଆଇଜି ପ୍ଲଟ୍‍ ନଂ-୨୮୦ରେ ରହୁଥିଲା। ସେଠାରୁ ଏସ୍‍ଟିଏଫ୍‍ ଏକ ଫର୍ଚୁନର ଗାଡ଼ି ମଧ୍ୟ ଜବତ କରିଛି। କେନ୍ଦ୍ରାପଡା ରାଜନଗରର ଠିକାଦାର ପ୍ରେମାନନ୍ଦ ଲେଙ୍କାଙ୍କୁ ଧମକ ଦେବା ଘଟଣାରେ ବଟୁ ସମ୍ପୃକ୍ତ ଥିଲା ବୋଲି ଏସଟିଏଫ ଅଧିକାରୀ କହିଛନ୍ତି। ଟିଟୋର ଅନ୍ୟ ଜଣେ ପ୍ରମୁଖ ସହଯୋଗୀ ତଥା ଆୟବ୍ୟୟର ହିସାବକିତାବ ରଖୁଥିବା ସଦସ୍ୟ ସରୋଜ ପତିକୁ ଏସ୍‍ଟିଏଫ୍‍ ଗିରଫ କରିଛି। ସରୋଜ ଜଣେ ଶିକ୍ଷିତ ଯୁବକ ତା’ର କମ୍ପ୍ୟୁଟର ସଫ୍ଟୱେର ଉପରେ ଦଖଲ ରହିଛି। ସେ ଟିଟୋକୁ କେବେ ଆୟକର ଦେବାକୁ ହେବ। କେଉଁ ଠିକାଦାର କେତେ ଟଙ୍କାର ଆୟକର ଦାଖଲ କରିଛି। ତା’ର ଆୟ କେତେ ସେସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିଲା। ଠିକାଦାର ପ୍ରେମାନନ୍ଦଙ୍କୁ ଦାଦାବଟି ମାଗିବା ଘଟଣାରେ ମଧ୍ୟ ସରୋଜର ସମ୍ପୃକ୍ତି ଥିବା ଏସ୍‍ଟିଏଫ୍‍ ଏସ୍‍ପି ସତ୍ୟଜିତ ନାୟକ କହିଛନ୍ତି।

Leave A Reply