ଟିଟୋକୁ ଜିମାରେ ନେବାକୁ ଅନୁମତି

0

କଟକ : କେନ୍ଦ୍ରାପଡା ଗ୍ୟାଙ୍ଗଷ୍ଟାର ଉସମାନ ଅଲ୍ଲୀ ଓରଫ ଟିଟୋକୁ ଜୁଡିସିଆଲ ଜିମାରେ ନେବା ପାଇଁ କଟକ କମିସନରେଟ ପୁଲିସକୁ ଏସଡିଜେଏମ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬, ମାର୍ଚ୍ଚ ମାସରେ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ବେଆଇନ ଭାବେ ଦାଦା ବଟି ଆଦାୟ କରିବା, ଟେଣ୍ଡର ଫିକ୍ସିଂ ଆଦି ମାମଲାରେ ଟିଟୋର ସଂପୃକ୍ତି ରହିଥିଲା। ମହାନଦୀ ବ୍ୟାରେଜ ଡିଭିଜନ, ଡ୍ରେନେଜ ଡିଭିଜନ, ଆର ଆଣ୍ଡ ବି ଡିଭିଜନରେ ଟିଟୋଙ୍କ ପ୍ରରୋଚନାରେ ଟେଣ୍ଡର ଫିକ୍ସିଂ ହୋଇ ଲକ୍ଷଲକ୍ଷ ଟଙ୍କା ବେଆଇନ ଭାବେ ଆୟ କରାଯାଉଥିଲା।
ଏଥିସହ କଟକ-ପାରଦ୍ୱୀପ ଓ କଟକ-ଜଗତସିଂହପୁର ରୁଟରେ ଚଳାଚଳ କରୁଥିବା ବସ ମାଲିକଙ୍କ ଠାରୁ ଧମକ ଚମକ ଦେଇ ଦାଦା ବଟି ଆଦାୟ କରାଯାଉଥିବା ନେଇ ଅଭିଯୋଗ ରହିଛି। ଏହି ଅଭିଯୋଗକ୍ରମେ ପୁଲିସ ଟିଟୋର ୮ଜଣ ସହଯୋଗୀ ତଥା ଅଖନା ସାହୁ, ଲୋକନାଥ ସାହୁ, ସୁଧା ବେହେରା, ତପନ ସ୍ୱାଇଁ ଓରଫ କାଳୀ, ବିକାଶ ପାତ୍ର ଓରଫ ବିକି, ସୂର୍ଯ୍ୟକାନ୍ତ ସାହୁ ଓରଫ ବବୁଲୁ, ଶୁକ ମଲ୍ଲିକଙ୍କୁ ଗିରଫ କରିଥିବାବେଳେ ଟିଟୋ ଫେରାର ରହିଥିଲା। ଏହି ୮ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇସାରିଛି। ଭାରତୀୟ ପିଙ୍ଗଳ କୋଡର ୩୮୬, ୩୮୭, ୧୨୦-ବି ଦଫା ଓ ୨୫, ୨୭ ଆର୍ମ୍ସ ଆକ୍ଟରେ ଚାର୍ଜସିଟ ଦାଖଲ ହୋଇଛି। ଏବେ ଟିଟୋକୁ କ୍ରାଇମବ୍ରାଞ୍ଚ ଏସଟିଏଫ ଗିରଫ କରିଥିବାବେଳେ ଉକ୍ତ ମାମଲାରେ ତାକୁ ଅଭିଯୁକ୍ତ ଭାବେ ଗ୍ରହଣ କରିବା ନେଇ ଚାଉଳିଆଗଞ୍ଜ ପୁଲିସ ପକ୍ଷରୁ ଏସଡିଜେଏମ କୋର୍ଟରେ ଆବେଦନ କରାଯାଇଥିଲା। ତେବେ ଖୁବଶୀଘ୍ର ଟିଟୋକୁ ଜିମାରେ ଅଣାଯାଇ ଜେରା କରିବ ପୁଲିସ। ଏହି ମାମଲାରେ ସରକାରଙ୍କ ପକ୍ଷରୁ ଆଇନଜୀବୀ ବିଶ୍ୱଜିତ ବରାଳ ମାମଲା ପରିଚାଳନା କରୁଥିଲେ।

Leave A Reply